ତହସିଲଦାର, ବିଡିଓଙ୍କୁ କାଦୁଅ ରାସ୍ତାରେ ଚଲାଇ ଚଲାଇ ସ୍କୁଲ ନେଲେ ପିଲା

କଟକ,୫।୮: ଫୁଲପୋଖରୀ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ସୋମବାର ଆନ୍ଦୋଳନକୁ ଓହ୍ଲାଇଛନ୍ତି। ବିଦ୍ୟାଳୟ ମୁଖ୍ୟ ଗେଟ୍‌ରେ ଛାତ୍ରୀଛାତ୍ରମାନେ ତାଲା ପକାଇ ବାରଙ୍ଗ-ତ୍ରିଶୁଳିଆ ରାସ୍ତା ଅବରୋଧ କରିଥିଲେ। ଫଳରେ ରାସ୍ତାରେ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଥିଲା।

ଛାତ୍ରୀଛାତ୍ରଙ୍କ ଅଭିଯୋଗ ମୁତାବକ, ସ୍କୁଲକୁ ସଂଯୋଗ କରୁଥିବା ରାସ୍ତାଟି ପାଣି କାଦୁଅରେ ଭର୍ତ୍ତି ହୋଇ ରହିଛି। ଫଳରେ ଛାତ୍ରୀଛାତ୍ରମାନେ ସ୍କୁଲକୁ ଯିବା ଆସିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାର ପ୍ରତିବାଦରେ ଛାତ୍ରୀଛାତ୍ରମାନେ ବିଦ୍ୟାଳୟର ମୁଖ୍ୟ ଗେଟ୍‌ରେ ତାଲାମାରି ରାସ୍ତାରୋକୋ ଆନ୍ଦୋଳନ କରିଥିଲେ।

ଖବର ପାଇ ସ୍ଥାନୀୟ ତହସିଲଦାର ଏବଂ ବିଡିଓ ଘଟଣାସ୍ଥଳରେ ପହଞ୍ଚି ଛାତ୍ରୀଛାତ୍ରଙ୍କୁ ବୁଝାଶୁଝା କରିଥିଲେ। ସେତିକିବେଳେ ଛାତ୍ରୀଛାତ୍ରମାନେ ତହସିଲଦାର ଏବଂ ବିଡିଓଙ୍କୁ କାଦୁଅ ପାଣି ଭର୍ତ୍ତି ରାସ୍ତାରେ ଚଲାଇ ଚଲାଇ ସ୍କୁଲକୁ ନେଇଥିଲେ। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହେଇଛି। ଅନ୍ୟପକ୍ଷେ ଅଧିକାରୀମାନେ ତୁରନ୍ତ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି।

Share