ସାଇବର ଆକ୍ରମଣରୁ ପାଇପ୍‌ଲାଇନ ବନ୍ଦ

ନ୍ୟୁୟର୍କ, ୧୧।୫: ଦୈନିକ ୨.୫ ନିୟୁତ ବ୍ୟାରେଲ୍‌ ଇନ୍ଧନ ପରିବହନ କରୁଥିବା ଆମେରିକାର ସର୍ବବୃହତ୍‌ କଲୋନିଆଲ ପାଇପ୍‌ଲାଇନ ରାନ୍‌ସମଓ୍ବେର ସାଇବର ଆକ୍ରମଣର ସମ୍ମୁଖୀନ ହେବା ଫଳରେ ୧୮ ରାଜ୍ୟକୁ ଡିଜେଲ୍‌, ପେଟ୍ରୋଲ ଓ ଜେଟ୍‌ ଇନ୍ଧନ ପରିବହନ ଗୁରୁତର ବାଧାପ୍ରାପ୍ତ ହୋଇଛି। ଇଷ୍ଟ କୋଷ୍ଟର ୪୫ ପ୍ରତିଶତ ଇନ୍ଧନ ଉକ୍ତ ପାଇପ୍‌ଲାଇନରେ ପରିବହନ ହେଉଥିଲା। ୩ ଦିନ ହେଲା ଲାଇନରେ ଯୋଗାଣ ବନ୍ଦ ରହିଛି। ଫଳରେ ଆମେରିକା ପରିବହନ ବିଭାଗ ପକ୍ଷରୁ ଆଞ୍ଚଳିକ ଜରୁରୀ ପରିସ୍ଥିତି ଜାରି କରାଯାଇଛି। ସଡ଼କ ପଥରେ ଇନ୍ଧନ ପରିବହନ ଲାଗି ସରକାର ନିୟମ କୋହଳ କରିଛନ୍ତି। ଅର୍ଥାତ୍‌ ୧୮ ରାଜ୍ୟର ଡ୍ରାଇଭରମାନେ ଅଧିକ ସମୟ କାର୍ଯ୍ୟ କରି ପେଟ୍ରୋଲିୟମ ସାମଗ୍ରୀ ପରିବହନ କରିପାରିବେ।
ଡାର୍କସାଇଡ୍‌ ନାମକ ଅପରାଧୀ ଗ୍ୟାଙ୍ଗ ଏଭଳି ସାଇବର ଆକ୍ରମଣରେ ସମ୍ପୃକ୍ତ ଥିବା କୁହାଯାଉଛି। ଏହି ଗ୍ୟାଙ୍ଗ ବିଭିନ୍ନ କର୍ପୋରେଶନଠାରୁ ସଂଗ୍ରହ କରୁଥିବା ଅର୍ଥର ଏକ ଭାଗ ଦାତବ୍ୟ ଅନୁଷ୍ଠାନକୁ ପ୍ରଦାନ କରିଥାଏ ବୋଲି ତଦନ୍ତ ସହ ଜଡ଼ିତ ଦୁଇଜଣ ବ୍ୟକ୍ତି ସୂଚନା ଦେଇଛନ୍ତି। ଶୁକ୍ରବାରଠାରୁ କମ୍ପାନୀ ଅଫ୍‌ଲାଇନରେ ଇନ୍ଧନ ପରିବହନ କରିବା ସହ ସେବା ପୁନର୍ବାର କାର୍ଯ୍ୟକାରୀ କରିବା ଲାଗି ଉଦ୍ୟମ ଜାରି ରଖିଥିବା କହିଛି। ପେଟ୍ରୋଲ ପମ୍ପ୍‌ଗୁଡ଼ିକରେ ଇନ୍ଧନ ଦର ବଢ଼ି ନାହିଁ। ତେବେ ଏଭଳି ଅବସ୍ଥା ଅଧିକ ଦିନ ଲାଗି ରହିଲେ ଦର ବଢ଼ିବା ଆଶଙ୍କା ରହିଛି। ମଙ୍ଗଳବାର ସୁଦ୍ଧା ଯଦି ସମସ୍ୟାର ସମାଧାନ ନ ହୁଏ ତେବେ ବଡ଼ ବିପର୍ଯ୍ୟୟ ଦେଖାଦେବ ବୋଲି ତୈଳ ବଜାର ବିଶ୍ଳେଷକ ଗୌରବ ଶର୍ମା କହିଛନ୍ତି। ଜର୍ଜିଆର କଲୋନିଆଲ ପାଇପ୍‌ଲାଇନ ଦ୍ୱାରା ପରିଚାଳିତ ଉକ୍ତ ପାଇପ୍‌ରେ ଟେକ୍ସାସ୍‌ରୁ ଉତ୍ତରପୂର୍ବାଞ୍ଚଳ ରାଜ୍ୟଗୁଡ଼ିକୁ ଗ୍ୟାସୋଲିନ୍‌, ଡିଜେଲ ଓ ପେଟ୍ରୋଲ ପରିବହନ ହେଉଥିଲା। ସାଇବର ଅପରାଧୀମାନେ ଡାଟା ଏନ୍‌କ୍ରିପ୍ଟ କରିବା ସହ ନେଟ୍‌ଓ୍ବର୍କକୁ ଅଚଳ କରିଦେବା ଫଳରେ କମ୍ପ୍ୟୁଟର ସିଷ୍ଟମ ଲକ୍‌ ହୋଇଯାଏ। ଏହା ପରେ ସେମାନେ ରାନ୍‌ସମଓ୍ବେର ଆକ୍ରମଣରୁ ସିଷ୍ଟମକୁ ମୁକ୍ତ କରିବା ଲାଗି ମୋଟା ଅଙ୍କର ଅର୍ଥ ଦାବି କରିଥାନ୍ତି। ତେବେ କଲୋନିଆଲ ପାଇପ୍‌ଲାଇନକୁ ସାଇବର ଅପରାଧୀ ଅର୍ଥ ମାଗିଛନ୍ତି କି ନାହିଁ କିମ୍ବା ବୁଝାମଣା ହୋଇଛି କି ନାହିଁ ସେ ସମ୍ପର୍କରେ କମ୍ପାନୀ ପକ୍ଷରୁ କିଛି କୁହାଯାଇନାହିଁ।
ସାଇବର ଆକ୍ରମଣ ଆମେରିକାର ବାଣିଜ୍ୟ ପାଇଁ ଚିନ୍ତାର କାରଣ ହୋଇଛି। ଏହାର ପ୍ରତିକାର ଲାଗି ହୋମଲ୍ୟାଣ୍ଡ ସିକ୍ୟୁରିଟି ବିଭାଗ ସହ ମିଶି ଉଦ୍ୟମ ଚଳାଇଥିବା ଆମେରିକା ବାଣିଜ୍ୟ ସଚିବ ରାଇମଣ୍ଡୋ କହିଛନ୍ତି। ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କୁ ମଧ୍ୟ ସାଇବର ଆକ୍ରମଣ ସମ୍ପର୍କରେ ଅବଗତ କରାଯାଇଛି।

Share