Categories: ଜାତୀୟ

‘ପାଇଲଟଙ୍କ ତ୍ରୁଟିରୁ ହୋଇଥିଲା ଦୁର୍ଘଟଣା’

ମୁମ୍ବାଇ, ୧୩।୯: ପାଇଲଟଙ୍କ ତ୍ରୁଟି ଏବଂ ସମ୍ଭବତଃ ସୁରକ୍ଷା ଗାଇଡ୍‌ଲାଇନ ଅନୁପାଳନ କରିବାରେ ବିଫଳତାରୁ ଗତବର୍ଷ ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ୨୧ ଜଣ ପ୍ରାଣ ହରାଇଥିଲେ। ୧୦ ବର୍ଷ ମଧ୍ୟରେ ଏହା ଭାରତରେ ସବୁଠୁ ମର୍ମନ୍ତୁଦ ଦୁର୍ଘଟଣା ଥିଲା ବୋଲି ତଦନ୍ତ ରିପୋର୍ଟରେ କୁହାଯାଇଛି। କରୋନା ମହାମାରୀ ଯୋଗୁ ଦୁବାଇରେ ଅଟକି ରହିଥିବା ଭାରତୀୟଙ୍କୁ ଗତବର୍ଷ ଅଗଷ୍ଟ ୮ରେ ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ର ବୋଇଂ ୭୩୭ ବିମାନ ଫେରାଇ ଆଣୁଥିଲା। କେରଳର କାଲିକଟ୍‌ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ ବେଳେ ବିମାନଟି ଟେବୁଲ-ଟପ୍‌ ରନ୍‌ଓ୍ବେ ବାହାରକୁ ଚାଲିଯାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ପାଇଲଟ ଉଡ଼ାଣର ଷ୍ଟାଣ୍ଡାର୍ଡ ଅପରେଶନ ପ୍ରୋସିଜୁଅରକୁ ନ ମାନିବା ଦୁର୍ଘଟଣାର ସମ୍ଭାବ୍ୟ କାରଣ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଦୁର୍ଘଟଣା ତଦନ୍ତ ବ୍ୟୁରୋ ରିପୋର୍ଟରେ କୁହାଯାଇଛି। ଟଚ୍‌ଡାଉନ୍‌ ଜୋନ୍‌ ବାହାରେ ପାଇଲଟ ବିମାନକୁ ଅବତରଣ କରାଇଥିଲେ ବୋଲି ତଦନ୍ତକାରୀ ସଂସ୍ଥା ୨୫୭ ପୃଷ୍ଠାର ରିପୋର୍ଟରେ କହିଛି। ଅବତରଣ ବେଳେ ପାଇଲଟ୍‌ଙ୍କୁ ଚକ୍କର କାଟିବାକୁ ପରାମର୍ଶ ଦିଆଯାଇଥିଲେ ମଧ୍ୟ ସେ ତାହା ପାଳନ କରି ନ ଥିଲେ। ବିମାନରେ ଥିବା ଅନ୍ୟତମ ପାଇଲଟ ମଧ୍ୟ ଏହାକୁ ନିୟନ୍ତ୍ରଣକୁ ନେବାରେ ଓ ନିର୍ଦ୍ଦେଶ କାର୍ଯ୍ୟକାରୀ କରିବାରେ ବିଫଳ ହୋଇଥିଲେ ବୋଲି ରିପୋର୍ଟରେ ଦର୍ଶାଯାଇଛି।

Share