ପିମ୍ପଲ ପିଏମ୍‌ଜିଏସ୍‌ୱାଇ କାମ ଅସମ୍ପୂର୍ଣ୍ଣ

ଯାଜପୁର ଅଫିସ/ରଗଡ଼ି(ଡି.ଏନ୍‌.ଏ.),୨୧।୫: ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (ପିଏମ୍‌ଜିଏସ୍‌ୱାଇ)ରେ ୨୧୫ ନମ୍ବର ଜାତୀୟ ରାଜପଥଠାରୁ ପିମ୍ପଲ ପର୍ଯ୍ୟନ୍ତ ୨.୯୮୦ କିମି ରାସ୍ତା ନିର୍ଦ୍ଧାରିତ ସମୟ ମଧ୍ୟରେ ସମ୍ପୂର୍ଣ୍ଣ କରି ନ ପାରିବା ଠିକାଦାର ଭାଗୀରଥି ସାହୁଙ୍କ ପାଇଁ ମହଙ୍ଗା ପଡିଛି। ତାଙ୍କ ପ୍ରଥମ ଶ୍ରେଣୀ ଠିକାଦାରି ଲାଇସେନ୍ସକୁ କଳା ତାଲିକାଭୁକ୍ତ କରିବାକୁ ଯାଜପୁର ଗ୍ରାମ୍ୟ ନିର୍ମାଣ ଡିଭିଜନର ନିର୍ବାହୀ ଯନ୍ତ୍ରୀ (ପତ୍ର ସଂଖ୍ୟା ୨୨୯୫/୧୯ା୫ା୨୦୨୦)ରେ ମୁଖ୍ୟଯନ୍ତ୍ରୀ (ପିଏମ୍‌ଜିଏସ୍‌ୱାଇ)ଙ୍କୁ ସୁପାରିସ କରିଛନ୍ତି।
ଅନ୍ୟପକ୍ଷେ ୩ ବର୍ଷ ହେବ କେତେକ ନିର୍ମାଣ ସାମଗ୍ରୀ ରାସ୍ତାରେ ପଡ଼ିରହିଛି। ଏଥିଯୋଗୁ ଯାତାୟାତରେ ବାଧା ସୃଷ୍ଟି ହେଉଛି। ସମ୍ପୃକ୍ତ ଠିକାଦାର ନିମ୍ନମାନର କାମ କରିଛନ୍ତି। ସେ ବାବଦରେ ପ୍ରାୟ ୨୪ ଲକ୍ଷ ଟଙ୍କାର ବିଲ୍‌ କରି ଅର୍ଥ ଆମତ୍ସାତ୍‌ କରିବାକୁ ମସୁଧା ହେଉଥିବା ଚର୍ଚ୍ଚା ଜୋର ଧରିଛି। ଏହା କେବଳ ଗୋଟିଏ ଘଟଣା ନୁହେଁ, ଯାଜପୁର ଜିଲାରେ ଶତାଧିକ ପିଏମ୍‌ଜିଏସ୍‌ୱାଇ କାମ ଅସମ୍ପୂର୍ଣ୍ଣ ରଖି ଅର୍ଥ ଚଳୁ କରାଯାଉଥିବା ଅଭିଯୋଗ ହୋଇଛି।
କେନ୍ଦ୍ରୀୟ ଓ ରାଜ୍ୟସ୍ତରୀୟ ବିଭିନ୍ନ ଯୋଜନା ମାଧ୍ୟମରେ ଜିଲାର ରାସ୍ତାଘାଟର ନିର୍ମାଣ, ପୁନଃ ନିର୍ମାଣ, ପ୍ରଶସ୍ତୀକରଣ ଓ ମରାମତି ପାଇଁ ଅନେକ କୋଟି ଟଙ୍କା ଖର୍ଚ୍ଚ ହେଉଛି ା ସହରାଞ୍ଚଳର ବିକାଶ ସହିତ ଗ୍ରାମାଞ୍ଚଳକୁ ସାମିଲ କରିବା ଉଦ୍ଦେଶ୍ୟରେ ସରକାର ପିଏମ୍‌ଜିଏସ୍‌ୱାଇ ପ୍ରଣୟନ କରିଛନ୍ତି। ପ୍ରତି ୧ ହଜାର ଜନସଂଖ୍ୟା ବିଶିଷ୍ଟ ଗ୍ରାମକୁ ପକ୍କା ଏବଂ ଦୀର୍ଘସ୍ଥାୟୀ ରାସ୍ତା ନିର୍ମାଣ କରିବା ଯୋଜନାର ଲକ୍ଷ୍ୟ। ତେବେ ଜିଲାର ଯାଜପୁର ଓ ଜାରକା ଗ୍ରାମ୍ୟ ନିର୍ମାଣ ଡିଭିଜନର କେତେଜଣ ଯନ୍ତ୍ରୀଙ୍କ ସମେତ ଠିକାଦାରଙ୍କ ଅସାଧୁମେଣ୍ଟ ଯୋଗୁ ଯୋଜନାର ଅଗ୍ରଗତି ନୈରାଶ୍ୟଜନକ ରହିଛି। ୨୦୦୭-୦୮ ଆର୍ଥିକ ବର୍ଷରୁ ମଞ୍ଜୁରପ୍ରାପ୍ତ କେତେକ ରାସ୍ତା ମଧ୍ୟ ସମ୍ପୂର୍ଣ୍ଣ ହୋଇ ପାରି ନ ଥିବା ନଜିର ରହିଛି। ଜିଲାରେ ଠିକାସଂସ୍ଥା ନନ୍ଦିଘୋଷ ଇନ୍‌ଫ୍ରାଷ୍ଟ୍ରକ୍ଚର, ଲଜିଷ୍ଟିକ, ଭୁବନେଶ୍ୱରୀ କନ୍‌ଷ୍ଟ୍ରକ୍ସନ, ବିରଜା କନ୍‌ଷ୍ଟ୍ରକ୍ସନ, ସତ୍ୟସାଇ କନ୍‌ଷ୍ଟ୍ରକ୍ସନ, ଜଗନ୍ନାଥ କନ୍‌ଷ୍ଟ୍ରକ୍ସନ, ମା’ ବାସୁଲେଇ କନ୍‌ଷ୍ଟ୍ରକ୍ସନ ପ୍ରମୁଖଙ୍କୁ ପିଏମ୍‌ଜିଏସ୍‌ୱାଇ ରାସ୍ତା ନିର୍ମାଣରେ ଅଗ୍ରାଧିକାର ଦିଆଯାଇ ଆସୁଛି। ଅଧିକାଂଶ ଠିକାସଂସ୍ଥା ନିମ୍ନମାନର ରାସ୍ତା କରୁଛନ୍ତି। କାମ ଶେଷ କରିବାରେ ବିଳମ୍ବ କରୁଥିଲେ ହେଁ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବା ଚର୍ଚ୍ଚା ହେଉଛି। ୨୧୫ ନମ୍ବର ଏନ୍‌ଏଚ୍‌ଠାରୁ ପିମ୍ପଲ ପିଏମ୍‌ଜିଏସ୍‌ୱାଇ ରାସ୍ତାକୁ ଉଦାହରଣ ଭାବେ ନିଆଯାଇପାରେ। ୭ା୬ା୧୮ରେ ୧୨୧.୩୪ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏହି ରାସ୍ତା ନିର୍ମାଣର ଶୁଭାରମ୍ଭ ହୋଇଥିଲା। ୬ା୬ା୧୯ ସୁଦ୍ଧା ରାସ୍ତା କାମ ଶେଷ କରିବାକୁ ଚୁକ୍ତିରେ ଦର୍ଶାଯାଇଥିଲା। କିନ୍ତୁ ଠିକାଦାର ଇତିମଧ୍ୟରେ ବ୍ୟୟ ଅଟକଳରୁ ମାତ୍ର ୧୯ ପ୍ରତିଶତ କାମ କରିଛନ୍ତି। ରାସ୍ତା କାର୍ଯ୍ୟ ବିଷୟରେ ଆଲୋଚନା କରିବାକୁ ଠିକାଦାରଙ୍କୁ ଏକାଧିକ ପତ୍ର ଦିଆଯାଇଥିଲା। କିନ୍ତୁ ନିର୍ଦ୍ଧାରିତ ସମୟ ଓ ତାରିଖରେ ସେ ଅନୁପସ୍ଥିତ ରହିବାରୁ ରାସ୍ତା କାମ ସମ୍ପୂର୍ଣ୍ଣ କରିବାକୁ ତାଙ୍କ ଇଚ୍ଛା ନାହିଁ। ତେଣୁ ସମ୍ପୃକ୍ତ ଠିକାଦାରଙ୍କ ପ୍ରଥମ ଶ୍ରେଣୀ ଠିକାଦାରି ଲାଇସେନ୍ସକୁ କଳା ତାଲିକାଭୁକ୍ତ କରାଯାଇପାରେ ବୋଲି ନିର୍ବାହୀ ଯନ୍ତ୍ରୀ ବିଜୟ ମହାରଣା ତାଙ୍କ ପତ୍ରରେ ଦର୍ଶାଇଛନ୍ତି।