ବୋଝ ଉପରେ ନଳିତା ବିଡ଼ା: ବାଂଲାଦେଶରେ ଆର୍ଥିକ ସଙ୍କଟ ସହିତ ବିଦ୍ୟୁତ କାଟ୍‌, ଗରମରେ ଲୋକେ ଛଟପଛ…

ଢାକା,୧୧।୬ : ବାଂଲାଦେଶରେ ଗୋଟିଏ ପରେ ଗୋଟିଏ ସମସ୍ୟା ବୋଝ ଉପରେ ନଳିତା ବିଡ଼ା ପରି ଲଦି ହେବାରେ ଲାଗିଛି। ଆର୍ଥିକ ସଙ୍କଟ ଦେଇ ଜତି କରୁଥିବା ଦେଶରେ ଏବେ ବିଦ୍ୟୁତ ଶକ୍ତିର ଅଭାବ ଦେଖାଦେଇଛି। ଫଳରେ ଖରାଦିନେ ଦେଶରେ ମାତ୍ରାଧିକ ବିଦ୍ୟୁତ କାଟ୍‌ ହେଉଛି। ଲୋକେ ଗରମରେ ଛଟପଟ ହେଉଛନ୍ତି ବୋଲି ନ୍ୟୁଜ ଏଜେନ୍ସି ପକ୍ଷରୁ କୁହାଯାଇଛି।

ସମ୍ପ୍ରତି ଦେଶରେ ହାରାହାରି ତାପମାତ୍ରା ୪୧ ଡିଗ୍ରୀ ସେଲସିୟସରେ ରହିଛି। ବିଦ୍ୟୁତର ଚାହିଦା ବଢ଼ିବାରେ ଲାଗିଛି। ତେବେ ଏହାକୁ ପୂରଣ କରିବାକୁ ଅଧିକାରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଥି ସହିତ ଯୋଗାଣକାରୀମାନେ ପର୍ଯ୍ୟା ବିଦ୍ୟୁତ ଉତ୍ପାଦନ କେନ୍ଦ୍ରକୁ କୋଇଲା ଯୋଗାଣ ବନ୍ଦ କରିଦେଇଛନ୍ତି। ଯାହା ପ୍ରତିଦିନ ୧,୩୨୦ ମେଗାୱାଟ ବିଦ୍ୟୁତ ଉତ୍ପାଦନ କରିଥାଏ । ଯୋଗାଣକାରୀମାନେ ଅଭିଯୋଗ କରିଛନ୍ତି ସେମାନେ ଯୋଗାଉଥିବା କୋଇଲା ପାଇଁ ସେମାନଙ୍କୁ ଅର୍ଥ ଦିଆଯାଇ ନାହିଁ। ଏହି ପାୱାର ପ୍ଲାଣ୍ଟ କେବେ ପୁଣି କାର୍ଯ୍ୟକ୍ଷମ ହେବ ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ।

ବାଂଲାଦେଶର ଶକ୍ତି ମନ୍ତ୍ରୀ ନାସରୁଲ ହମିଦ ଏହି ସପ୍ତାହରେ ସଂସଦକୁ କହିଛନ୍ତି ବର୍ତ୍ତମାନ ଦେଶରେ ୨୫୦୦ ମେଗାୱାଟ ବିଦ୍ୟୁତ ଅଭାବ ରହିଛି। ଏହି କାରଣରୁ, ଗ୍ରାମାଞ୍ଚଳରେ ୧୦ ଘଣ୍ଟା ପର୍ଯ୍ୟନ୍ତ ଲୋଡ ସେଡିଙ୍ଗ କରିବାକୁ ପଡିବ। ବିଦ୍ୟୁତରେ ବାରମ୍ବାର କାଟ ଶିଳ୍ପ ପାଇଁ ସମସ୍ୟା ସୃଷ୍ଟି କରିଥିବାବେଳେ ସାଧାରଣ ଲୋକ ମଧ୍ୟ ଅସୁବିଧାରେ ପଡ଼ିଛନ୍ତି।

ଦେଶ ଅସ୍ବାଭାବିକ ଉତ୍ତାପର ସମ୍ମୁଖୀନ ହେଉଥିବା ସମୟରେ ବିଦ୍ୟୁତ ସଙ୍କଟ ଦେଖାଦେଇଛି। ଉତ୍ତାପ ଲହର ଯୋଗୁଁ କିଛି ଲୋକ ପ୍ରାଣ ହରାଇଛନ୍ତି କିମ୍ବା ଅସୁସ୍ଥ ହୋଇପଡିଥିବାର ଖବର ମଧ୍ୟ ଆସିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର ଏହି ସପ୍ତାହରେ ସାରା ଦେଶରେ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟ ବନ୍ଦ କରିବାକୁ ଘୋଷଣା କରିଥିଲେ। ରୋଗ ନିୟନ୍ତ୍ରଣ ନିର୍ଦ୍ଦେଶାଳୟର ମୁଖ୍ୟ ନଜମୁଲ ଇସଲାମ ମୁନ୍ନା ନିକ୍କାଇ କହିଛନ୍ତି ଉତ୍ତାପ ଲହର ଦେଶରେ ଏକ ଜନସ୍ବାସ୍ଥ୍ୟ ସମସ୍ୟାରେ ପରିଣତ ହୋଇଛି। ଡାକ୍ତରଖାନାରେ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।

 

Share