ରାଜନୀତିର ଊର୍ଦ୍ଧ୍ୱରେ ପାଇକ ସଂଗ୍ରାମ

ଅନିଲ ବିଶ୍ୱାଳ

ଅନେକ ଦିନର ବ୍ୟବଧାନ ପରେ ଏବେ ପୁଣି ଚର୍ଚ୍ଚାକୁ ଫେରିଛି ପାଇକ ସଂଗ୍ରାମ। ପାଇକ ସଂଗ୍ରାମକୁ ଦେଶର ପ୍ରଥମ ସ୍ବାଧୀନତା ସଂଗ୍ରାମ ଭାବରେ ମାନ୍ୟତା ନେଇ ରାଜ୍ୟ ସଭାରେ ପଚରାଯାଇଥିବା ପ୍ରଶ୍ନରେ କେନ୍ଦ୍ର ସଂସ୍କୃତି ରାଷ୍ଟ୍ରମନ୍ତ୍ରୀଙ୍କ ନାସ୍ତିବାଚକ ଉତ୍ତର ଆମକୁ ଆଘାତ ଦେଇଛି। ଏହାକୁ ନେଇ ସ୍ବାଭାବିକ ଭାବରେ ଯାହା ପ୍ରତିକ୍ରିୟା ସୃଷ୍ଟି ହେବା କଥା ତାହା ହେଉଛି। ବ୍ରିଟିଶ ବିରୋଧରେ ୧୮୧୭ରେ ହୋଇଥିବା ପାଇକ ସଂଗ୍ରାମକୁ ଦେଶର ପ୍ରଥମ ସ୍ବାଧୀନତା ସଂଗ୍ରାମର ମାନ୍ୟତା ଦେବା ପାଇଁ ବିଧାନସଭାରେ ସଂକଳ୍ପ ପାରିତ ହୋଇଛି। ରାଜ୍ୟ ସଂସ୍କୃତି ମନ୍ତ୍ରୀ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଚିଠି ମଧ୍ୟ ଲେଖିଛନ୍ତି ଏପ୍ରସଙ୍ଗରେ। ସେହିପରି ପ୍ରଥମ ସ୍ବାଧୀନତା ସଂଗ୍ରାମର ମାନ୍ୟତା ଦାବିରେ ରାଜଧାନୀରେ ପାଇକ ସମାବେଶ ମଧ୍ୟ ହୋଇଥିଲା। ହେଲେ ପ୍ରଶ୍ନ ଉଠୁଛି ବିଧାନସଭାରେ ଦୁଇ ପୃଷ୍ଠାର ସଂକଳ୍ପ, ମନ୍ତ୍ରୀଙ୍କର ଚିଠି, ଭୁବନେଶ୍ୱରରେ ସମାବେଶ, ସାମାଜିକ ଗଣମାଧ୍ୟମରେ ପ୍ରତିକ୍ରିୟା, ଏସବୁ ଯଥେଷ୍ଟ କି ଆମର ସେହି ଦାବିକୁ ହାସଲ କରିବାରେ? ଆମେ ଏହି ପ୍ରସଙ୍ଗରେ ଓଡ଼ିଆ ଅସ୍ମିତାକୁ ନେଇ ସ୍ବଳ୍ପକାଳୀନ ଭାବପ୍ରବଣତାରେ ଅଛେ ନା ବାସ୍ତବରେ ଆମେ ଏହାକୁ ନେଇ ଗମ୍ଭୀରଭାବରେ ପ୍ରୟାସରତ ଏହା ଆଜିର ଦିନର ବଡ଼ ପ୍ରଶ୍ନ। ପାଇକ ସଂଗ୍ରାମ ଦେଶର ପ୍ରଥମ ସ୍ବାଧୀନତା ସଂଗ୍ରାମ। ଏହାକୁ ନେଇ ସାରା ଓଡ଼ିଶାରେ କୌଣସି ଦ୍ୱିମତ ନାହିଁ। ହେଲେ ଯେଉଁ ଦ୍ୱନ୍ଦ୍ୱ ରହିଛି ଜାତୀୟ ସ୍ତରରେ ଏହାକୁ ଆମେ କେମିତି ଦୂର କରିବା, ଏହା ଉପରେ ଆମର ଉଦ୍ୟମ କେତେ ହୋଇଛି, ଏହାକୁ ନେଇ ଅନାସକ୍ତ ଓ ବିନା ପକ୍ଷପାତିତାରେ ଆଲୋଚନା କରିବାର ଆବଶ୍ୟକତା ରହିଛି। କାରଣ ଏହା ଆମର ଅସ୍ମିତା ଓ ସ୍ବାଭିମାନର ପ୍ରସଙ୍ଗ।
ପାଇକ ସଂଗ୍ରାମ ଦେଶର ପ୍ରଥମ ସ୍ବାଧୀନତା ସଂଗ୍ରାମ ବୋଲି ଐତିହାସିକ ପ୍ରାମାଣିକତା ଆଧାରରେ ଜାତୀୟ ସ୍ତରରେ ସିଦ୍ଧ କରିବା ପାଇଁ ଆମେ କେତେ ଯତ୍ନବାନ ହୋଇଛେ, ଦେଶର କେତେ ବିଶ୍ୱବିଦ୍ୟାଳୟରେ ଆମେ ଏହା ଉପରେ ଗବେଷଣାତ୍ମକ ସନ୍ଦର୍ଭ ଲେଖାଇଛେ, ଏହି ପ୍ରସଙ୍ଗରେ ଦେଶର ଐତିହାସିକ, ଲେଖକମାନଙ୍କୁ ନେଇ ଆମେ କେତେଟା ଆଲୋଚନାଚକ୍ର କରାଇଛେ, କେତୋଟି ଅନ୍ତର୍ଜାତୀୟ ଐତିହାସିକ ପତ୍ରପତ୍ରିକାରେ ଏହା ଉପରେ ଲେଖା ପ୍ରକାଶ କରାଇଛେ ଆମେ ହିସାବ କରିବା ଉଚିତ୍‌। କାରଣ ଏହି ପ୍ରସଙ୍ଗରେ ସରକାରୀ ନିଷ୍ପତ୍ତି ହେବା ପାଇଁ ଜାତୀୟସ୍ତରରେ ବୁଦ୍ଧିଜୀବୀ, ଐତିହାସିକକାରମାନଙ୍କର ମାନ୍ୟତା ବେଶି ଗୁରୁତ୍ୱ ବହନ କରେ। ଅନେକ ରାଜ୍ୟ ସେମାନଙ୍କ ଅଞ୍ଚଳରେ ହୋଇଥିବା ସ୍ବାଧୀନତା ସଂଗ୍ରାମକୁ ପ୍ରଥମ ବୋଲି ଦାବି କରୁଛନ୍ତି। ତେଣୁ ସମୟ ଆସିଛି ଯେ ପାଇକ ସଂଗ୍ରାମ ହେଉଛି ଭାରତର ପ୍ରଥମ ସଙ୍ଗଠିତ ଗଣ ଆନ୍ଦୋଳନ ଏହାକୁ ଜାତୀୟ ସ୍ତରରେ ସର୍ବସମ୍ମତ କରାଇବାର।
