Categories: ଜାତୀୟ

ରାମ ମନ୍ଦିର ନିର୍ମାଣ ପାଇଁ ଦିବ୍ୟାଙ୍ଗ ଶ୍ରମିକ ଦାନ କଲେ ୫ଶହ ଟଙ୍କା

ଜମ୍ମୁ,୨୨ ।୧: ଆଯୋଧ୍ୟାରେ ଆରମ୍ଭ ହୋଇଛି ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ତୋଳା କାମ । ଏଥିପାଇଁ ସାରା ଦେଶରୁ ଚାନ୍ଦା ଯୋଗାଡ କରାଯାଉଛି । ଏହି କ୍ରମରେ ଜମ୍ମୁ-କଶ୍ମୀରର ଜଣେ ଦିବ୍ୟାଙ୍ଗ ଶ୍ରମିକ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । ଲେଖରାଜ ନାମକ ଏହି ଶ୍ରମିକ ଜଣକ ଦିବ୍ୟାଙ୍ଗ । ତାଙ୍କର ଗୋଟିଏ ଗୋଡ କାମ କରୁ ନ ଥିବା ବେଳେ ସେ କିନ୍ତୁ ଶ୍ରମ କରି ୫ଶହ ଟଙ୍କା ସଞ୍ଚୟ କରିବା ସହ ଏହାକୁ ରାମ ମନ୍ଦିର ନିର୍ମାଣ ପାଇଁ ଦାନ କରିଛନ୍ତି । ଏବେ ବିଶ୍ୱହିନ୍ଦୁ ପରିଷଦର ସମିତି ରାମ ମନ୍ଦିର ପାଇଁ ବିଭିନ୍ନ ସ୍ଥାନରୁ ଚାନ୍ଦା ସଂଗ୍ରହ କରୁଛନ୍ତି । ଏମାନେ ବିରବାର ସିୟାସି ଜିଲାର କାଞ୍ଜଲି ପଞ୍ଚାୟତର ଛପାନୁ ଗାଁ ନିକଟରେ ଚାନ୍ଦା ସଂଗ୍ରହ କରୁଥିବା ବେଳେ ସେଠାରେ ଥିବା ଏକ ଜରାଜିର୍ଣ୍ଣ କୁଡିଆ ନିକଟ ଦେଇ ଗତି କରୁଥିବା ବେଳେ ଜଣେ ମହିଳା ସେମାନଙ୍କୁ ଅଟକିବାକୁ କହିଥିଲେ । ଏହାପରେ ମହିଳା ଜଣକ ସମିତି ସଦସ୍ୟଙ୍କ ହାତରେ ୫୦୦ଟଙ୍କା ରାମ ମନ୍ଦିର ନିର୍ମାଣ କରିବାକୁ ଦାନ ଦେଇଥିଲେ । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ସଦସ୍ୟମାନେ କହିଥିଲେ ଆପଣ ଏହାଠାରୁ କମ୍ ଟଙ୍କା ଦେଇ ପାରିବେ । ହେଲେ ମହିଳା ଜଣଙ୍କର ଉତ୍ତର ଥିଲା ଯେ ତାଙ୍କ ସ୍ୱାମୀ ଶ୍ରମ କରି ଏହି ୫ଶହ ଟଙ୍କା ରାମ ମନ୍ଦିର ନିର୍ମାଣ ପାଇଁ ଦାନ କରିବାକୁ ରଖିଛନ୍ତି । ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ପରେ ସେମାନେ ଉକ୍ତ ଶ୍ରମିକ ଲେଖରାଜଙ୍କ ସହ ଫୋନରେ କଥା ହୋଇଥିଲେ । ସେ କହିଥିଲେ ମୋ କୁଡିଆ ତ କେତେବେଳେ ହେଲେ ନିର୍ମାଣ କରାଯାଇ ପାରିବ । ହେଲେ ଏବେ ନିର୍ମାଣ ଚାଲିଥିବା ରାମ ମନ୍ଦିର ପାଇଁ ଏହା ମୋର ଦାନ । ପ୍ରଭୁ ରାମଙ୍କ ଉପରେ ଭକ୍ତର ଯେ ଅତୁଟ ବିଶ୍ୱାସ ତାହା ଏଥିରୁ ସ୍ପଷ୍ଟ ବାରି ହୋଇ ପଡିଥିଲା ।

Share