ବେସରକାରୀ ଜମିରେ ପିଣ୍ଡି

ବଇଣ୍ଡା, ୧୯।୨(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ କୃର୍ତ୍ତିବାସପୁର ପଞ୍ଚାୟତ ଜରପଡ଼ା ସାପ୍ତାହିକ ହାଟରେ ବ୍ୟବସାୟିକ ସୁବିଧା ପାଇଁ ପିଣ୍ଡି ନିର୍ମାଣ କରାଯାଇଛି। ହେଲେ ଉକ୍ତ ପିଣ୍ଡି ବେସରକାରୀ ଜମିରେ ନିର୍ମାଣ ହେଉଥିବା ଅଭିଯୋଗ ହୋଇଛି। ଏ ନେଇ ତିଳେଶ୍ୱର ଗ୍ରାମର ଉପାସୀ ବେହେରା, ପାର୍ବତୀ ବେହେରା, ସୁନନ୍ଦ ଦେହୁରୀ, ପଠାଣି ବେହେରା, ଜରପଡା ଗ୍ରାମର ଉଚ୍ଛବ ପ୍ରଧାନ ପ୍ରମୁଖ ଶୁକ୍ରବାର ଆଠମଲ୍ଲିକ ଉପଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଆଦିବାସୀଙ୍କ ଜମି ହଡ଼ପ କରି ଉକ୍ତ ପିଣ୍ଡି ତିଆରି କରାଯାଉଥିବା ସେମାନେ କହିଛନ୍ତି।
ବ୍ଲକ ପ୍ରଶାସନ ପକ୍ଷରୁ ସାପ୍ତାହିକ ହାଟର ବିକାଶ ପାଇଁ ପଞ୍ଚାୟତିରାଜ ବିଭାଗ ପାଣ୍ଠିରୁ ୧୦ ଲକ୍ଷ ଟଙ୍କା ବ୍ୟୟରେ ପିଣ୍ଡି ନିର୍ମାଣ କରାଯାଉଛି। ଗତ ଫେବୃୟାରୀ ୩ରୁ ଏହି କାମ ଆରମ୍ଭ ହୋଇଛି। ତେବେ ସମ୍ପୃକ୍ତ ବ୍ୟକ୍ତିଙ୍କ ବ୍ୟକ୍ତିଗତ ଜମିରେ ବେଆଇନ ଭାବେ ଏହି ପିଣ୍ଡି ତିଆରି କରାଯାଉଥିବା ଅଭିଯୋଗରେ ଦର୍ଶାଯାଇଛି। ହିତାଧିକାରୀମାନେ ଏ ସଂକ୍ରାନ୍ତ ସବିଶେଷ ପ୍ରମାଣପତ୍ର ଉପଜିଲାପାଳଙ୍କ ନିକଟରେ ଦାଖଲ କରିଛନ୍ତି।
କାମ ନେଇଥିବା ସ୍ଥାନୀୟ ଅଞ୍ଚଳର ଜଣେ ଠିକାଦାର ସରକାରୀ ଜମି ବଦଳରେ ବେସରକାରୀ ଜମିରେ ଜବରଦସ୍ତ କାମ କରୁଛନ୍ତି। ଜମି ମାଲିକ ଆଦିବାସୀ ସମ୍ପ୍ରଦାୟର ହୋଇଥିବାବେଳେ ପ୍ରଶାସନିକ ଅଧିକାରୀମାନେ ଠିକାଦାରଙ୍କ ଦ୍ୱାରା ଜମି ହଡ଼ପ କରିବାକୁ ମସୁଧା କରୁଛନ୍ତି। ଏ ସଂକ୍ରାନ୍ତରେ ସେମାନେ ଆଠମଲ୍ଲିକ ବିଡିଓ, ଆଠମଲ୍ଲିକ ତହସିଲଦାରଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହଁି। ତୁରନ୍ତ କାମ ବନ୍ଦ ନ ହେଲେ ଆନ୍ଦୋଳନ କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।
ଏ ନେଇ ଆଠମଲ୍ଲିକ ତହସିଲଦାର ଯଶୋବନ୍ତ ଦେହୁରୀ କହିଛନ୍ତି, ଉକ୍ତ ଜମି ସମ୍ପର୍କରେ ବିଭାଗ ପକ୍ଷରୁ ତଦନ୍ତ କରାଯାଉଛି। ଉପଜିଲାପାଳ ତରଣୀ ସୁନା କହିଛନ୍ତି, ଅଭିଯୋଗର ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯିବ।