ବର୍ଷାରେ ଭୁଶୁଡ଼ିଲା ପିଚୁ ରାସ୍ତା

ଭେଡ଼େନ,୨୨।୭ (ସୁଦନ ମହାକୁର): ଗୋଡ଼ଭଗା-ସୋନପୁର ରାଜ୍ୟ ରାଜପଥର ବରଗଡ଼ ସଦର ମହକୁମାରୁ ଭେଡ଼େନ ଦେଇ ମହୁଲପାଲି ଛକକୁ ସଂଯୋଗ କରୁଥିବା ୨ଲେନ ବିଶିଷ୍ଟ ପିଚୁ ରାସ୍ତା ବୁଦେଲବାହାଲି କୁଆଁଫଲ୍‌ ନିକଟରେ ଗୁରୁବାର ରାତିରେ ଭୁଶୁଡି ପଡ଼ିଛି। ପ୍ରାୟ ଶହେ ମିଟର ଓସାରର ୨୦ ଫୁଟର ଗର୍ତ୍ତ ମଧ୍ୟ ହୋଇଛି । ଏଥିରେ କେହି ମୃତାହତ କିମ୍ବା ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇନାହିଁ। ତେବେ ଏକ ଟ୍ରାକ୍ଟର ଅତିକ୍ରମ କରିବାର ୧୦ ମିନିଟ ପରେ ଏହି ଦୁର୍ଘଟଣା ଘଟିଲା ବୋଲି ପ୍ରତ୍ୟକ୍ଷଦର୍ଶୀଙ୍କଠାରୁ ଜଣାପଡ଼ିଛି। ସେହିପରି ରାସ୍ତା ପାର୍ଶ୍ୱରେ ଦିଆଯାଇଥିବା ଲୁହାବାଡ଼ ମଧ୍ୟ ଉପୁଡ଼ି ଯାଇଥିବା ଦେଖିବାକୁ ମିଳିଛି । ଏହି ରାସ୍ତାକାମ ଅତି ନିମ୍ନମାନର ହୋଇଥିବା ସାଧାରଣରେ ଅଭିଯୋଗ ହେଉଥିବା ବେଳେ ରାସ୍ତା ନିର୍ମାଣ ପରେ ପାନୀୟ ଜଳଯୋଗାଣ ପାଇଁ ପାଇପଲାଇନ ଖୋଳାଯିବାରୁ ଏପରି ହୋଇଥିବା ପୂର୍ତ୍ତ ବିଭାଗ କହୁଛି।
ପ୍ରକାଶ ଯେ, ମହୁଲପାଲି ଛକରୁ ଭେଡ଼େନ ପର୍ଯ୍ୟନ୍ତ ୧୬ କିମି ପିଡବ୍ଲ୍ୟୁଡି ରାସ୍ତାକୁ ଦୋହରୀକରଣ ପାଇଁ ୧୪ କୋଟି ୫୪ ଲକ୍ଷ ୫୫ ହଜାର ୬୯୦ ଟଙ୍କା ବ୍ୟୟ ଅଟକଳ କରାଯାଇଛି । କୁତପାଲି ଛକରୁ ଭେଡ଼େନ ଥାନା ଛକ ପର୍ଯ୍ୟନ୍ତ ରାସ୍ତା ଅମ୍ପପୂର୍ଣ୍ଣ ରହିଥିବା ବେଳେ ଅବଶିଷ୍ଟ ସବୁ ଶେଷ ହେବା ଉପରେ ରହିଛି। ଏହି କ୍ରମରେ ପୂର୍ବରୁ ରହିଥିବା ବୁଦେଲବାହାଲି କୁଆଁଫଲ୍‌କୁ ପୋଲ ନିର୍ମାଣ କରାଯିବା ସହ ରାସ୍ତାକୁ ମାଟି ପକାଇ ପ୍ରାୟ ୫୦ ମିଟର ଉଚ୍ଚ କରାଯାଇ ସମତୁଲ କରାଯାଇଛି। ଏହାର ଉଭୟ ପାର୍ଶ୍ୱରେ ମାଟି ଯେପରି ଧୋଇ ନ ଯିବ ସେଥିପାଇଁ ୩ ଫୁଟ୍‌ର କଂକ୍ରିଟ କାନ୍ଥ ନିର୍ମାଣ କରାଯାଇଛି। ସେହିପରି ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ଲଗାଯାଇଥିବା ଲୁହା ବାଡ଼ ମଧ୍ୟ ହାଲୁକା ଭାବେ ଲଗାଯାଇଥିବା ଯୋଗୁ ଉପୁଡ଼ି ଯାଇଥିବା ଦେଖିବାକୁ ମିଳିଛି। ବାଦିପାଲିରୁ ଉକ୍ତ ରାସ୍ତା ଅତିକ୍ରମ କରି ଖଲିଆପାଲି ଯାଇଥିବା ପୁରୁଣା କେନାଲ ପୋଲଟି ଅଣଓସାରିଆ ରହିଛି। ଏହାକୁ ପୁନଃନିର୍ମାଣ କରିବା ପରିବର୍ତ୍ତେ ପୂର୍ବପରି ଛାଡ଼ି ଦିଆଯାଇଛି। ତେବେ ଉଭୟ ପାର୍ଶ୍ୱରେ ବାଉଁଶ ବାଡ଼ ଦିଆଯାଇଥିବାରୁ ଏହା ଦୁର୍ଘଟଣାକୁ ନିମନ୍ତ୍ରଣ ସଦୃଶ ହୋଇଛି। ଏହି ପୋଲକୁ ନୂତନ ଭାବେ ନିର୍ମାଣ କରାଯିବା ସହ ପାର୍ଶ୍ୱବାଡ ଦେବାକୁ ସାଧାରଣରେ ଦାବି ହେଉଛି । ଏ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ମତାମତ ମିଳିପାରିନାହିଁ।