୧୮୧୭ ମାର୍ଚ୍ଚ ୨୯ରେ ବାଣପୁରରୁ ଆରମ୍ଭ ହୋଇଥିବା ପାଇକମାନଙ୍କର ଏହି ରଣ ବହ୍ନି ୧୮୨୭ର ତାପଙ୍ଗ ଲଢ଼େଇ ପର୍ଯ୍ୟନ୍ତ କ୍ରମାଗତ ଭାବରେ ଚାଲିଥିଲା। ଭାରତରେ ଇଂରେଜମାନଙ୍କ ବିରୋଧରେ ଯେତେ ସଂଗ୍ରାମ ହୋଇଛି ଏହା ହେଉଛି ସବୁଠାରୁ ଲମ୍ବା। କେବଳ ସେତିକି ନୁହେଁ ଯଦି ଆମେ ୧୮୦୪ ରୁ ଜୟୀ ରାଜଗୁରୁଙ୍କଠାରୁ ହିସାବ କରିବା ତାହେଲେ ୨୩ବର୍ଷର ଏହି କ୍ରମାଗତ ସଂଗ୍ରାମ କେବଳ ଦେଶର ନୁହେଁ ବରଂ ବିଶ୍ୱ ଇତିହାସରେ ଅନ୍ୟତମ ଲମ୍ବା ସଶସ୍ତ୍ର ସ୍ବାଧୀନତା ସଂଗ୍ରାମର ଆଖ୍ୟା ପାଆନ୍ତା। କିନ୍ତୁ ଆମେ ତାହା କରିପାରିଛେ କି? ଆମେ ତ ୨୦୧୭ ରୁ କେନ୍ଦ୍ର ସରକାରଙ୍କ ମଞ୍ଜୁରୀ ପାଇଥିବା ପାଇକ ସ୍ମାରକୀ ନିର୍ମାଣ କରିବା ପାଇଁ ଆବଶ୍ୟକ ହେଉଥିବା ଜମି ଯୋଗାଇ ଦେଇପାରିନେ। କେବଳ ଚିହ୍ନଟ କରିଛେ। ଆମର ଓଡ଼ିଆ ସ୍କୁଲ ପାଠ୍ୟକ୍ରମର ଇତିହାସ ବିଷୟରେ ପାଇକ ସଂଗ୍ରାମକୁ ମାତ୍ର ୫ ପୃଷ୍ଠାରେ (କେବଳ ୮ମ ଶ୍ରେଣୀର ଇତିହାସ ବହିର ୨୩-୨୮ ପୃଷ୍ଠା) ସୀମିତ କରିଦେଇଛେ। ବିଶ୍ୱଯୁଦ୍ଧ, ମୋଗଲ, ଔପନିବେଶକତା, ମେସୋପଟାମିଆ ଆଦି ବିଷୟରେ ପିଲାଙ୍କୁ ପୃଷ୍ଠା ପୃଷ୍ଠା ପଢ଼ାଉଛେ। ପିଲାଙ୍କ ପାଠ ବହିରେ ଏହି ବିଷୟରେ କେଉଁଠି ବି ଧାଡିଏ ଲେଖିନେ ଯେ ପାଇକ ସଂଗ୍ରାମ ହେଉଛି ଦେଶର ପ୍ରଥମ ସ୍ବାଧୀନତା ସଂଗ୍ରାମ ବୋଲି। ପାଇକ ସଂଗ୍ରାମରେ ମୋଟ ୧୭୧ ଜଣ ମୃତ୍ୟୁଦଣ୍ଡ ପାଇଥିଲେ। ଅନେକ ପାଇକଙ୍କୁ ଦେଶାନ୍ତର, କାରାଦଣ୍ଡରେ ଦଣ୍ଡିତ କରିଥିଲେ ବ୍ରିଟିଶ। ସେମାନଙ୍କର ତାଲିକା ଆମ ପାଖରେ ଅଛି କି? ‘ଖୋର୍ଦ୍ଧା’ ହେଉଛି ଭାରତର ଶେଷ ସ୍ବାଧୀନ ଦୁର୍ଗ ଏ କଥା ଦେଶରେ ସର୍ବସମ୍ମତ। କିନ୍ତୁ ଏହି ଗୌରବମୟ କଥାଟିକୁ ଆମେ ଆମ ପିଲାଙ୍କୁ ସ୍କୁଲର ଇତିହାସରେ ବହିରେ କାହିଁକି ପଢ଼ାଉନାହେଁ ? ବୋଧହୁଏ ସେଇଥିପାଇଁ ଏ ଜାତିଟାର ଅସ୍ମିତା ପିଢ଼ିକୁ ପିଢ଼ି କମିଯାଉଛି। କେବଳ ସେତିକି ନୁହେଁ ମୋଗଲମାନେ ମଧ୍ୟ ଓଡ଼ିଶାକୁ ସବାଶେଷରେ ଅକ୍ତିଆର କରିପାରିଥିଲେ। ସେହିପରି ଅନ୍ୟ ଅଞ୍ଚଳରେ ଯେମିତି ପ୍ରତ୍ୟକ୍ଷ ସୁଲତାନ ଶାସନ ଥିଲା ଓଡ଼ିଶାରେ ତାହା ହୋଇପାରି ନଥିଲା। କାରଣ ସେମାନେ ଜାଣିଥିଲେ ସ୍ବାଧୀନଚେତା ପାଇକମାନଙ୍କୁ ଶାସନ କରିବା କଷ୍ଟକର। ଆମେ କିନ୍ତୁ ସେହି ଅନାଲୋଚିତ ଦୃଷ୍ଟିଭଙ୍ଗୀ ଉପରେ ଆଦୌ ଧ୍ୟାନ ଦେଉ ନାହେଁ। ଭାରତର ସ୍ବାଧୀନତା ସଂଗ୍ରାମର ଅନ୍ୟତମ ଦୁର୍ଦ୍ଧର୍ଷ ନେତୃତ୍ୱ ନେତାଜୀ ସୁଭାଷ ବୋଷଙ୍କର ପ୍ରେରଣା ନିଶ୍ଚୟ ଭାବରେ ଏହି ପାଇକ ସଂଗ୍ରାମ ହୋଇଥିବ। ନ ହେଲେ କଟକ ଭଳି ଛୋଟିଆ ସହରରେ ଜନ୍ମ ହୋଇ କାହିଁ କେତେ ଦୂରରେ ଥିବା ଜାପାନ, ଜର୍ମାନୀର ସହାୟତାରେ ବ୍ରିଟିଶ ବିରୋଧରେ ସିଧାସଳଖ ଯୁଦ୍ଧ କରିବାର ସେ ଯେଉଁ ମାନସିକତା, ତାହା ଆସିବା କ’ଣ ଏତେ ସହଜ କି? ପାହାଡ଼ ପର୍ବତଘେରା ଶେରଗଡ଼ରେ ରାଜା ଅଦୈତ୍ୟ ସିଂହଦେଓ ୧୮୦୦ରେ ବ୍ରିଟିଶ ବିରୋଧରେ ଯୁଦ୍ଧ ଲଢୁଥିବା ବେଳେ ବ୍ରିଟିଶ ଗୁଳିରେ ସ୍ବାଧୀନତା ସଂଗ୍ରାମରେ ଓଡ଼ଶାର ପ୍ରଥମ ଶହୀଦ ହୋଇଥିଲେ। ଆଜି ତାଙ୍କର ଗୋଟିଏ ପ୍ରତିମୂର୍ତ୍ତିି ରାଜଧାନୀରେ ଅଛି କି?
