ଅର୍ଥାଭାବରୁ ହୋଇପାରୁନାହିଁ ପିଣ୍ଟୁ ନନ୍ଦଙ୍କ ଅପରେଶନ

ଭୁବନେଶ୍ୱର,୨୧।୨(ବ୍ୟୁରୋ): ଓଲିଉଡ୍‌ ଅଭିନେତା ପିଣ୍ଟୁ ନନ୍ଦ ଲିଭରଜନିତ ରୋଗରେ ପୀଡ଼ିତ ହୋଇ ଦିଲ୍ଲୀସ୍ଥିତ ଆଇଏଲ୍‌ବିଏସ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କର ଅପରେଶନ ହୋଇପାରିନାହିଁ। ଫେବୃୟାରୀ ୭ରୁ ସେ ଚିକିତ୍ସା ପାଇଁ ଦିଲ୍ଲୀ ଯାଇଥିଲେ। ତେବେ ଆର୍ଥିକ ସମସ୍ୟା ଯୋଗୁ ତାଙ୍କର ଯକୃତ ପ୍ରତିରୋପଣ ହୋଇପାରିନାହିଁ। ବର୍ତ୍ତମାନ ସୁଦ୍ଧା ୧୦ ଲକ୍ଷରୁ ଅଧିକ ଟଙ୍କା ତାଙ୍କ ଚିକିତ୍ସାରେ ଖର୍ଚ୍ଚ ହୋଇସାରିଲାଣି। ଏବେ ସେ ଆଇସିୟୁରେ ଅଛନ୍ତି ବୋଲି ମଙ୍ଗଳବାର ତାଙ୍କ ଭାଇ ଅଭିରାମ ନନ୍ଦ ସୂଚନା ଦେଇଛନ୍ତି। ଅଧିକ ଟଙ୍କା ଆବଶ୍ୟକ। ହେଲେ ସରକାରୀ ସ୍ତରରେ କୌଣସି ସହାୟତା ଏ ପର୍ଯ୍ୟନ୍ତ ମିଳିନାହିଁ। ଚିକିତ୍ସା ପାଇଁ ଆମେ ଦିଲ୍ଲୀରେ ଥିବାରୁ ସହାୟତା ପାଇଁ କାହାକୁ ଯୋଗାଯୋଗ କରିପାରୁ ନାହଁୁ। ସେଠାରେ ଥିବା କେତେଜଣ ସହଯୋଗୀ ଏ ନେଇ ଚେଷ୍ଟା କରୁଥିବା ସେ କହିଛନ୍ତି।

ସୂଚନାଯୋଗ୍ୟ, ଅଭିନେତା ପିଣ୍ଟୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଯକୃତ ପ୍ରତିରୋପଣ ପାଇଁ ତାଙ୍କୁ ଦିଲ୍ଲୀ ଯିବାକୁ ଚିକିତ୍ସା କରୁଥିବା ଡାକ୍ତର କହିଥିଲେ। ଏହାପରେ ଗତ ଫେବୃୟାରୀ ୭ରେ ତାଙ୍କୁ ଦିଲ୍ଲୀ ନିଆଯାଇଥିଲା। ତାଙ୍କ ପାଇଁ ଓଡ଼ିଶା ସିନେ ଆସୋସିଏଶନ୍‌ର ସଦସ୍ୟା ସଦସ୍ୟ ଏବଂ କେତେଜଣ କଳାକାରଙ୍କ ସମେତ ଯୁବ ସାମାଜିକ କର୍ମୀ ପାଣ୍ଠି ସଂଗ୍ରହ କରି ତାଙ୍କୁ ଯୋଗାଇ ଦେଇଥିଲେ।

Share