କେନ୍ଦ୍ରାପଡ଼ା ଅଫିସ, ୩୦ା୬: କେନ୍ଦ୍ରାପଡ଼ା ଜିଲା ପାଣି ପାଇପ ମିସ୍ତ୍ରି ପ୍ରସଙ୍ଗରେ ଆଗୁଆ। ଜିଲାର ଲକ୍ଷେରୁ ଊର୍ଦ୍ଧ୍ୱ କୁଶଳୀ କାରିଗର ଦେଶ ବିଦେଶରେ ଅଛନ୍ତ। ଦି’ ଇଣ୍ଡିଆନ ପ୍ଲମ୍ବିଂ ସ୍କିଲ କାଉନସିଲର ସର୍ଭେ ଅନୁଯାୟୀ ଦେଶରେ କାର୍ଯ୍ୟରତ ପାଣି ପାଇପ ମିସ୍ତ୍ରିଙ୍କ ମଧ୍ୟରୁ ଓଡ଼ିଆ ଭାଷାଭାଷୀ ୭୦ ଭାଗ। ଏଥିମଧ୍ୟରୁ ପଟ୍ଟାମୁଣ୍ଡାଇ ଅଞ୍ଚଳରୁ ସର୍ବାଧିକ ଅଛନ୍ତି। ତେବେ ଏହି କୁଶଳୀ କାରିଗରଙ୍କ ତଥ୍ୟ ଜିଲା ପ୍ରଶାସନ ନିକଟରେ ନାହିଁ। ଦେଶ ବିଦେଶରେ କୌଣସି ଅସୁବିଧାର ସମ୍ମୁଖିନ ହେଲେ ଉଦ୍ଧାର ଅଥବା ସହଯୋଗ ପାଇଁ ଜିଲା ପ୍ରଶାସନର ନାଚାର ଅବସ୍ଥା ଦେଖାଉଛି। ଏମାନଙ୍କ ଡାଟାବେସ ପ୍ରସ୍ତୁତି ସହ ଜିଲା ପ୍ରଶାସନ ପକ୍ଷରୁ ଆବଶ୍ୟକ ଟୋଲ ଫ୍ରି ନମ୍ବର ଦିଆଗଲେ ଜିଲାବାସୀ ଉପକୃତ ହୋଇପାରିବେ। ଏଥିପାଇଁ ଏମାନଙ୍କ ଚିହ୍ନଟ ଜରୁରୀ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।
ଏ ସମ୍ପର୍କରେ ଆଇନଜୀବୀ ବିଧୁଭୂଷଣ ମହାପାତ୍ର କହିଛନ୍ତି, ୧୯୪୭ ମସିହାରେ କୋଲକାତା ହାଇକୋର୍ଟରେ ଦିନେଶ ଚନ୍ଦ୍ର ଗୁହା ନାମକ ଜଣେ ବ୍ୟକ୍ତି ଏକ ମକଦ୍ଦମା ଦାଏର କରିଥିଲେ। ଏଥିରେ କୋଲକାତା ମ୍ୟୁନିସିପାଲିଟିର ଲାଇସେନ୍ସ ପ୍ରାପ୍ତ ପାଣି ପାଇପ ନିଯୁକ୍ତ ହୋଇ ନ ଥିବା ଦର୍ଶାଇ ଓଡ଼ିଶାର ପାଣି ପାଇପ ମିସ୍ତ୍ରିଙ୍କୁ ବିରୋଧ କରିଥିଲେ। ତତ୍କାଳୀନ ସମୟରେ ପଟ୍ଟାମୁଣ୍ଡାଇର ଏହି କର୍ମ କୁଶଳୀ ମିସ୍ତ୍ରିଙ୍କ ଅନୁଭବ ଆଗରେ ପାଠପଢ଼ା ଡିଗ୍ରୀ ହାର ମାନିଥିଲା। ବାସ୍ତବରେ ୧୯୩୦ ମସିହାରେ କେତେଜଣ ଯୁବକ ବ୍ରିଟିଶ କମ୍ପାନୀରେ ରହି କାର୍ଯ୍ୟ କରୁଥିଲେ। ଦେଶ ବିଭାଜନ ପରେ ଏହି କମ୍ପାନୀରେ ଥିବା ମୁସଲମାନ ସମ୍ପ୍ରଦାୟ ଲୋକ ପୂର୍ବ ପାକିସ୍ଥାନକୁ ପଳାଇ ଯିବା ପରେ କୋଲକାତାରେ ଓଡ଼ିଆ ମିସ୍ତ୍ରିଙ୍କ ଆଧିପତ୍ୟ ବଢ଼ିଥିଲା। ଏପରି କି ୧୯୭୦ ମସିହାରୁ ଅଦ୍ୟାବଧି ଜିଲାର ଏହି କୁଶଳୀ କାରିଗର ଆରବ, କୁଏତ ଆଦି ଦେଶରେ ସର୍ବାଧିକ ଗ୍ରହଣୀୟ ହୋଇଛନ୍ତି। ଗତ ୨୦୧୦ ମସିହାରୁ ପଟ୍ଟାମୁଣ୍ଡାଇଠାରେ ଷ୍ଟେଟ ଇନଷ୍ଟିଚ୍ୟୁଟ ଅଫ ପ୍ଲମ୍ବିଂ ଟେକ୍ନୋଲୋଜି (ଏସ୍ଆଇପିଟି) ଆରମ୍ଭ ପରେ କୁଶଳୀଙ୍କ ସଂଖ୍ୟା ଅଧିକ ହେଉଛି ବୋଲି ସେ ପ୍ରକାଶ କରିଛନ୍ତି। ଜିଲାର ଏକ ବେସରକାରୀ ସଂସ୍ଥାର ଆକଳନ ଅନୁଯାୟୀ, ୨୦୧୧ ଜନଗଣନା ଅନୁଯାୟୀ ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ସହିତ ଆଳି, ରାଜନଗର, ରାଜକନିକା ଓ ପଟ୍ଟାମୁଣ୍ଡାଇ ବ୍ଲକ ଅଞ୍ଚଳର ୫,୩୬,୦୨୬ ଜଣଙ୍କ ମଧ୍ୟରୁ ୫୧ ପ୍ରତିଶତ ଜିଲା ବାହାରେ କାର୍ଯ୍ୟରତ ଅଛନ୍ତି। ଏମାନଙ୍କ ମଧ୍ୟରୁ ୬୭ ଭାଗ ପାଣିପାଇପ ମିସ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି। ତେବେ ଏହି କୁଶଳୀ ଶ୍ରମିକଙ୍କ ଡାଟାବେସ ନ ଥିବାରୁ ସରକାରୀ ପ୍ରୋତ୍ସାହନ ମିଳିପାରୁନାହିଁ। ପଟ୍ଟାମୁଣ୍ଡାଇର ନରେନ୍ଦ୍ର ରାଉତ କହିଛନ୍ତି, ଏଠାକାର କୁଶଳୀ କାରିଗରମାନେ ଦେଶ ବିଦେଶରେ ମଧ୍ୟସ୍ଥି, ଠିକାଦାର, ବିଲଡରଙ୍କ ଜରିଆରେ ପାଣି ପାଇପ କାର୍ଯ୍ୟରେ ନିୟୋଜିତ ହୋଇଥାନ୍ତି। ବହୁ ସମୟରେ ଏହି ଶ୍ରମିକଙ୍କ ନିର୍ଯାତନା ଖବର ଆସିଥାଏ। ସେହିପରି ଭିସା, ପାସ୍ପୋର୍ଟ ଆଦି ସମସ୍ୟା ରହିଛି। ଏହି ସମୟରେ ପ୍ରଶାସନ ପକ୍ଷରୁ ସାହାଯ୍ୟର ଆବଶ୍ୟକତା ଥିବା ବେଳେ ପରିଚୟ ଓ କାର୍ଯ୍ୟସ୍ଥଳର ତଥ୍ୟ ଅଭାବରୁ ଯୋଗାଯୋଗ ସମ୍ଭବ ହେଉନାହିଁ। ଏଥିସହ ଶ୍ରମ ବିଭାଗ ପକ୍ଷରୁ ଡାଟା ବେସ ପ୍ରସ୍ତୁତ କରାଯାଇ ଏକ ଟୋଲ ଫ୍ରି ନମ୍ବର ଦେଲେ ଜିଲା ବାହାରେ ରହୁଥିବା ଶ୍ରମିକଙ୍କ ସମସ୍ୟା କିଛି ଲାଘବ ହୋଇପାରିବ ବୋଲି ସେ ମତ ଦେଇଛନ୍ତି। ଏ ସମ୍ପର୍କରେ ଏଡିଏମ୍ ପୀତାମ୍ବର ସାମଲଙ୍କୁ ପଚାରିବାରେ, ୨୦୧୯ରେ ଡାଟାବେସ ପ୍ରସ୍ତୁତି ପାଇଁ ପଦକ୍ଷେପ ନିଆଯାଇଛି। ପାଣି ପାଇପ ମିସ୍ତ୍ରି ଅଥବା ଶ୍ରମିକ ଜିଲା ବାହାରକୁ ଯାଉଥିବା ସମୟରେ ଶ୍ରମ ବିଭାଗ କାର୍ଯ୍ୟାଳୟରେ ନିଜର ନାମ ପଞ୍ଜୀକୃତ କରାଇବା ବ୍ୟବସ୍ଥା ହୋଇଛି। ଏଥିସହ ପଟ୍ଟାମୁଣ୍ଡାଇ ବ୍ଲକ ଚାହାପଡ଼ା ସ୍ଥିତ ଏସ୍ଆଇପିଟିରୁ ପୁରାତନ ଓ ନୂତନ ଶିକ୍ଷାର୍ଥୀଙ୍କ ପରିଚୟ ମଗାଯାଇଛି ବୋଲି ସେ କହିଛନ୍ତି।