ଭୁବନେଶ୍ୱର,୨୬।୨(ବ୍ୟୁରୋ): ଲିଭର ଟ୍ରାନ୍ସପ୍ଲାଣ୍ଟ୍ ଲାଗି ଡୋନର ନ ମିଳିବାରୁ ଶନିବାର ଦିଲ୍ଲୀରୁ ହାଇଦ୍ରାବାଦ ସ୍ଥାନାନ୍ତର ହୋଇଛନ୍ତି ଓଲିଉଡ୍ ଅଭିନେତା ପିଣ୍ଟୁ ନନ୍ଦ। ଲିଭର ସିରୋସିସ୍ ରୋଗରେ ପୀଡ଼ିତ ଥିବା ପିଣ୍ଟୁ ନନ୍ଦ ଗତ ୭ ତାରିଖରେ ନୂଆଦିଲ୍ଲୀସ୍ଥିତ ଆଇଏଲ୍ବିଏସ୍ ହସ୍ପିଟାଲରେ ଭର୍ତ୍ତି ହୋଇ ଆଇସିୟୁରେ ଚିକିତ୍ସିତ ହେଉଥିଲେ। ପ୍ରାୟ ୧୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହୋଇ ସାରିଲାଣି। ପରିବାର ସଦସ୍ୟଙ୍କ ବ୍ଲଡ୍ ଗ୍ରୁପ ମ୍ୟାଚ୍ ନ କରିବାରୁ ଲିଭର ଟ୍ରାନ୍ସପ୍ଲାଣ୍ଟ୍ ଲାଗି ତାଙ୍କୁ ହାଇଦ୍ରାବାଦ ସ୍ଥାନାନ୍ତର କରାଯାଇଥିବା ସୂଚନା ଦିଆଯାଇଛି।
ଆଇଏଲ୍ବିଏସ୍ ହସ୍ପିଟାଲର ନିୟମ ଅନୁଯାୟୀ, କେବଳ ପରିବାର ଲୋକେ ହିଁ ଲିଭର ଦେଇପାରିବେ। ମାତ୍ର ପିଣ୍ଟୁଙ୍କୁ ଲିଭର ଦେବାକୁ ସହମତି ପ୍ରକାଶ କରିଥିବା ତାଙ୍କ ପରିବାର ସଦସ୍ୟଙ୍କ ବ୍ଲଡ୍ ଗ୍ରୁପ୍ ତାଙ୍କ ସହ ମ୍ୟାଚ୍ କଲା ନାହିଁ। ବାହାରୁ ଲିଭର ଆଣି ଟ୍ରାନ୍ସପ୍ଲାଣ୍ଟ କରିବା ଲାଗି ସେଠାରେ ସମ୍ଭବ ହୋଇ ନ ଥିଲା। ତେବେ ହାଇଦ୍ରାବାଦ ସ୍ଥାନାନ୍ତର ପରେ ପିଣ୍ଟୁଙ୍କ ଅବସ୍ଥା ଏବେ ସ୍ଥିର ଥିବାବେଳେ ଶୀଘ୍ର ଡୋନର ଯୋଗାଡ଼ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଡୋନର ମିଳିଲେ ତାଙ୍କ ଶରୀରରେ ଲିଭର ଟ୍ରାନ୍ସପ୍ଲାଣ୍ଟ କରାଯିବାର ବ୍ୟବସ୍ଥା କରାଯିବ ବୋଲି ଅଭିନେତା ଶ୍ରୀତମ ଦାସ କହିଛନ୍ତି। ତାଙ୍କୁ ଆର୍ଥିକ ସହାୟତା ପାଇଁ ବହୁ ଯୁବପିଢ଼ି, କଳାକାରମାନେ ଲାଗି ପଡ଼ିଛନ୍ତି। ସୂଚନାଯୋଗ୍ୟ, ପ୍ରଥମେ ପିଣ୍ଟୁ ନନ୍ଦ ଭୁବନେଶ୍ୱରରରେ ଚିକିତ୍ସିତ ହେଉଥିଲେ। ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ନୂଆଦିଲ୍ଲୀସ୍ଥିତ ଆଇଏଲ୍ବିଏସ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।