୪ ଜିଲାରେ ପାଇଲଟ୍‌ ପ୍ରକଳ୍ପ

ଭୁବନେଶ୍ୱର,୩।୮(ବ୍ୟୁରୋ): କୃଷକଙ୍କ ଆୟ ବହୁଗୁଣିତ କରିବା ନିମନ୍ତେ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପକ୍ଷରୁ ‘ବୃହତ୍‌ ଉଠାଜଳସେଚନ ପ୍ରକଳ୍ପରେ ଫସଲ ବିବିଧୀକରଣ’ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ସୋମବାର କୃଷିଭବନଠାରେ ବିଭାଗୀୟ ମନ୍ତ୍ରୀ ଅରୁଣ କୁମାର ସାହୁ ଏହାର ଉଦ୍‌ଘାଟନ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର କଳାହାଣ୍ଡି, ମାଲକାନଗିରି, ନବରଙ୍ଗପୁର ଓ କୋରାପୁଟ ଆଦି ୪ ଜିଲାରେ ପାଇଲଟ ପ୍ରକଳ୍ପ ଭାବେ ଏହା କାର୍ଯ୍ୟକାରୀ ହେବ। ମୋଟ ୭ ବ୍ଲକ୍‌ର ୨୭ ଗ୍ରାମ ପଞ୍ଚାୟତର ୧୦୧ ଗ୍ରାମର ୧୬ହଜାର ଚାଷୀ ଉପକୃତ ହେବେ। ୧୮ଟି ବୃହତ୍‌ ଉଠାଜଳସେଚନ ପ୍ରକଳ୍ପ ଅନ୍ତର୍ଗତ ୧୨,୨୦୭ ହେକ୍ଟର ଜମିରୁ ୩,୩୪୩ ହେକ୍ଟର ଡାଲିଜାତୀୟ ଫସଲ, ୩,୭୪୫ ହେକ୍ଟର କପା ଫସଲ, ୯୨୮ ହେକ୍ଟର ତୈଳବୀଜ, ୨,୪୫୧ ହେକ୍ଟର ମକା, ୧,୩୨୨ ହେକ୍ଟର ମାଣ୍ଡିଆ ଏବଂ ୪୧୮ ହେକ୍ଟର ପନିପରିବା ଚାଷ କରିବା ପାଇଁ ଯୋଜନା ରହିଛି। ଏଥିପାଇଁ ୧୬.୭୩ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଏହି ଯୋଜନାରେ ଫସଲର ବିବିଧୀକରଣ କରି ଅଣଧାନ ଚାଷ କରୁଥିବା ସମସ୍ତ ଚାଷୀଙ୍କୁ ୩ ବର୍ଷ ପାଇଁ ଡିବିଟି ମାଧ୍ୟମରେ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ। ଜୈବିକ କୃଷି ସାମଗ୍ରୀ ଉତ୍ପାଦନ, ଅମଳ ପରବର୍ତ୍ତୀ କାର୍ଯ୍ୟ, ପ୍ରାଥମିକ ପ୍ରକ୍ରିୟାକରଣ, ମୂଲ୍ୟଯୁକ୍ତ ଦ୍ରବ୍ୟ ପ୍ରସ୍ତୁତ ଏବଂ ବିପଣନ କାର୍ଯ୍ୟ ପାଇଁ ୩୬ଟି ଗୋଷ୍ଠୀଭିତ୍ତିକ ସଙ୍ଗଠନକୁ ପ୍ରୋତ୍ସାହିତ କରାଯିବ। ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ମାଧ୍ୟମରେ କୃଷକଙ୍କୁ ତାଲିମ ଦିଆଯିବ। ଏହି ଯୋଜନାରେ ଅଣଧାନ ଫସଲ ଚାଷ, ମୃତ୍ତିକା ସ୍ବାସ୍ଥ୍ୟ ସଂରକ୍ଷଣ, ପୁଷ୍ଟି ବିବିଧୀକରଣ ଓ ଜଳ ବିନିଯୋଗ ଦକ୍ଷତା ବୃଦ୍ଧି ଆଦିର ଉପକାରିତା ସମ୍ବନ୍ଧରେ ବ୍ୟାପକ ଜନସଚେତନତାର ବ୍ୟବସ୍ଥା କରାଯାଇଛି।
