ଗଞ୍ଜେଇ ଚାଲାଣ ମାମଲାର ଅଭିଯୁକ୍ତଙ୍କୁ ଉଠାଇନେଲା

ବ୍ରହ୍ମପୁର ଅଫିସ,୨ା୧୨: ମଧ୍ୟପ୍ରଦେଶ ଇନ୍ଦୋରର ନାର୍କୋଟିକ୍ସ କଣ୍ଟ୍ରୋଲ୍‌ ବ୍ୟୁରୋ(ଏନ୍‌ସିବି)ର ଏକ ଟିମ୍‌ ଶୁକ୍ରବାର ବ୍ରହ୍ମପୁର ଆସିଥିଲା। ଏକ ଗଞ୍ଜେଇ ଚାଲାଣ ମାମଲାରେ ଏହି ଟିମ୍‌ ସଦର ଥାନା ଅଞ୍ଚଳରୁ ଜଣେ ଅଭିଯୁକ୍ତଙ୍କୁ ଜାମିନ ବିହୀନ ଗିରଫ ପରୱାନା (ଏନବିଡବ୍ଲ୍ୟୁ) ବଳରେ ଉଠାଇ ନେଇଛି। ସେ ହେଲେ ଚେଇମରାର ପି. ଲକ୍ଷ୍ମଣ(୨୭)।
୨୦୨୦ରେ ଏନ୍‌ସିବି ଗଞ୍ଜେଇ ଚାଲାଣ କରୁଥିବା ଏକ ଗାଡ଼ି ଜବତ କରବା ସହ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଅଭିଯୁକ୍ତଙ୍କ ମଧ୍ୟରେ ଲକ୍ଷ୍ମଣ ଥିଲେ। ଜାମିନରୁ ଆସିବା ପରେ ସେ ବିଚାର ସମୟରେ କୋର୍ଟରେ ହାଜର ହୋଇ ନଥିଲେ। ତେଣୁ ତାଙ୍କ ନାମରେ କୋର୍ଟ ଏନବିଡବ୍ଲ୍ୟୁ ଜାରି କରିଥିଲେ। ଏନ୍‌ବିଡବ୍ଲ୍ୟୁ ବଳରେ ଏନ୍‌ସିବି ଜୁନିୟର୍‌ ଇଣ୍ଟିଲିଜେନ୍ସ ଅଫିସର୍‌ ଏସ୍‌. ରାଜେନ୍ଦ୍ର ସିଂଙ୍କ ନେତୃତ୍ୱରେ ୪ ଜଣିଆ ଟିମ୍‌ ବ୍ରହ୍ମପୁର ଆସିଥିଲା। ଏହି ଟିମ୍‌ ସଦର ଥାନା ପୋଲିସ ସହାୟତାରେ ଚେଇମରା ଗ୍ରାମରୁ ଲକ୍ଷ୍ମଣକୁ ଗିରଫ କରିଛି। ବ୍ରହ୍ମପୁର ସିଜେଏମ୍‌ ବିଷ୍ଣୁପ୍ରସାଦ ମିଶ୍ରଙ୍କ କୋର୍ଟରେ ଲକ୍ଷ୍ମଣକୁ ହାଜର କରିବା ପରେ ଏନସିବି ଟିମ୍‌ ତାଙ୍କୁ ଇନ୍ଦୋର ନେଇଛି।

Share