Categories: ଜାତୀୟ

ପାଇଲଟଙ୍କ ବିମାନ ପୁଣିଥରେ କଂଗ୍ରେସ ରନ୍‌ଓ୍ବେ ମୁହାଁ

ଜୟପୁର,୧୦।୮: ରାଜସ୍ଥାନରେ ଲାଗି ରହିଥିବା ରାଜନୈତିକ ସଙ୍କଟ ଏବେ ଶେଷ ହେବା ଭଳି ଦେଖାଯାଉଛି। ରାଜସ୍ଥାନ ସରକାରକୁ ଭାଙ୍ଗିବାର ସୂତ୍ରଧର ସାଜିଥିବା ଓ ବିଧାୟକଙ୍କୁ କିଣାବିକା କରିଥିବା ଅଭିଯୋଗ ଆସିଥିବା ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ଏବେ କଂଗ୍ରେସର ଶୀର୍ଷ ନେତାଙ୍କ ସହ ସମ୍ପର୍କ ରଖିଥିବା ସୂଚନା ମିଳିଛି। ପାଇଲଟ ଏବେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସହ ସାକ୍ଷାତ୍‌ କରିବାକୁ ସମୟ ମାଗିଥିବା ଜଣାପଡିଛି। ଅନ୍ୟପଟେ ରାଜସ୍ଥାନ କଂଗ୍ରେସର ବିଧାୟକମାନେ ପାଇଲଟ ଓ ଅସନ୍ତୁଷ୍ଟ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ସୂଚନାଯୋଗ୍ୟ, ରାଜସ୍ଥାନ ବିଧାନସଭାର ଅଧିବେଶନ ୧୪ ଅଗଷ୍ଟରୁ ଆରମ୍ଭ ହେବାକୁ ଯାଉଛି। ଏହା ପୂର୍ବରୁ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ଓ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ମଧ୍ୟରେ ଥିବା ଦୂରତା କମ୍‌ ହେବାରେ ଲାଗିଛି। ଆଲୋଚନା ହେଉଛି କି ପାଇଲଟ ନୂଆ ଗେମ୍‌ ଖେଳିବାକୁ ନଜରରେ ରଖି ରାହୁଲଙ୍କ ସହ ସାକ୍ଷାତ୍‌ କରିବାକୁ ସମୟ ମାଗିଛନ୍ତି। ଏହାସହ କଂଗ୍ରେସର ୧୮ ଅସନ୍ତୁଷ୍ଟ ବିଧାୟକ ମଧ୍ୟ ପାଇଲଟଙ୍କ ସହ ରାହୁଲଙ୍କୁ ଦେଖା କରିବାକୁ ଚାହୁଁଛନ୍ତି। ରାହୁଲ ଗାନ୍ଧୀଙ୍କ ପକ୍ଷରୁ ଏହାର କୌଣସି ଉତ୍ତର ମିଳି ନ ଥିବା ବେଳେ ଏପଟେ ପାଇଲଟ କଂଗ୍ରେସ ନେତା କେସି ଭେଣୁଗୋପାଳଙ୍କ ସମ୍ପର୍କରେ ଅଛନ୍ତି ଓ ତାଙ୍କରି ମାଧ୍ୟମରେ ସେ ରାହୁଲଙ୍କୁ ସାକ୍ଷାତ୍‌ କରିବାକୁ ଚାହୁଁଛନ୍ତି। ଏବେ ଅନୁମାନ କରାଯାଉଛି କି ଯଦି ରାହୁଲ ଓ ପାଇଲଟଙ୍କ ମଧ୍ୟରେ କଥାବାର୍ତ୍ତା ହୁଏ ତେବେ ରାଜସ୍ଥାନ ରାଜନୀତିରେ ଦେଖାଯାଇଥିବା ସଙ୍କଟର ଅବସାନ ଘଟିପାରେ।

Share