ଏହି ଅବସରରେ ମନ୍ତ୍ରୀ ସାହୁ ଡିବିଟି ମାଧ୍ୟମରେ ଚାଷୀଙ୍କୁ ରିହାତି ପ୍ରଦାନ ନିମନ୍ତେ ‘ଡିବିଟି ଇନ୍‌ପୁଟ୍‌ ଓଡ଼ିଶା ପୋର୍ଟାଲ୍‌’ର ଶୁଭାରମ୍ଭ କରିଥିଲେ। ସେ କହିଲେ, ଚଳିତ ୨୦୨୧-୨୨ ବର୍ଷରେ ଚାଷୀଙ୍କୁ ବିଭିନ୍ନ ପ୍ରକାର କୃଷି ଉପାଦାନ ଯଥା ଅଣୁସାର, ଜୀବାଣୁସାର, କୀଟନାଶକ ଆଦିର କ୍ରୟ ପାଇଁ ଦିଆଯାଉଥିବା ରିହାତିକୁ ଡିବିଟି ମାଧ୍ୟମରେ ଚାଷୀଙ୍କ ବ୍ୟାଙ୍କ ଜମାଖାତାରେ ସିଧାସଳଖ ପ୍ରଦାନ କରାଯିବ। ଚାଷୀମାନେ ସରକାରୀ ଲାଇସେନ୍ସପ୍ରାପ୍ତ ବିକ୍ରେତାଙ୍କଠାରୁ କୃଷି ଉପାଦାନ କ୍ରୟ କରିପାରିବେ। ‘ମୋ ସରକାର’ କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ଏହି ବ୍ୟବସ୍ଥାକୁ ମୋବାଇଲ୍‌ ଆପ୍‌ ଓ ୱେବ୍‌ ପୋର୍ଟାଲ ମାଧ୍ୟମରେ କାର୍ଯ୍ୟକାରୀ କରାଯିବ। ଏହାଦ୍ୱାରା କୃଷକ କଲ୍ୟାଣକାରୀ ଯୋଜନାରେ ସ୍ବଚ୍ଛତା ଓ ଉତ୍ତରଦାୟିତ୍ୱ ରହିବ ବୋଲି ମନ୍ତ୍ରୀ ଆଶା ପ୍ରକଟ କରିଛନ୍ତି। କାର୍ଯ୍ୟକ୍ରମରେ କୃଷି ଉତ୍ପାଦନ କମିଶନର ରାଜକୁମାର ଶର୍ମା, ଜଳସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ, କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ଶାସନ ସଚିବ ସୁରେଶ କୁମାର ବଶିଷ୍ଠ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ଶାସନ ସଚିବ ଆର୍‌. ରଘୁପ୍ରସାଦ, ଓୟୁଏଟି କୁଳପତି ପବନ କୁମାର ଅଗ୍ରୱାଲ, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଏମ୍‌. ମୁଥୁକୁମାର, ଉଦ୍ୟାନକୃଷି ନିର୍ଦ୍ଦେଶକ ରୋହିତ କୁମାର ଲେଙ୍କା, ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ ନିର୍ଦ୍ଦେଶକ ହେମନ୍ତ କୁମାର ପଣ୍ଡା ଉପସ୍ଥିତ ଥିଲେ। ବିଭିନ୍ନ ଜିଲାର କୃଷି ଅଧିକାରୀ ଓ ଚାଷୀମାନେ ଭର୍ଚୁଆଲରେ ଯୋଗଦେଇଥିଲେ।

Share