ବିମାନର ବାଥରୁମରେ ଖସିପଡି ପାଇଲଟଙ୍କ ମୃତ୍ୟୁ, ପନାମା ବିମାନବନ୍ଦରରେ ଜରୁରୀ ଅବତରଣ କରାଇଲେ ସହ-ପାଇଲଟ

ପନାମା,୧୭।୮: ମିୟାମି-ଚିଲି ଅଭିମୁଖେ ଯାଉଥିବା ବିମାନର ପାଇଲଟ ବାଥରୁମରେ ଖସିପଡି ମୃତ୍ୟୁବରଣ କରିଛନ୍ତି। ଏହି ଘଟଣା ପରେ ମଙ୍ଗଳବାର ରାତିରେ ସହ-ପାଇଲଟ ଦ୍ୱାରା ବିମାନକୁ ପନାମାରେ ଜରୁରୀ ଅବତରଣ କରାଯାଇଥିଲା। ସୂଚନାନୁସାରେ, ହୃତ୍‌ଘାତ ହେତୁ ପାଇଲଟଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।

ମୃତ ପାଇଲଟଙ୍କୁ କ୍ୟାପଟେନ ଇବାନ ଅଣ୍ଡୋର ବୋଲି ଜଣାପଡିଛି, ଯିଏ ଲାଟାମ ଏୟାରଲାଇନ୍ସର ବିମାନ ଉଡ଼ାଣ ଭରିବାର ତିନି ଘଣ୍ଟା ପୂର୍ବରୁ ନିଜକୁ ଅସୁସ୍ଥ ଅନୁଭବ କରୁଥିଲେ। ତେବେ ଘଟଣା ପରେ ବିମାନରେ ଉପସ୍ଥିତ ଥିବା କର୍ମଚାରୀମାନେ ତାଙ୍କୁ ଜରୁରୀକାଳୀନ ଚିକିତ୍ସା ଦେବାକୁ ଚେଷ୍ଟା କରିଥିଲେ ମଧ୍ୟ ସେମାନେ ତାଙ୍କୁ ବଞ୍ଚାଇ ପାରିନଥିଲେ।

ବିମାନଟି ପନାମା ସିଟିର ଟୋକ୍ୟୁମେନ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିବା ମାତ୍ରେ ସେଠାରେ ଉପସ୍ଥିତ ଥିବା ଡାକ୍ତରୀ ବିଶେଷଜ୍ଞମାନେ ତାଙ୍କୁ ଚିକିତ୍ସା କରିବାକୁ ଆସିଥିଲେ, କିନ୍ତୁ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା। ପାଇଲଟ ଅଣ୍ଡୋରଙ୍କର ୨୫ ବର୍ଷର ଅଭିଜ୍ଞତା ଥିଲା ।

Share