ପିନାକୀ ମିଶ୍ରଙ୍କୁ ବହିଷ୍କାର କରାଯାଉ: ଭାଜପା

ଭୁବନେଶ୍ୱର, ୨୧।୧୦(ସୁନିତ୍‌ ମିଶ୍ର): ସଂସଦରେ ‘ପ୍ରଶ୍ନ ପଚାରିବା ପାଇଁ ଟଙ୍କା’ ନେବା ଦୁର୍ନୀତିରେ ପୁରୀ ଏମ୍‌ପି ପିନାକୀ ମିଶ୍ରଙ୍କ ସମ୍ପୃକ୍ତି ଅଛି ବୋଲି ସିବିଆଇ ଅଦାଲତ ଏବଂ ସଂସଦର ଏଥିକ୍ସ କମିଟି ପାଖରେ ଦାଖଲ ହୋଇଥିବା ୨ଟି ସତ୍ୟପାଠରୁ ସ୍ପଷ୍ଟ ହୋଇଥିବା ଭାଜପା ମୁଖପାତ୍ର ମନୋଜ ମହାପାତ୍ର ଅଭିଯୋଗ କରିଛନ୍ତି। ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ଶୁକ୍ରବାର ଆୟୋଜିତ ଖବରଦାତା ସମ୍ମିଳନୀରେ ମନୋଜ କହିଛନ୍ତି, ଏଥିଲାଗି ପିନାକୀଙ୍କୁ ତୁରନ୍ତ ବହିଷ୍କାର କରାଯାଉ। ପିନାକୀ ଏବଂ ସଂସଦରେ ପ୍ରଶ୍ନ ପଚାରିବା ପାଇଁ ଟଙ୍କା ନେଇଥିବା ଏମ୍‌ପି ମହୁଆ ମୈତ୍ରଙ୍କ ଘନିଷ୍ଠ ସମ୍ପର୍କ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଚାଲିଛି। ପିନାକୀଙ୍କ ପାଇଁ ବର୍ତ୍ତମାନ ଓଡ଼ିଶା ନିନ୍ଦିତ। ମହୁଆ କିଛି ନିର୍ଦ୍ଦିଷ୍ଟ କମ୍ପାନୀର ସ୍ବାର୍ଥ ଦୃଷ୍ଟିରୁ ପ୍ରଶ୍ନ ପଚାରିବା ପାଇଁ ବ୍ୟାପକ ଅର୍ଥ ନେଇଛନ୍ତି। ବ୍ୟବସାୟୀ ଦର୍ଶନ ହିରନନ୍ଦାନୀ ଓ ଆଇନଜୀବୀ ଜୟ ଅନନ୍ତ ଦେହାଦ୍ରାଇ ଦେଇଥିବା ୨ଟି ଭିନ୍ନ ସତ୍ୟପାଠରେ ଏ କଥା ସ୍ପଷ୍ଟ ହୋଇଛି। ଉଭୟ ସତ୍ୟପାଠରେ ପିନାକୀଙ୍କ ସମ୍ପୃକ୍ତି ସମ୍ପର୍କରେ ଉଲ୍ଲେଖ ରହିଛି। ପିନାକୀଙ୍କ ଏଭଳି କାରନାମା ଜନବିରୋଧୀ ନୁହେଁ କି ବୋଲି ସେ ପ୍ରଶ୍ନ କରିଛନ୍ତି।

Share