ପିପିଲି ଉପନିର୍ବାଚନ: ରାଲି, ସଭାସମିତି କରିବନି ବିଜେଡି

ଭୁବନେଶ୍ୱର,୨୦।୪(ବ୍ୟୁରୋ): ରାଜ୍ୟରେ କୋଭିଡ୍‌-୧୯ ସଂକ୍ରମଣ ବଢ଼ିଚାଲିଛି। ଏହାକୁ ଦୃଷ୍ଟିରେ ରଖି ବିଜୁ ଜନତା ଦଳ(ବିଜେଡି) ଆସନ୍ତା ପିପିଲି ଉପନିର୍ବାଚନ ପାଇଁ ରାଜନୈତିକ ଶୋଭାଯାତ୍ରା ଓ ସଭାସମିତି ନ କରିବାକୁ ନିଷ୍ପତ୍ତି ନେଇଛି। ସୋମବାର ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଟୁଇଟ୍‌ କରି ଏହି ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଟୁଇଟ୍‌ରେ କହିଛନ୍ତି, ବିଜେଡି ଏକ ଦାୟିତ୍ୱସମ୍ପନ୍ନ ରାଜନୈତିକ ଦଳ। ଲୋକମାନଙ୍କ ଜୀବନକୁ କେବେ ବି ବିପଦରେ ପକାଇବ ନାହିଁ। ଜନସାଧାରଣଙ୍କ ସେବା କରିବା ପାଇଁ ଆମେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛୁ। ଯଦି ପ୍ରଚାର ଲୋକମାନଙ୍କ ଜୀବନକୁ ବିପଦଗ୍ରସ୍ତ କରୁଛି ତେବେ ସମସ୍ତ ନିର୍ବାଚନ ପ୍ରଚାରର ପଦ୍ଧତି ଓ ସମୟକୁ ପରିବର୍ତ୍ତନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଉଭୟ ରାଜନୈତିକ ଦଳ ଓ ଭାରତର ନିର୍ବାଚନ କମିଶନଙ୍କୁ ନିବେଦନ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରତ୍ୟେକ ଜୀବନ ମୂଲ୍ୟବାନ। ଓଡ଼ିଶାବାସୀଙ୍କୁ ମୁଁ ସବୁବେଳେ ମୋ ପରିବାର ଭାବେ ଚିନ୍ତା କରିଆସିଛି। ଦେଶରେ ବୃଦ୍ଧି ପାଉଥିବା କୋଭିଡ୍‌-୧୯ ମହାମାରୀକୁ ଦୃଷ୍ଟିରେ ରଖି ବିଜେଡି ଆସନ୍ତା ପିପିଲି ଉପନିର୍ବାଚନରେ କୌଣସି ପ୍ରକାର ରାଜନୈତିକ ସଭାସମିତି କିମ୍ବା ରାଲି ନ କରିବାକୁ ନିଷ୍ପତ୍ତି ନେଇଛି।

Share