ବଲାଙ୍ଗୀର ଅଫିସ, ୩ା୧୨: ବଲାଙ୍ଗୀର ଜିଲା ପୁଇଁତଲା ବ୍ଳକ ଆଟଗାଁ ଗ୍ରାମପଞ୍ଚାୟତର ସାନବୁର୍କାବାହାଲ ଗାଁକୁ ସଂଯୋଗ କରୁଥିବା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ମରାମତି ