ଗାଈ ସହ ପିକ୍‌ଅପ୍‌ ଭ୍ୟାନ ଲୁଟ୍‌ ଘଟଣା: ଧରାପଡ଼ିଲେ ଫେରାର ଅଭିଯୁକ୍ତ

ବୈଶିଙ୍ଗା,୧୧ା୧୧(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଧୀନ କଳମାଠାରେ ମୂଲ୍ୟବାନ ଗାଈ ସହ ପିକ୍‌ଅପ୍‌ ଭ୍ୟାନ ଲୁଟ ଘଟଣାରେ ସମ୍ପୃୃକ୍ତ ଅନ୍ୟ ଜଣେ ଫେରାର ଅଭିଯୁକ୍ତଙ୍କୁ ଗୁରୁବାର ପୋଲିସ ଗିରଫ କରିଛି। ସେ ହେଲେ ଗୋବିନ୍ଦରାୟପୁର ଗ୍ରାମର ନୁର୍‌ ହୁସେନ ଖଁାଙ୍କ ପୁଅ ନାର୍ଜି।
ସୂଚନାଯୋଗ୍ୟ ଯେ, ଗତ ଅକ୍ଟୋବର ୧୩ ତାରିଖରେ କଟକ ଜିଲା ନିଆଳି ଅଞ୍ଚଳର କୌଶଲ୍ୟା ଡାଏରୀ ଫାର୍ମରୁ ଦୁଇଟି ମୂଲ୍ୟବାନ ଗାଈଙ୍କୁ ଏକ ପିକ୍‌ଅପ୍‌ ଭ୍ୟାନରେ ବାରିପଦା ସ୍ଥିତ ଅନ୍ୟଏକ ଡାଏରୀ ଫାର୍ମକୁ ନିଆଯାଉଥିଲା। ଏହି ସମୟରେ ୧୮ନଂ. ଜାତୀୟ ରାଜପଥର କଳମା ଛକ ନିକଟରେ ନିକଟସ୍ଥ ଗୋବିନ୍ଦରାୟପୁର ଗ୍ରାମର ୮ ଅଭିଯୁକ୍ତ ଚାଳକଙ୍କୁ ମାଡ଼ମାରି ଗାଈ ସହ ପିକ୍‌ଅପ୍‌ ଭ୍ୟାନ୍‌କୁ ନେଇ ଯାଇଥିଲେ। ଏ ସଂକ୍ରାନ୍ତରେ ବୈଶିଙ୍ଗା ଥାନାରେ ଅଭିଯୋଗ ହେବାରୁ ପୋଲିସ ଏକ ମାମଲା(ନଂ. ୩୧୦/୨୨) ରୁଜୁ କରି ଗତ ୩୧ ତାରିଖରେ ମଲ୍ଲିକ ସକିରୁଦ୍ଦିନ ଓ ମଲ୍ଲିକ ଖଇରୁଦ୍ଦିନ ନାମକ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ନାର୍ଜି ଖଁା ଫେରାର ଥିଲେ। ଗୁରୁବାର ତାଙ୍କୁ ପୋଲିସ କୋର୍ଟ ଚାଲାଣ କରିଛି।

Share