ପାଇକ କହିଲେ କୌଣସି ନିର୍ଦ୍ଧିଷ୍ଟ ଜାତିର ଲୋକ ନୁହନ୍ତି। ବ୍ରିଟିଶ ବିରୋଧରେ ହୋଇଥିବା ପାଇକ ସଂଗ୍ରାମରେ ସବୁ ଜାତିର, ସବୁ ବର୍ଗର ଲୋକେ ଭାଗ ନେଇଥିଲେ। ପାଇକମାନଙ୍କର ଏହି ସଶସ୍ତ୍ର ଆନ୍ଦୋଳନରେ ସାଧାରଣ କୃଷକ, ଲୁଣ ମାରୁଥିବା ମଲାଙ୍ଗୀ, ଜମି ହରାଇଥିବା ଜମିଦାର, ମନ୍ଦିରର ପୂଜକ, କନ୍ଧ, ଭୁୟାଁ, ହରିଜନ, ଆଦିବାସୀ ସମସ୍ତେ ସାମିଲ ହୋଇଥିଲେ। ଏଥିରେ କେବଳ ଓଡ଼ିଆମାନେ ସାମିଲ ନ ଥିଲେ ବରଂ ତେଲୁଗୁମାନେ ବି ସାମିଲ ଥିଲେ। ଏଥିରେ କେବଳ ହିନ୍ଦୁମାନେ ଲଢ଼ି ନ ଥିଲେ ବରଂ ସେମାନଙ୍କ ସହିତ କେରଙ୍ଗ, ତାପଙ୍ଗ, କାଇପଦର, ମାଣିତିରି ଭଳି ଅଞ୍ଚଳର ମୁସଲମାନମାନେ ମଧ୍ୟ ଯୁଦ୍ଧରେ ସାମିଲ ଥିଲେ। ହେଲେ ଚତୁର ବ୍ରିଟିଶମାନେ ପାଇକମାନଙ୍କର ସଂଗ୍ରାମକୁ କେବଳ କିଛି ନିର୍ଦ୍ଧିଷ୍ଟ ବର୍ଗର ବୋଲି ଦେଖାଇବା ପାଇଁ ପ୍ରୟାସ କରିଲେ। ଇଂରେଜ ଐତିହାସିକମାନେ ବକ୍ସି ଜଗବନ୍ଧୁଙ୍କ ଭଳି ମହାନ ଯୋଦ୍ଧାଙ୍କୁ ଜଣେ ପେନସନ ଭୋଗୀ ଭାବରେ ଦେଖାଇଲେ। ସେମାନେ ଜାଣିଶୁଣି ଜୟୀ ରାଜଗୁରୁଙ୍କ ଲଢ଼େଇକୁ ଇତିହାସରେ ଲେଖିଲେ ନାହିଁ, କାରଣ ଜୟୀ ରାଜଗୁରୁଙ୍କୁ ସେମାନେ ଫାଶୀ ଦେଇଥିଲେ। ଜୟୀ ରାଜଗୁରୁଙ୍କୁ ଯେଉଁଭଳି ଭାବରେ ନିର୍ମମ ଭାବେ ହତ୍ୟା କରାଯାଇଥିଲା ତାହା ଔପନିବେଶକତାବାଦର କଳା ଇତିହାସରେ ବିଶ୍ୱର ଅନ୍ୟତମ ବର୍ବର କାଣ୍ଡ। ଆମେ ସେହି ବ୍ରିଟିଶର ବ୍ୟାଖ୍ୟାନର ପ୍ରଭାବ ରହିଯାଇ ରାଜଗୁରୁଙ୍କୁ ଟିକିଏ କମ୍‌ ଗୁରୁତ୍ୱ ଦେଲେ।
