ପିକ୍‌ଅପ୍‌ ଦୁର୍ଘଟଣାଗ୍ରସ୍ତ: ଜଣେ ମୃତ, ୧୮ ଆହତ

ଉମରକୋଟ,୧୨।୨(ସ୍ବ.ପ୍ର.): ବିବାହ ଉତ୍ସବରେ ଯୋଗଦେବାକୁ ଯାଉଥିବା ଏକ ପିକ୍‌ଅପ୍‌ ଭ୍ୟାନ୍‌ ଶୁକ୍ରବାର ଦୁର୍ଘଟଣାଗ୍ରସ୍ତ ହୋଇ ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ ଅନ୍ୟ ୧୮ ଜଣ ଆହତ ହୋଇଛନ୍ତି। ମୃତକ ହେଲେ ଉମରକୋଟ ବ୍ଲକ ମୁର୍ତ୍ତୁମା ପଞ୍ଚାୟତ ବଡ଼ଖଡ଼କା ଗ୍ରାମର ବଳରାମ ଭତ୍ରା(୫୩)।
ଘଟଣାରୁ ପ୍ରକାଶ, ବଡ଼ଖଡ଼କା ଗ୍ରାମରୁ ପିକ୍‌ଅପ୍‌(ଓଡି ୨୪ ସି ୬୭୯୦) ଯୋଗେ ୫୦ରୁ ଊଦ୍ଧର୍‌ବ ଲୋକ ବେହେଡ଼ା ପଞ୍ଚାୟତର ଡାଇବେଡ଼ା ଗ୍ରାମକୁ ଯାଉଥିଲେ। ବେହେଡା ଜଙ୍ଗଲ ନିକଟରେ ଗାଡ଼ିଟି ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଯାଇଥିଲା। ଏଥିରେ ବଳରାମଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଅନ୍ୟ ୧୮ ଆହତ ହୋଇଥିଲେ। ୧୦୮ ଆମ୍ବୁଲାନ୍ସ ଯୋଗେ ଆହତଙ୍କୁ ଉଦ୍ଧାରକରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଉମରକୋଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଗାଡ଼ିକୁ ଜବତ କରିଛି। ଏ ନେଇ ୬୦/୨୨ ରେ ଏକ ମାମଲା ରୁଜୁ କରାଯାଇ ଚାଳକଙ୍କୁ ପଚରାଉଚରା କରାଯାଉଥିବା ପୋଲିସ ସୂଚନା ଦେଇଛି।

Share