ସହକାରୀ ଶିକ୍ଷୟିତ୍ରୀଙ୍କୁ ଶାରୀରିକ ନିର୍ଯାତନା

ଭବାନୀପାଟଣା,୧୬।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ମାଣିକେଶ୍ୱରୀ ହାଇସ୍କୁଲର ପ୍ରଧାନଶିକ୍ଷକ ରବି କାନୁନ୍‌ଗୋଙ୍କ ବିରୋଧରେ ଶାରୀରିକ ନିର୍ଯାତନା ଅଭିଯୋଗ ଆଣିଛନ୍ତି ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ପ୍ରଣତୀ ମହାପାତ୍ର।

ଏ ନେଇ ଭବାନୀପାଟଣା ଟାଉନ ଥାନାରେ ସମ୍ପୃକ୍ତ ପ୍ରଧାନ ଶିକ୍ଷକଙ୍କ ନାମରେ ଏତଲା ଦେଇଛନ୍ତି ସହକାରୀ ଶିକ୍ଷୟିତ୍ରୀ ମହାପାତ୍ର। ଏହାକୁ ନେଇ ପୋଲିସ ଏକ ମାମଲା (ନଂ.୩୦୯/୨୪) ରୁଜୁ କରିଛି। ତେବେ ପୋଲିସ ସମ୍ପୃକ୍ତ ପ୍ରଧାନଶିକ୍ଷକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ମାମଲା କୋର୍ଟକୁ ସ୍ଥାନାନ୍ତର କରିବା ଘଟଣା ସାଧାରଣରେ ସନ୍ଦେହ ସୃଷ୍ଟି କରିଛି।

କୋର୍ଟକୁ ଏହି ମାମଲା ଯିବା ପରେ ବିଚାରପତି ସହକାରୀ ଶିକ୍ଷୟିତ୍ରୀଙ୍କ ୧୬୧ରେ ବୟାନ ରେର୍କଡ କରିଥିବା ଜଣାପଡିଛି। ଅନ୍ୟପକ୍ଷରେ, ଶିକ୍ଷୟିତ୍ରୀ ଜଣକ ଥାନାରେ ଅଭିଯୋଗ ଦେବା ପରେ ଜିଲା ଶିକ୍ଷାଧିକାରୀ ଏକ ଟିମ୍‌ ଗଠନ କରି ଏହାର ସତ୍ୟତା ଯାଞ୍ଚ କରିଥିଲେ। ପରବର୍ତ୍ତୀ ସମୟରେ ସମ୍ପୃକ୍ତ ପ୍ରଧାନ ଶିକ୍ଷକଙ୍କୁ ତାଙ୍କ ଦାୟିତ୍ୱରୁ ଅପସାରଣ କରି ଥୁଆପଦର ସରକାରୀ ହାଇସ୍କୁଲର ପ୍ରଧାନଶିକ୍ଷକଙ୍କୁ କଆଣି ଭାରପ୍ରାପ୍ତ ଦାୟିତ୍ୱ ଦିଆଯାଇଛି। ପୂର୍ବରୁ ସମ୍ପୃକ୍ତ ପ୍ରଧାନ ଶିକ୍ଷକଙ୍କ ନାମରେ ସହକାରୀ ଶିକ୍ଷୟିତ୍ରୀ ଜିଲା ଶିକ୍ଷାଧିକାରୀ, ଶିକ୍ଷା ବିଭାଗ ନିର୍ଦ୍ଦେଶକଙ୍କୁ ଲିଖିତ ଭାବେ ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳି ନ ଥିବା ପ୍ରକାଶ କରିଛନ୍ତି। ଏ ନେଇ ଜିଲା ଶିକ୍ଷାଧିକାରୀ ସୁଶାନ୍ତ କୁମାର ଚୋପଦାରଙ୍କୁ ପଚାରିବାରୁ ଖୁବ୍‌ଶୀଘ୍ର ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ।

Share