
ଦିଗପହଣ୍ଡି,୧୮।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ନିକଟ ବାଙ୍କେଶ୍ୱରୀ ଘାଟିରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଏକ ପିକ ଅପ ଭ୍ୟାନ ନଂ.( ଓଡ଼ି ୦୭ଏସି -୩୧୬୫ ) ଓଲଟି ପଡିବାରୁ ୩୨ରୁ ଉଦ୍ଧର୍ବ ମହିଳା ପୁରୁଷ ଓ ଶିଶୁ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୮ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତମାନେ ହେଲେ ଜମ୍ଭୁ ସେଠୀ,ପଞ୍ଚୁ ସେଠୀ,ବୁଲୁ ସେଠୀ,କୁନା ସେଠୀ,ତମାଳ ସେଠୀ, ଜାଗରା ସେଠୀ, ରାଣୀ ସେଠୀ, ସୁବାସିନି ସେଠୀ, ମିଲନ ସେଠୀ,ଭାସ୍କର ସେଠୀ, ସିମାଞ୍ଚଳ ସେଠୀ, ଉଜ୍ଜଳ ସେଠୀ,ମଞ୍ଜୁ ସେଠୀ,ଟୁନା ସେଠୀ,ନାର୍ସୁ ସେଠୀ,ଦାସ ସେଠୀ, କୋରା ସେଠୀ ଓ ସୀମା ସେଠୀ।
ସମସ୍ତ ଆହାତମାନଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।୧୮ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସାନଖେମୁଣ୍ଡି ବ୍ଲକ ଖଣ୍ଡଦୋଳି ଗ୍ରାମର ସିମାଞ୍ଚଳ ସେଠୀଙ୍କ ନାତିର ବର୍ଷପୁରାଣି ସହଣିକ ମୁଣ୍ଡନ ପୂଜାର୍ଚ୍ଚନା ନିମନ୍ତେ ଖଣ୍ଡଦୋଳି, ଚଷାନିମଖଣ୍ଡି, ନିମଖଣ୍ଡିି ପେଣ୍ଠ,ସାହାସପୁର,ବି. ତୁରୁବୁଡ଼ି ଗ୍ରାମରେ ରହୁଥିବା ତାଙ୍କ ସମ୍ପର୍କୀୟ,ବନ୍ଧୁ ବାନ୍ଧବ ଓ ପରିବାର ଲୋକେ ବି. ତୁରୁବୁଡ଼ି ଗ୍ରାମ ନିକଟ କେରାଣ୍ଡି ମାଳ ପର୍ବତ ଶିଖରରେ ଥିବା ମାଆ ନିଜ ବାଙ୍କେଶ୍ୱରୀ ଶକ୍ତି ପୀଠକୁ ପିକଅପ ଭ୍ୟାନ ଯୋଗେ ଯାଇଥିଲେ। ସେଠାରେ ପୂଜାର୍ଚ୍ଚନା ସାରି ଭୋଜି ଖାଇ ଫେରୁଥିବା ବେଳେ ଚାଳକଙ୍କ ଅସାବଧାନତା କାରଣରୁ ଭ୍ୟାନଟି ଘାଟି ରାସ୍ତାରେ ଓଲଟି ପଡ଼ିଥିଲା। ଖବରପାଇ ବି. ତୁରୁବୁଡ଼ି ପଞ୍ଚାୟତ ସରପଞ୍ଚ ବି .ଲିଙ୍ଗରାଜ ଦୋରା ଏବଂ ବହୁ ସଂଖ୍ୟକ ବ୍ୟକ୍ତି ଘଟଣାସ୍ଥଳରେ ପହଞ୍ଚି ଦିଗପହଣ୍ଡି ପୋଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀ ବୃନ୍ଦ ଆହତମାନଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଗସ୍ତ ଭ୍ୟାନକୁ ଜବତ କରିବା ସହ ମକଦ୍ଦମା ରୁଜୁ କରି ତଦନ୍ତ କରୁଛି।