Categories: ଜାତୀୟ

ପାଇଲଟ ଖୁସି: କହିଲେ କଂଗ୍ରେସ ଏବେ ଏକଜୁଟ…

ଜୟପୁର,୨୧।୧୧: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ କ୍ୟାବିନେଟରେ ବହୁ ପ୍ରତୀକ୍ଷିତ ଅଦଳବଦଳ ହେବ। ଏହା ଅନ୍ତର୍ଗତ ୧୫ ଜଣ ବିଧାୟକ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। ରବିବାର ଅପରାହ୍ନ ୪ଟାରେ ଏହି ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ । ଯେଉଁଥିରେ ୧୧ ଜଣ ବିଧାୟକ କ୍ୟାବିନେଟ ମନ୍ତ୍ରୀ ଏବଂ ଚାରିଜଣ ରାଜ୍ୟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। ଏଥି ସହିତ ଅଦଳବଦଳ ପୂର୍ବରୁ କଂଗ୍ରେସ ନେତା ସଚିନ ପାଇଲଟ ସମସ୍ତ ପ୍ରକାର କଳ୍ପନା ଜଳ୍ପନାର ଅନ୍ତ ଘଟାଇ କହିଛନ୍ତି, କଂଗ୍ରେସରେ କୌଣସି ଗୋଷ୍ଠୀ ନାହିଁ।

ଏହି ସମୟରେ ସେ କହିଛନ୍ତି ଯେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ନିର୍ଦ୍ଦେଶକୁ କଂଗ୍ରେସ ଦଳ ପାଳନ କରୁଛି। କ୍ୟାବିନେଟରେ ଅଦଳ ବଦଳ ସମ୍ପର୍କରେ ସେ କହିଛନ୍ତି ଯେ ଗଭୀର ଚିନ୍ତା ପରେ ଦଳ ଗ୍ରହଣ କରିଥିବା ଭଲ ପଦକ୍ଷେପ ଯୋଗୁ ରାଜ୍ୟବାସୀଙ୍କ ନିକଟରେ ସକାରାତ୍ମକ ବାର୍ତ୍ତା ପହଞ୍ଚିପାରିବ॥

ସଚିନ ପାଇଲଟଙ୍କ ଦଳଗୋଷ୍ଠୀର ପାଞ୍ଚଜଣ ବିଧାୟକ ମନ୍ତ୍ରୀ ହେବେ ବୋଲି ପ୍ରକାଶିତ ଖବର ନେଇ ସେ କହିଛନ୍ତି ଯେ, କିଏ ଏଭଳି ପ୍ରସଙ୍ଗ ଉଠାଇଛନ୍ତି ତାହା ଜଣାନାହିଁ। କଂଗ୍ରେସରେ ଗୋଷ୍ଠୀବାଦୀ ରାଜନୀତି ନାହିଁ। କଂଗ୍ରେସ ସମ୍ପୂଣ୍ଣ ଏକଜୁଟ ବୋଲି ସଚିନ କହିଛନ୍ତି। ଦଳ ନେଇଥିବା ପଦକ୍ଷେପ ଏକ ଭଲ ବାର୍ତ୍ତା ପଠାଇଛି। ସେ କହିଛନ୍ତି ଯେ ଦଳିତ ଏବଂ ଆଦିବାସୀଙ୍କୁ ପର୍ଯ୍ୟାପ୍ତ ପ୍ରତିନିଧିତ୍ୱ ଦିଆଯାଇଛି। ଚାରିଜଣ ଦଳୀୟ ମନ୍ତ୍ରୀ ନୂତନ କ୍ୟାବିନେଟରେ ଯୋଗ ଦେଇଛନ୍ତି, ଏହା ଜନସାଧାରଣଙ୍କୁ ଏକ ଭଲ ବାର୍ତ୍ତା ପଠାଇବ।

ସେ କହିଛନ୍ତି ଯେ ଆଜି ଆମ ସମସ୍ତଙ୍କୁ ଏକାଠି କାମ କରିବାକୁ ପଡିବ ଏବଂ ଭାଜପାର କୁକର୍ମର ପର୍ଦ୍ଦାଫାଶ୍‌ କରିବାକୁ ପଡିବ। ସେ କହିଛନ୍ତି ଯେ ରାଜସ୍ଥାନ କ୍ୟାବିନେଟକୁ ଏକ ନୂଆ ରୂପ ଦିଆଯାଇଛି। ରାଜ୍ୟ କ୍ୟାବିନେଟରେ କଂଗ୍ରେସ ମହିଳାଙ୍କ ସଂଖ୍ୟା ବୃଦ୍ଧି କରିଛି। ଏହା ଆଞ୍ଚଳିକ ତଥା ସାମାଜିକ ସନ୍ତୁଳନ ବଜାୟ ରଖିବାରେ ଲାଭଦାୟକ ହେବ।

Share