ହାତୀ ଚଲାପଥରେ ପାଇପ

କେନ୍ଦୁଝର,୧୭ା୬(ନରେଶ ପଟ୍ଟନାୟକ) କେନ୍ଦୁଝର ଜିଲାରେ ହାତୀପଲ ଖାଦ୍ୟ ଅନ୍ବେଷଣରେ ଗୋଟିଏ ଜଙ୍ଗଲରୁ ଅନ୍ୟ ଜଙ୍ଗଲକୁ ବୁଲୁଛନ୍ତି। ହାତୀ ଜଙ୍ଗଲରୁ ଅନ୍ୟ ଜଙ୍ଗଲକୁ ଯାତାୟାତ ବେଳେ ପ୍ରଶସ୍ତ ରାସ୍ତାଘାଟ ପାରହୋଇଯିବାକୁ ପଡୁଛି। ବିଶେଷ କରି ଜିଲାର ଏନ୍‌ଏଚ୍‌ ୨୦, ୪୯, ୫୨୦ ପାର ବେଳେ ଗାଡ଼ି, ବେଆଇନ ପାର୍କିଂ, ରାସ୍ତା କଡ଼ରେ ଖାଲଖମା ହାତୀଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି। ବର୍ତ୍ତମାନ କମ୍ପାନୀରୁ ଲୁହାପଥର ପରିବହନ ପାଇଁ ସ୍ଲରି ପାଇପ୍‌ ବିଛା କାମ ଚାଲିଥିବା ବେଳେ ହାତୀ ଚଲାପଥରେ ପାଇପ୍‌କୁ ବର୍ଷ ବର୍ଷ ଧରି ପକାଇ ରଖାଯାଇଛି। ବନ ବିଭାଗ ପ୍ରତିକାର କରିବା ପାଇଁ ରାସ୍ତାକଡ଼ରେ ସଚେତନତା ହୋର୍ଡିଂ ମାରି ଦାୟିତ୍ୱ ସାରି ଦେଉଛି।
ସହରରୁ ଘଟଗାଁ ଯିବା ବାଟରେ ରାସ୍ତାକଡ଼ରେ ଲୁହାପଥର ପରିବହନ ପାଇଁ ସ୍ଲରି ପାଇପ ବିଛା କାମ ଚାଲିଛି। ଦୀର୍ଘ ପ୍ରାୟ ୧ ବର୍ଷ ହେଲା ରାସ୍ତାକଡ଼ରେ ଜଙ୍ଗଲରେ ପାଇପ ବିଛାଇବା ପାଇଁ ଖନନ ଓ ପାଇପ ବିଛା ଚାଲିଥିବାରୁ ହାତୀ ଚଲାପଥ ପ୍ରଭାବିତ ହେଉଛି। କାମ କରୁଥିବା ସଂସ୍ଥା କାମ ବନ୍ଦ କରି ପାଇପଗୁଡ଼ିକୁ ପକାଇ ଛାଡ଼ି ଯାଇଥିବାରୁ ହାତୀ ଯାତାୟାତ କରିପାରୁନାହାନ୍ତି। ସେହିପରି ଅନେକ ସ୍ଥାନରେ ଖାଲ ଗୁଡ଼ିକକୁ ଠିକ୍‌ ଭାବରେ ପୋତାଯାଇନାହିଁ। ଫଳରେ ଖୋଳାଯାଇଥିବା ଖାଲ ହାତୀ ଓ ଅନ୍ୟ ବନ୍ୟପ୍ରାଣୀଙ୍କ ପାଇଁ ବିପଦର କାରଣ ହେଉଛି। ଏହି ରାସ୍ତାରେ ବନ ବିଭାଗ ତଥା ପ୍ରଶାସନିକ ବଡ଼ବାବୁମାନେ ଯାତାୟାତ କରୁଥିଲେ ହେଁ କାହାର ନଜର ପଡ଼ୁନାହିଁ। ଏ ନେଇ ସଦର ରେଞ୍ଚ ଅଧିକାରୀ ବିଜୟ କୁମାର ମହାନ୍ତ କହିଛନ୍ତି, କାମ କରୁଥିବା ସଂସ୍ଥାକୁ ହାତୀ ଚଳପ୍ରଚଳ ଅଞ୍ଚଳରେ ପାଇପ ପକାଇ ନ ରଖିବା, ଖାଲଖମା ପୋତିବା ପାଇଁ କୁହାଯାଇଛି।

Share