ପାଇକ ହେଉଛି ଏକ ଭାବନା। ଏକ ନିଆରା ଭାବପ୍ରବଣତା। ଓଡ଼ିଆ ଅସ୍ମିତା, ଓଡ଼ିଆ ବୀରତ୍ୱର ଏକ ଅଭିନବ ଧାରା। ଆମେ କ’ଣ ପାଇକମାନଙ୍କର ସେହି ପାରମ୍ପରିକ ସାମରିକ କୌଶଳକୁ ଆଧୁନିକ ବଜାରକୁ ନେଇପାରନ୍ତେ ନାହିଁ କି? ଚାଇନାର କରାଟେ ଆଜି ସାରା ବିଶ୍ୱରେ ପ୍ରସିଦ୍ଧ। ଚାଇନାର ସେହି କରାଟେଠାରୁ ପାଇକଆଖଡା ବେଶି ସମୃଦ୍ଧ, ବେଶି କୌଶଳଯୁକ୍ତ। ଆମେ କ’ଣ ପାଇକ କରିଡରର ଯୋଜନା କରିପାରନ୍ତେ ନାହିଁ, ଯେଉଁଥିରେ ଆମର ପିଲାମାନେ ଶାରୀରିକ ତାଲିମ ପାଆନ୍ତେ, ଯାହା ପରବର୍ତ୍ତୀ ସମୟରେ ଦେଶର ସୈନ୍ୟବାହିନୀରେ ଓଡ଼ିଶାର ପ୍ରତିନିଧିତ୍ୱକୁ ବଢାନ୍ତା। ବିଜୁ ବାବୁଙ୍କର ଦାବିଥିଲା ଏକ କଳିଙ୍ଗ ରେଜିମେଣ୍ଟର। ଯେମିତି ଶିଖ୍‌ ରେଜିମେଣ୍ଟ ହେଉଛି ପଞ୍ଜାବର ପରିଚୟ ସେମିତି କଳିଙ୍ଗ ରେଜିମେଣ୍ଟ ଭିତରେ ରହିପାରନ୍ତା ଓଡ଼ିଆମାନଙ୍କର ଅସ୍ମିତା।
ପାଇକ ସଂଗ୍ରାମକୁ ପ୍ରଥମ ସ୍ବାଧୀନତା ସଂଗ୍ରାମ ଘୋଷଣାରେ ଯେଉଁ କେତୋଟି ଘଟଣାବଳୀ ଆମର ପ୍ରତିବନ୍ଧକ ସେଥିରୁ ଭେଲୋର ସଂଗ୍ରାମ, ତାମିଲନାଡୁରେ ୧୮୦୨ରେ ହୋଇଥିବା ଥୁଥୁକୋଡି ଲଢ଼େଇ ହେଉଛି ପ୍ରମୁଖ। ହେଲେ ସେହି ଦୁଇଟି ଯାକ ଲଢେଇ ପାଇକ ସଂଗ୍ରାମ ତୁଳନାରେ କ୍ଷୁଦ୍ର ଓ ସାଧାରଣ ଜନତାଙ୍କର ଲଢେଇ ନ ଥିଲା। ଭେଲୋର ସଂଗ୍ରାମର ଅବଧି ମାତ୍ର ଗୋଟିଏ ଦିନର। ତେଣୁ ପାଇକ ସଂଗ୍ରାମ ହିଁ ହେଉଛି ଦେଶର ପ୍ରଥମ ସ୍ବାଧୀନତା ସଂଗ୍ରାମ ଏହା ଦିନେ ନା ଦିନେ ଦେଶ ସ୍ବୀକାର କରିବ। ଦେଶମାତୃକାର ସୁରକ୍ଷା ପାଇଁ ପାଇକମାନଙ୍କର ତ୍ୟାଗ, ତିତୀକ୍ଷା, ବିରତ୍ୱକୁ ଏ ଦେଶ କେବେବି ଭୁଲି ପାରିବ ନାହିଁ। ସତ କେବେ ଲୁଚି ରହି ନାହିଁ କି ସତକୁ ଯେତେ ଦବାଇଲେ ବି ଲୋକମାନେ ସବୁବେଳେ ସତକୁ ହିଁ ବିଶ୍ୱାସ କରନ୍ତି। ଉଦାହରଣ ସ୍ବରୂପ ନେତାଜୀ ସୁଭାଷ ବୋଷଙ୍କର ମୃତ୍ୟୁ ବିମାନ ଦୁର୍ଘଟଣାରେ ହୋଇଛି ବୋଲି ବ୍ରିଟେନ ସରକାର ଘୋଷଣା କରିଲେ। ପରେ ଭାରତ ସରକାର ବି ଏହାକୁ ସ୍ବୀକାର କରିଲେ। ହେଲେ ଲୋକମାନେ ଏହାକୁ ବିଶ୍ୱାସ କରୁଛନ୍ତିକି? ଆଜିବି ଲୋକଙ୍କର ବିଶ୍ୱାସ ଯେ ନେତାଜୀଙ୍କର ମୃତ୍ୟୁ ସେହି ବିମାନ ଦୁର୍ଘଟଣାରେ ହୋଇ ନ ଥିଲା ବୋଲି। ତେଣୁ ସବୁ ପ୍ରସଙ୍ଗରେ ମାନ୍ୟତା, ସରକାରଙ୍କ ସ୍ବୀକାରୋକ୍ତି ପୂର୍ବରୁ ଆମେ ଆମର ଦାବିକୁ ଠିକ ଢଙ୍ଗରେ ଉପସ୍ଥାପିତ କରିବା ବହୁତ ପ୍ରାସଙ୍ଗିକ। ବୋଧହୁଏ ସେହିଥିରେ ଆମେ ପଛରେ ପଡ଼ିଯାଉଛେ। ରସଗୋଲାକୁ ନେଇ ଯେତେବେଳେ ଓଡ଼ିଶା-ବଙ୍ଗ ଟଣାଓଟରା ଚାଲିଲା ସେତେବେଳେ ବଙ୍ଗଳା ଭାଷାରେ ଏକ ସୁପର ହିଟ୍‌ ଚଳଚ୍ଚିତ୍ର ବଙ୍ଗଳାରେ ମୁକ୍ତିଲାଭ କରିଲା ରସଗୋଲାର ଉଦ୍ଭାବନକୁ ନେଇ। ଆଉ ସେମାନେ ନେଇଗଲେ ଭୌଗୋଳିକ ମାନ୍ୟତା। ଅବଶ୍ୟ ଆମେ ପରେ ଓଡ଼ିଆ ରସଗୋଲାକୁ ନେଇ ପାଇଲେ, କିନ୍ତୁ କେଉଁଠି ନା କେଉଁଠି ଆମେ ପଛରେ ରହିଗଲେ। ମହାନଦୀ, କୋଟିଆ, ପୋଲାଭରମ ଆଦି ପ୍ରସଙ୍ଗରେ ଆମେ ଆମର ଅଧିକାର ହରାଉଛେ ଏହାର କାରଣ ହେଉଛି ଆମେ ସବୁବେଳେ ସ୍ବଳ୍ପକାଳୀନ ରାଜନୈତିକ ଉନ୍ମାଦନାରେ ବାନ୍ଧିହୋଇ ରହିବା ପାଇଁ ଚାହୁଁଛେ। ଆମେ ଲମ୍ବା ଓ ପ୍ରଭାବୀଶୈଳୀରେ ଆମର ଦାବିକୁ ଆଗେଇ ନେଇପାରୁନେ।
ହରିରାଜପୁର, ପୁରୀ
ମୋ- ୮୨୪୯୮୬୮୯୬୧


