କାଉଡ଼ିଆ ନଦୀ, ସମୁଦ୍ରରେ ମିଶିଲା ପାଇପ୍‌ଲାଇନ ତେଲ

ପାରାଦୀପ,୨୧ା୧୦(ଶରତ ରାଉତ): ପାରାଦୀପରେ ବ୍ୟାପକ ଚୋରା କାରବାର ଘଟଣାକୁ ନେଇ ଅଘଟଣ ଘଟୁଥିଲେ ହେଁ ଏହାର କୌଣସି ପ୍ରଭାବ ପ୍ରଶାସନ ଉପରେ ପଡୁନାହିଁ। ୨ ଦିନ ତଳେ ମାଛଧରା ଡଙ୍ଗାରେ ବିଦେଶୀ ମଦ, ସିଗାରେଟ କାରବାର ସମୟରେ ଜଣେ ଯୁବକ ପାଣିରେ ଖସି ପଡ଼ିବାରୁ ତାଙ୍କର ମୃତ୍ୟୁ ଘଟିଥିଲା। ଉକ୍ତ ଘଟଣା ମନରୁ ନ ଯାଉଣୁ ପୁଣି ସେହି ନେହେରୁ ବଙ୍ଗଳା ଅଞ୍ଚଳରେ ରବିବାର ଆଉ ଏକ ଘଟଣା ଘଟିଛି। ପାରାଦୀପ ମେରାଇନ ଥାନା ଅନ୍ତର୍ଗତ ନେହେରୁ ବଙ୍ଗଳା ରାସ୍ତାର ଜେଏସ୍‌ଡବ୍ଲ୍ୟୁ କମ୍ପାନୀ ଛକ ପାଖରେ ମାଟି ତଳେ ଯାଇଥିବା ଇଣ୍ଡିଆନ୍‌ ଅଏଲ ପାଇପ୍‌ଲାଇନରୁ ବିପୁଳ ତେଲ ନିର୍ଗତ ହୋଇ ନିକଟସ୍ଥ କାଉଡ଼ିଆ ନଦୀ ଓ ସମୁଦ୍ରରେ ମିଶିଛି। ଘଟଣା ପ୍ରଘଟ ହେବାପରେ ଇଣ୍ଡିଆନ୍‌ ଅଏଲ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚତ୍ କଣାହୋଇଥିବା ପାଇପ୍‌ଲାଇନକୁ ମରାମତି କରିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି। ରିପୋର୍ଟ ଲେଖା ହେବା ସୁଦ୍ଧା ଥାନାରେ ଅଭିଯୋଗ ହୋଇନାହିଁ ବୋଲି ମେରାଇନ ଥାନାଧିକାରିଣୀ ସୁଜାତା ବେହେରା କହିଛନ୍ତି। ଘଟଣା ସମ୍ପର୍କରେ ଇଣ୍ଡିଆନ୍‌ ପାଇପ୍‌ଲାଇନ ଅଧିକାରୀ ଅମିତ୍‌ କୁମାରଙ୍କୁ ପଚାରିଲେ ସେ କିଛି ଜାଣିନାହାନ୍ତି ବୋଲି କହିଥିଲେ। ତେବେ ଯେଉଁ ଜାଗାରେ ତେଲ ପାଇପ୍‌ କଣା କରାଯାଇଛି, ସେଠାରେ ୨୪ ଘଣ୍ଟିଆ ଘରୋଇ ସିକ୍ୟୁରିଟି ମୁତୟନ କରାଯାଇଛି। ମାଟିରେ ମିଶିଥିବା ତେଲ କଳାଥିବା ବେଳେ ତାହା ଡିଜେଲ ଭଳି ଗନ୍ଧ ହେଉଥିଲା। ଯେଉଁଠି କଣା ହୋଇଛି ସେଠାରେ ପ୍ଲାଷ୍ଟିକ ବ୍ୟାରେଲ, ଛୋଟ ପାଇପ ଆଦି ପଡ଼ିଥିବା ଦେଖିବାକୁ ମିଳିଛି।
ସୂଚନାଯୋଗ୍ୟ, ପାରାଦୀପ ବନ୍ଦର ସାଉଥ୍‌ ଅଏଲ ବର୍ଥଠାରୁ ବାଉରିଆପାଳନନ୍ଦା ତୈଳ ଟର୍ମିନାଲ ପର୍ଯ୍ୟନ୍ତ ୧୩ କି.ମି. ୪ ଥାକିଆ ପାଇପ୍‌ଲାଇନ ମାଟି ତଳେ ଯାଇଛି। ଜାହାଜରେ ଆସୁଥିବା ତେଲ ସେହି ପାଇପ୍‌ଲାଇନ ଯୋଗେ ଟର୍ମିନାଲ ପର୍ଯ୍ୟନ୍ତ ନେବା ଆଣିବା କରାଯାଏ। ଉକ୍ତ ପାଇପ୍‌ଲାଇନ କାଉଡ଼ିଆ ନଦୀ ପାଖ ହେନ୍ତାଳ ବଣ ଓ ରାସ୍ତା ମଝିରେ ରହିଛି। ତେଲ ଚୋରମାନେ ଡଙ୍ଗାରେ ଆସି ବଣ ଭିତରେ ମାଟି ଖୋଳି ପାଇପ୍‌ କଣା କରି ତେଲ ସଂଗ୍ରହ କରିଥାନ୍ତି। ଏହା ପ୍ରାୟତଃ ଚାଲୁଥିବା ଅଭିଯୋଗ ହୁଏ। ଏହି କାର୍ଯ୍ୟରେ ଅଧିକାରୀ, ପୋଲିସ ଓ ଚୋରା ବେପାରୀଙ୍କ ମଧ୍ୟରେ ସମନ୍ବୟ ରହିଥାଏ ବୋଲି କୁହାଯାଏ। ସେମିତି ତେଲ ପାଇପ୍‌ କଣା କରିବା ସମୟରେ ତାହା ଫାଟି ଅଧିକ ମାତ୍ରାରେ ବାହାରି ଯାଇଥିବା ଚର୍ଚ୍ଚା ହେଉଛି।

Share