Categories: ଜାତୀୟ

ପାଇଲଟ୍‌ଙ୍କ ଅସଫଳ ଆକ୍ରମଣ: ଶକ୍ତି ପରୀକ୍ଷା ଲାଗି ଅମଙ୍ଗ ଭାଜପା

ଜୟପୁର, ୧୪।୭: ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ସରକାରଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥିବା ଯୁବନେତା ସଚିନ୍‌ ପାଇଲଟ୍‌ଙ୍କୁ ଏବେ ଦଳର ସମସ୍ତ ପଦବୀରୁ ହଟାଇ ଦିଆଯାଇଛି। ବିଦ୍ରୋହୀ ନେତା ସଚିନ୍‌ଙ୍କ ସମର୍ଥନରେ ୨୨ ବିଧାୟକ ରହିଥିବା କୁହାଯାଉଛି। ତେବେ ସେଥିମଧ୍ୟରୁ ୧୦ଜଣ ବିଧାୟକ ଭାଜପା ଶିବିରରେ ଯୋଗଦେବାକୁ ଚାହୁଁ ନାହାଁନ୍ତି। ମୂଳରୁ କଂଗ୍ରେସ ସପକ୍ଷରେ ରହି ଶେଷ ରାଜନୈତିକ ଜୀବନରେ ଭାଜପା ଶିବିରକୁ ଯିବାକୁ ସେମାନେ ନାପସନ୍ଦ କରୁଛନ୍ତି। ଫଳରେ ଭାଜପାର ଅପରେଶନ୍‌ ଲୋଟସ୍‌ ଫିକା ପଡ଼ିଯାଇଛି। ଅପରପକ୍ଷରେ ବୁଝି ବିଚାରି ପଦକ୍ଷେପ ଗ୍ରହଣ କରି ନ ଥିବାରୁ ପାଇଲଟ୍‌ଙ୍କ ଆକ୍ରମଣ ଅସଫଳ ହୋଇଥିବା ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି। ସଚିନ୍‌ଙ୍କ ପାଖରେ କମ୍‌ ସଂଖ୍ୟକ ବିଧାୟକ ଥିବାରୁ ଭାଜପା ବିଧାନସଭାରେ ଶକ୍ତି ପରୀକ୍ଷା ଲାଗି ଅମଙ୍ଗ ହେଉଛି। ରାଜ୍ୟର ରାଜନୈତିକ ସ୍ଥିତି ଉପରେ ତୀକ୍ଷ୍‌ଣ ଦୃଷ୍ଟି ରଖାଯାଇଥିବା ଭାଜପା କହିଛି।

Share