ଚଣ୍ଡିଖୋଲ,୭ା୫(ଡି.ଏନ.ଏ.): ବଡ଼ଚଣା ଥାନା ରାଧାଦେଇପୁର ପଞ୍ଚାୟତ ଅଧୀନ ବିଲିକଣା ଗ୍ରାମରେ ଟ୍ରକ୍ ଚଢ଼ାଇ ପଞ୍ଚାୟତ ଅଫିସ ପିଅନଙ୍କୁ ହତ୍ୟା ଘଟଣାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏଥିସହିତ ଦୁର୍ଘଟଣା ଘଟାଇଥିବା ଟ୍ରକ୍କୁ ଜବତ କରିଛି। ଗୁରୁବାର ଟ୍ରକ୍ ଚଢ଼ାଇ ରାଧାଦେଇପୁର ପଞ୍ଚାୟତ ପିଅନ ବସନ୍ତ କୁମାର ସାହୁଙ୍କୁ ହତ୍ୟା କରାଯାଇଥିଲା ବୋଲି ବସନ୍ତଙ୍କ ପୁତ୍ର ଶାରଦା ଥାନାରେ ଅଭିଯୋଗ କରିଥିଲେ। ପୋଲିସ ନଂ.୧୫୦/୨୨ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଗୁରୁବାର ରାତିରେ ଟ୍ରକ୍ ଚଢ଼ାଇଥିବା ସେହିଗ୍ରାମର ଅଶୋକ ବଳ ବଡ଼ଚଣା ଥାନାରେ ଆତ୍ମ ସମର୍ପଣ କରିଥିଲେ। ପରେ ପୋଲିସ ଅଶୋକ ଚଳାଉଥିବା ଟ୍ରକ୍ ନଂ.ଓଡି-୨୩-ସି-୯୩୮୩କୁ ଧର୍ମଶାଳା ଥାନା ଅନ୍ତର୍ଗତ କଣ୍ଟିଗଡିଆ ନିକଟରୁ ଜବତ କରି ଥାନାକୁ ଆଣିଛି। ସୂଚନା ଥାଉକି, ବିଲିକଣା ଗ୍ରାମର ବସନ୍ତ ଓ ଅଶୋକଙ୍କ ପରିବାର ମଧ୍ୟରେ ପୂର୍ବରୁ ଶତ୍ରୁତା ଥିଲା। ପରକିୟା ପ୍ରୀତିକୁ ନେଇ ଦୁଇ ପରିବାର ମଧ୍ୟରେ ମାରପିଟ ମଧ୍ୟ ହୋଇଥିଲା। ସେହି ଘଟଣାରେ ପ୍ରତିଶୋଧ ପରାୟଣ ହୋଇ ଅଶୋକ ଏହି ହତ୍ୟାକାଣ୍ଡ ଘଟାଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଅନ୍ୟପକ୍ଷରେ ଗୁରୁବାର ଏହି ଘଟଣା ପରେ ଗ୍ରାମରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। ଲୋକେ ବଡ଼ଚଣା-ବାଲିଚନ୍ଦ୍ରପୁର ପୂର୍ତ୍ତ ବିଭାଗ ରାସ୍ତାକୁ ଅବରୋଧ କରି ଆନ୍ଦୋଳନ କରିବା ସହ ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି କରିଥିଲେ।