Categories: ଜାତୀୟ

ଅନିୟନ୍ତ୍ରିତ ଲିଙ୍ଗ ପରିବର୍ତ୍ତନ ଅସ୍ତ୍ରୋପଚାର ବିରୋଧରେ ପିଆଇଏଲ୍‌

ନୂଆଦିଲ୍ଲୀ,୯ା୪: ଉଭୟ ପୁରୁଷ ଓ ମହିଳାର ମିଶ୍ରିତ ଜୈବିକ ଲକ୍ଷଣ ନେଇ ଜନ୍ମିତ ପିଲା ଅନିୟନ୍ତ୍ରିତ ଲିଙ୍ଗ ପରିବର୍ତ୍ତନ ଅସ୍ତ୍ରୋପଚାର କରାଉଥିବା ବେଳେ ସେମାନଙ୍କ ସ୍ବାର୍ଥର ସୁରକ୍ଷା ପାଇଁ ନିର୍ଦ୍ଦେଶ ଦେବାକୁ ସୁପ୍ରିମକୋର୍ଟରେ ଜନସ୍ବାର୍ଥ ମାମଲା (ପିଆଇଏଲ୍‌) ଦାଏର ହୋଇଥିଲା। ସର୍ବୋଚ୍ଚ ଅଦାଲତ ସୋମବାର ଏନେଇ କେନ୍ଦ୍ର ସରକାର ଏବଂ କେନ୍ଦ୍ରୀୟ ପୋଷ୍ୟ ସମ୍ବଳ କର୍ତ୍ତୃପକ୍ଷ (ସିଏଆର୍‌ଏ)କୁ ଜବାବ ମାଗିଛନ୍ତି। ଅନିୟନ୍ତ୍ରିତ ଅସ୍ତ୍ରୋପଚାର କରୁଥିବା ପିଲାମାନଙ୍କ ଜୀବନ ପ୍ରତି ବିପଦ ରହିଥିବା ଆବେଦନକାରୀ ମଦୁରାଇର ଗୋପୀ ଶଙ୍କର ଏମ୍‌ଙ୍କ ତରଫରୁ ଆଇନଜୀବୀ ଯୁକ୍ତି ଦର୍ଶାଇଥିଲେ। ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ୍‌ ଜେ.ବି. ପର୍‌ଡିଓ୍ବାଲା ଏବଂ ମନୋଜ ମିଶ୍ରାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହାକୁ ନୋଟ୍‌ କରିବା ସହ କେନ୍ଦ୍ର ଏବଂ ସିଏଆର୍‌ଏକୁ ନୋଟିସ ଜାରି କରିଛନ୍ତି। ଶୁଣାଣିରେ ସହଯୋଗ କରିବାକୁ ଖଣ୍ଡପୀଠ ଅତିରିକ୍ତ ସଲିସିଟର ଜେନେରାଲଙ୍କୁ କହିଛନ୍ତି। ପିଆଇଏଲ୍‌ରେ ସ୍ବରାଷ୍ଟ୍ର, ସାମାଜିକ ନ୍ୟାୟ ଓ ସଶକ୍ତୀକରଣ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ଆଇନ ଓ ନ୍ୟାୟ, ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ, ଭାରତର ଜନସଂଖ୍ୟା ଆୟୋଗର ରେଜିଷ୍ଟ୍ରାର ଜେନେରାଲ ଏବଂ ସିଏଆର୍‌ଏକୁ ପକ୍ଷଭୁକ୍ତ କରାଯାଇଛି।

Share