Advertisement

ଭୋଟ ଦେବେନି ପିହୁଙ୍କ ମା’ ମୋନାଲିସା

ବିଞ୍ଝାରପୁର,୨୪ା୫(ରାମକୃଷ୍ଣ ଦାସ):ଯାଜପୁର ଜିଲା ବିଞ୍ଝାରପୁର ଥାନା ଅନ୍ତର୍ଗତ ମଧୂସୁଦନପୁର ଗ୍ରାମର ବହୁ ଚର୍ଚ୍ଚିତ ଶିଶୁକନ୍ୟା ଶୁଭଲକ୍ଷ୍ମୀ ନାୟକ(ପିହୁ) ନିଖୋଜ ଘଟଣାରେ ପୂର୍ଣ୍ଣଛେଦ ପଡ଼ୁନାହିଁ। ନ୍ୟାୟ ପାଇଁ ସଂଘର୍ଷ କରୁଥିବା ପିହୁଙ୍କ ମା’ ମୋନାଲିସା ନାୟକ ଚଳିତ ଥର ସାଧାରଣ ନିର୍ବାଚନରେ ଭୋଟ ବର୍ଜନ କରିବାର ନିଷ୍ପତ୍ତି ନେଇଛନ୍ତି। ଝିଅ ନିଖୋଜକୁ ୪ ବର୍ଷ ବିତିଯାଇଥିଲେ ମଧ୍ୟ ପୋଲିସ କିମ୍ବା ପ୍ରଶାସନ ତାଙ୍କୁ ସାହାଯ୍ୟ କରିନାହିଁ। ଏପରିକି କୌଣସି ଲୋକପ୍ରତିନିଧି କିମ୍ବା ରାଜନୈତିକ ବ୍ୟକ୍ତି ମଧ୍ୟ ତାଙ୍କୁ ସାହାଯ୍ୟ କରି ନ ଥିବାରୁ ସେ ଭୋଟ ବର୍ଜନ କରୁଥିବା ଦର୍ଶାଇ ନିଜ ଘର ସମ୍ମୁଖରେ ଏକ ବ୍ୟାନର ଲଗାଇ ଏକଥା ଜଣାଇଛନ୍ତି। ନିର୍ବାଚନ ସମୟରେ ମୋନାଲିସାଙ୍କ ଏଭଳି କାର୍ଯ୍ୟକୁ ନେଇ ବରୀ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି। ନିଜ ଝିଅକୁ ଖୋଜିବା ପାଇଁ ନ୍ୟାୟ ଆଶାରେ ମୋନାଲିସା ବିଭିନ୍ନ ସ୍ଥାନକୁ ଧାଉଁଥିଲେ ମଧ୍ୟ ନିରାଶ ହୋଇଛନ୍ତି। ଆସନ୍ତା ୨୫ ତାରିଖରେ ବରୀ ଓ ବିଞ୍ଝାରପୁର ନିର୍ବାଚନମଣ୍ଡଳିରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ନିର୍ବାଚନୀ ପ୍ରଚାରରେ ଆସୁଥିବାବେଳେ ମୋନାଲିସା ତାଙ୍କୁ ଭେଟି ନିଜର ଦୁଖ ଜଣାଇବେ ବୋଲି ବିଭିନ୍ନ ସରକାରୀ ଅଧିକାରୀଙ୍କୁ ଚିଠି ଲେଖି ଜଣାଇଛନ୍ତି। ତାଙ୍କୁ ପାଣ୍ଡିଆନଙ୍କ ସହ ଭେଟିବା ବେଳେ ପୋଲିସ ନ ଅକଟାଇବାକୁ ସେ ନିବେଦନ କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share