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତରେ ଏବେ ଅନେକ ସହରରେ ବାୟୁ ପ୍ରଦୂଷଣ ଅସହ୍ୟ ହୋଇପଡ଼ିଛି। ବିଶେଷକରି ଦିଲ୍ଲୀରେ ବାହାରକୁ ବାହାରିବା ବିପଜ୍ଜନକ ହୋଇଯାଇଛି। ସ୍କୁଲ ବନ୍ଦ କରିବାକୁ ପଡ଼ୁଛି। ଏବେ...

ବ୍ୟାଙ୍କିଙ୍ଗ୍‌ରେ ସାଇବର ସୁରକ୍ଷା

ବର୍ତ୍ତମାନ ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରରେ ସାଇବର ସୁରକ୍ଷାର ଆବଶ୍ୟକତା ବହୁତ ବେଶି। କାରଣ ଲୋକମାନେ ସମୟ ଅଭାବରୁ ଅନ୍‌ଲାଇନ ମାଧ୍ୟମରେ ବ୍ୟାଙ୍କ କାରବାର କରୁଛନ୍ତି। ଆଉ ସାଇବର...

ନିଜର ଦୂରଦୃଷ୍ଟି ଓ ସଂକଳ୍ପ ବଳରେ ଭାରତକୁ ଗଢ଼ିଥିବା ରାଷ୍ଟ୍ରନେତା ଅଟଳଜୀଙ୍କୁ ଶ୍ରଦ୍ଧାଞ୍ଜଳି

ଆଜି ୨୫ ଡିସେମ୍ବର, ଆମ ସମସ୍ତଙ୍କ ପାଇଁ ଏକ ବିଶେଷ ଦିନ। ଆମ ଦେଶ ଆମର ପ୍ରିୟ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ...

ବୃଦ୍ଧାବସ୍ଥାର ଅନୁଚିନ୍ତା

ଆମ ସମାଜରେ ଦେଖିବାକୁ ମିଳୁଛି ବୃଦ୍ଧାବସ୍ଥାର ଅସହାୟତା। ବୃଦ୍ଧାବସ୍ଥାରେ ସନ୍ତାନମାନେ ହିଁ ଏକମାତ୍ର ଭରସା। ଯେତେ ବୃଦ୍ଧାଶ୍ରମ କି ଆଶ୍ରମ ହେଉ ତାହା କେବେ ବି...

ଜଳ ଆସିଲା କେଉଁଠୁ

ପୃଥିବୀକୁ ‘ଜଳଗ୍ରହ’ ବୋଲି କୁହାଯାଏ। କାରଣ ସୌରଜଗତ ଏବଂ ଅଦ୍ୟାବଧି ଏହା ବାହାରେ ଆବିଷ୍କୃତ ଶତାଧିକ ଗ୍ରହମାନଙ୍କ ମଧ୍ୟରେ ଏକମାତ୍ର ଏଥିରେ ହିଁ ରହିଛି ପ୍ରଚୁର...

ପତ୍ରେ ପତ୍ରେ ଠକ

ବର୍ତ୍ତମାନ ସମୟରେ ଡିଜିଟାଲ ଆରେଷ୍ଟ ଏକ ଭୟଙ୍କର ଅନ୍‌ଲାଇନ ଅପରାଧ ଭାବେ ଉଭା ହେଲାଣି। ଏଥିରେ ଠକମାନେ ନିଜକୁ ପୋଲିସ, ସିବିଆଇ, ଆର୍‌ବିଆଇ କିମ୍ବା ନାର୍କୋଟିକ୍ସ...

ଏଇ ଭାରତରେ

କେଶ କାଟିବାକୁ ହେଲେ ସେଲୁନ୍‌ ଯିବାକୁ ପଡେ। ହେଲେ ସେଲୁନ୍‌ କେବେ ଲୋକଙ୍କ ପାଖକୁ ଆସିବା ଦେଖିଛନ୍ତି! ଅଜବ କଥା ଭଳି ଲାଗୁଥିଲେ ବି ଏମିତି...

ରୋବୋ ଯୁଦ୍ଧ

ଣସି ଯୁଦ୍ଧ ପାଇଁ ସୈନିକ ଏବଂ ଅସ୍ତ୍ରଶସ୍ତ୍ର ହେଉଛି ଅତି ଗୁରୁତ୍ୱପୂର୍ଣ୍ଣ। ପ୍ରାଚୀନ କାଳରେ ଖଣ୍ଡା, ତରବାରି ସାହାଯ୍ୟରେ ଯୁଦ୍ଧ ହେଉଥିଲା। ଏହା ଥିଲା ପ୍ରତ୍ୟକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri