ପିଲାସାଲୁଙ୍କି କେନାଲ ଜାମ୍‌, ନଦୀ ନାଳକୁ ବୋହିଯାଉଛି ପାଣି

ଖଜୁରୀପଡ଼ା,୧୪ା୮(ବିଦୁର ବେହେରା) : ଖଜୁରୀପଡ଼ା ବ୍ଲକରେ ପିଲାସାଲୁଙ୍କି ଜଳ ଭଣ୍ଡାର ବହୁ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଛି। ଏହି ଜଳ ଭଣ୍ଡାରରୁ ଦୁଇଟି ପ୍ରମୁଖ କେନାଲ ମାଧ୍ୟମରେ ଚାଷୀର ଚାଷ ଜମିକୁ ପାଣି ଯୋଗାଇ ଦିଆଗଲେ ରବି ଏବଂ ଖରିଫ ଋତୁରେ ଫସଲ ଉତ୍ପାଦନ ହୁଏ। କେନାଲ ଗୁଡ଼ିକର ରକ୍ଷଣାବେକ୍ଷଣ ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଉଛି। କିନ୍ତୁ ଶ୍ରାବଣ ମାସରେ ଚାଷୀ ଚାଷ କରିବା ବେଳକୁ କେନାଲରେ ପାଣି ସମସ୍ୟା ହେଉଛି। ଦୂତିପଡା ଠାରେ କେନାଲ ଜାମ ହୋଇଯିବା ଦ୍ୱାରା ପାଣି କେନାଲରେ ନ ଯାଇ ନଦୀ ନାଳରେ ବୋହି ଯାଉଛି। ତେଣୁ କେନାଲ ଶେଷ ମୁଣ୍ଡରେ ଥିବା ଗୁଦାରି, ବେଡାଙ୍ଗପାଜୁ, ପାତ୍ରପଡା ଗାଁର ଚାଷୀମାନେ ଜଳ କର ଦେଇ ମଧ୍ୟ ଚାଷ ସମୟରେ ପାଣି ପାଇବାରୁ ବଞ୍ଚିତ ହେଉଛନ୍ତି ବୋଲି ଚାଷୀ ବରୁଣ କହଁର, ଭବାନନ୍ଦ କହଁର, ପଦ୍ମନାଭ କହଁର ପ୍ରମୁଖ ଅଭିଯୋଗ କରିଛନ୍ତି। ଗ୍ରୀଷ୍ମ ଋତୁରେ କେନାଲ ସଠିକ୍‌ ଭାବେ ମରାମତି ନ କରାଯାଇ ଧର୍ମକୁ ଆଖି ଠାର ଭଳି ମରାମତି କରିଦେଉଛନ୍ତି। ଫଳରେ ଚାଷ ସମୟରେ ଚାଷୀ ପାଣି ପାଇବାରୁ ବଞ୍ଚିତ ହେଉଛନ୍ତି। ଏହି ସମସ୍ୟା ନେଇ ବିଭାଗୀୟ ଅଧିକାରୀ କିମ୍ବା ଯନ୍ତ୍ରୀକୁ କହିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ ବୋଲି କହିଛନ୍ତି। ଏ ନେଇ ବିଭାଗୀୟ ଯନ୍ତ୍ରୀ ହୃଷିକେଶ ଦାସଙ୍କୁ ପଚାରିବାରୁ ସେ ଏହି ସମସ୍ୟା ଉପରେ ଅବଗତ ଅଛନ୍ତି ଏବଂ ଜାମ ହୋଇଥିବା ପୋଲ୍‌ରେ ମରାମତି କାର୍ଯ୍ୟ କରାଯାଉଥିବା କହିଛନ୍ତି।

Share