୩ ଦିନରେ ଥରେ ମିଳୁଛି ପାଇପ ପାଣି

ସଇଁତଳା,୨୦।୪(ଡି.ଏନ.ଏ.) – ବଲାଙ୍ଗୀର ଜିଲା ସଇଁତଳା ସଦର ମହକୁମାରେ ଏବେ ଉତ୍କଟ ଜଳାଭାବ ଦେଖାଦେଇଛି। ତାପମାତ୍ରା ୪୦ଡିଗ୍ରୀ ଉପରେ ରହୁଥିବା ବେଳେ ଜଳାଭାବ ସଙ୍ଗୀନ ପରିସ୍ଥିତି ସୃଷ୍ଟି କରିଛି। ପାରମ୍ପରକି ଜଳଉତ୍ସ ସବୁ ଶୁଖି ଯାଇଛି। କୂପ, ନଳକୂପରୁ ଆବଶ୍ୟକ ପାଣି ବାହାରୁ ନାହିଁ। ଏହି ପରିସ୍ଥିତିରେ ସଇଁତଳାରେ ଥିବା ଜଳ ଯୋଗାଣ ପ୍ରକଳ୍ପର ପାଣି ସମସ୍ତଙ୍କ ପାଖରେ ନ ପହଞ୍ଚିବା ଲୋକଙ୍କୁ କ୍ଷୁବ୍ଧ କରିଛି। ଏବେ ପାଣି ପାଇଁ ଲୋକେ ଡ଼ହଳ ବିକଳ ହେଉଛନ୍ତି।
ଦୀର୍ଘବର୍ଷ ହେବ ଲାନ୍ଥନଦୀରେ କୂପ ଖୋଳି ସଇଁତଳାକୁ ପାଇପ ଯୋଗେ ଜଳ ଯୋଗାଣ ହୋଇ ଆସୁଛି। ତେବେ ସବୁ ଷ୍ଟାଣ୍ଡପୋଷ୍ଟରେ ପାଣି ନ ପହଞ୍ଚତ୍ବାରେ ୨୦୧୭ ସେପ୍ଟେମ୍ବର ୧ତାରିଖରେ ବସୁଧା ଯୋଜନାରେ ୨ଲକ୍ଷ ଲିଟର ବିଶିଷ୍ଟ ଓଭରହେଡ ଟ୍ୟାଙ୍କ ନିର୍ମଣ ପାଇଁ ଶୁଭ ଦିଆଯାଇଥିଲା। ୬୬ ଲକ୍ଷ ୨୯ହଜାର ଟଙ୍କା ବ୍ୟୟ ଅଟକଳର ଏହି ନିର୍ମିତ ପାଣି ଟାଙ୍କିକୁ ସ୍ଥାନୀୟ ବିଧାୟିକା ତଥା ମନ୍ତ୍ରୀ ଟୁକୁନି ସାହୁ ୨୦୨୧ ଜୁନ ୨ତାରିଖ ଉଦ୍‌ଘାଟନ କରିଥିଲେ। ହେଲେ ଇତିମଧ୍ୟରେ ୧୦ମାସ ବତି ଯାଇଥିଲେ ବି ଏହା କାର୍ଯ୍ୟକ୍ଷମ ହୋଇ ପାରିଲା ନାହିଁ। ଫଳରେ ଯେଉଁ ଉଦ୍ଦେଶ୍ୟ ରଖି ଟ୍ୟାଙ୍କ ନିର୍ମାଣ କରାଯାଇଥିଲା ତାହା ସାଧିତ ହୋଇ ପାରି ନ ଥିବା ସ୍ଥାନୀୟ ଲୋକେ କହିଛନ୍ତି। ଅପରପକ୍ଷରେ ପ୍ରକଳ୍ପ ଆରମ୍ଭରୁ ବିଛା ଯାଇଥିବା ପାଇପଗୁଡିକ ପୁରୁଣା ହୋଇ ଯାଇଛି। ବହୁ ସ୍ଥାନରେ ଏହା ଫାଟି ଜଳ ଯୋଗାଣରେ ବ୍ୟାଘାତ ସୃଷ୍ଟି କରୁଛି। ଗତ କିଛିଦିନ ତଳେ ପାଇପ ଫାଟି ଯିବାରେ ୧୦ଦିନ କାଳ ସଇଁତଳାରେ ଜଳ ଯୋଗାଣ ବନ୍ଦ ରହିଥିଲା। ଆବଶ୍ୟକ ମରାମତି ପରେ ଜଳଯୋଗାଣ ସ୍ବଭାବିକ ହୋଇଥିଲେ ହେଁ ପୂର୍ବପରି ସଇଁତଳା ମୁଖ୍ୟାଳୟର ସବୁ କ୍ଷେତ୍ରକୁ ପାଣି ପହଞ୍ଚି ପାରିନାହିଁ। ଇତ୍ୟବସରେ ଲାନ୍ଥନଦୀ ଶୁଖିଲା ପଡିଥିବାରୁ ଖୋଳାଯାଇଥିବା କୂପରେ ପାଣିର ଅଭାବ ଦେଖାଦେଉଛି। ଏଥିଯୋଗୁ ସଇଁତଳାରେ ଥିବା ପଡ଼ାମାନଙ୍କୁ ଦୁଇ ତିନି ଦିନରେ ଥରେ ଲେଖାଏ ପାଣି ମିଳୁଛି। ଏହି ସମୟରେ ବିଦ୍ୟୁତ୍‌ ବିଭ୍ରାଟ ବହୁ ସମୟରେ ଜଳ ଯୋଗାଣରେ ବାଧା ସୃଷ୍ଟି କରୁଛି। ଏ ନେଇ ଜଳ ଓ ପରିମଳ ବିଭାଗ କନିଷ୍ଠ ଯନ୍ତ୍ରୀ ଇତିଶ୍ରୀ ଦେହୁରୀଙ୍କୁ ପଚାରିବାରୁ କିଛି କାମ ବାକି ରହି ଯାଇଥିବାରୁ ଓଭରହେଡ ଟ୍ୟାଙ୍କ କାର୍ଯ୍ୟକ୍ଷମ ହୋଇ ପାରୁ ନ ଥିବା କହଛନ୍ତି।