Categories: ଜାତୀୟ

ଅଲୋଡ଼ା ପାଇଲଟ୍‌: ଅପରେଶନ୍‌ ଲୋଟସ୍‌-୨ରୁ ଦୂରରେ !

ଜୟପୁର, ୨୦।୯: ରାଜସ୍ଥାନରେ କଂଗ୍ରେସ ସରକାର ପାଇଁ ପୁଣି ସମସ୍ୟା ସୃଷ୍ଟି କରିବା ଲାଗି ଭାଜପା ପୁଣି ଅଣ୍ଟା ଭିଡ଼ିବା ଆରମ୍ଭ କରିଛି। ଏଥିରେ ଭାଜପା ହାଇକମାଣ୍ଡ ବସୁନ୍ଧରା ରାଜେ ସିନ୍ଧିଆଙ୍କୁ ଫ୍ରି ହ୍ୟାଣ୍ଡ୍‌ ଦେଇଛନ୍ତି। ଏବେ ବସୁନ୍ଧରାଙ୍କ ନେତୃତ୍ୱରେ ରାଜସ୍ଥାନରେ ଅପରେଶନ୍‌ ଲୋଟସ୍‌ ପାର୍ଟ-୨ ପାଇଁ ଭାଜପା ସଜବାଜ ହେବାକୁ ଆରମ୍ଭ କରିଛି। ଏନେଇ ବସୁନ୍ଧରା ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ସହିତ ସାକ୍ଷାତ୍‌ ମଧ୍ୟ କରି ସାରିଛନ୍ତି। ବିଗତ ଦିନରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥିବା ସଚିନ ପାଇଲଟ୍‌ଙ୍କ ସହିତ କୌଣସି ଯୋଗାଯୋଗ ନେଇ ବସୁନ୍ଧରା ବାରଣ କରିଛନ୍ତି। ବସୁନ୍ଧରାଙ୍କ ଶିବିରର ସଦସ୍ୟଙ୍କୁ ଏନେଇ ସତର୍କ ସୂଚନା ମଧ୍ୟ ଜାରି ହୋଇଥିବା କୁହାଯାଉଛି। ରାଜ୍ୟରେ ଦଳରେ ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଆଣିବାକୁ ବସୁନ୍ଧରା ଚାହୁଁଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ସୁସ୍ଥ ହେଲେ ଅପରେଶନ୍‌ ଲୋଟସ୍‌-୨ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି। ସୂଚନାଯୋଗ୍ୟ, ପୂର୍ବରୁ ପାଇଲଟ୍‌ଙ୍କୁ ନେଇ ନଡ୍ଡା, ରାଜନାଥ ସିଂ ଏବଂ ନୀତିନ ଗଡ଼କରୀଙ୍କ ସମର୍ଥନକୁ ବସୁନ୍ଧରା ବିରୋଧ କରିଥିଲେ। ଏବେ ମଧ୍ୟ ଅପରେଶନ୍‌ ଲୋଟସ୍‌-୨ରେ ସଚିନ୍‌ଙ୍କ ଶିବିରର ସଦସ୍ୟଙ୍କ ଉପସ୍ଥିତି ନେଇ ବସୁନ୍ଧରା ନିଜ ନିଷ୍ପତ୍ତିରେ ଅଟଳ ରହିଛନ୍ତି।

Share