Categories: ଜାତୀୟ

କୋଭିଡ ଉଲ୍ଲଂଘନକାରୀଙ୍କୁ ବିମାନରୁ ବାହାର କର

ନୂଆଦିଲ୍ଲୀ,୩।୬: କୋଭିଡ ନିୟମ ଉଲ୍ଲଂଘନ ହେଉଥିବା ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରି ଦିଲ୍ଲୀ ହାଇକୋର୍ଟ ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି। ବିମାନ ବନ୍ଦର ଏବଂ ବିମାନ ଭିତରେ ମାସ୍କ ପରିଧାନକୁ କଡ଼ାକଡି କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏପରିକି କୋଭିଡ୍‌ ନିୟମ ଉଲ୍ଲଂଘନ କରୁଥିବା ଯାତ୍ରୀଙ୍କୁ ବିମାନରୁ ବାହାର କରିଦିଆଯାଉ ବୋଲି ଦିଲ୍ଲୀ ହାଇକୋର୍ଟ କହିଛନ୍ତି। ଦିଲ୍ଲୀ ହାଇକୋର୍ଟର କାର୍ଯ୍ୟକାରୀ ବିଚାରପତି ବିପିନ ସଂଘାଇଙ୍କ ଏକ ଖଣ୍ଡପୀଠ କରୋନା ମହାମାରୀକୁ କୌଣସି କ୍ଷେତ୍ରରେ ହାଲୁକା ଭାବେ ନେଇ ହେବ ନାହିଁ ବୋଲି କହିଛନ୍ତି। ନିୟମ ଉଲ୍ଲଂଘନକାରୀଙ୍କୁ ବିମାନରୁ ବାହାର କରି ଦିଆଯିବା ଉଚିତ ବୋଲି ଖଣ୍ଡପୀଠ କହିଛନ୍ତି। କୋଭିଡ୍‌ ସଂକ୍ରମଣ ହ୍ରାସ କରିବା ଲାଗି ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ଖାଇବା ବେଳେ ବିମାନ ଭିତରେ ଜଣେ ମାସ୍କ ଓହ୍ଲାଇ ପାରିବେ। କିନ୍ତୁ ବିମାନ ଯାତ୍ରା ବେଳେ ଯାତ୍ରୀମାନେ ମାସ୍କ ପିନ୍ଧୁ ନ ଥିବା ଅଭିଯୋଗ ହୋଇଛି। ଏଭଳି ସ୍ଥିତିରେ କଡାକଡି ଭାବେ କୋଭିଡ ନିୟମ ପାଳନ କରିବାକୁ ହାଇକୋର୍ଟ କହିଛନ୍ତି। ଏପରିକି ତୁରନ୍ତ ଏକ ଗାଇଡଲାଇନ୍‌ ପ୍ରସ୍ତୁତ କରିବା ଲାଗି ମଧ୍ୟ ଦିଲ୍ଲୀ ହାଇକୋର୍ଟ ଡିଜିସିଏକୁ ନିର୍ଦ୍ଦେଶ ଦେଇଛନ୍ତି।

Share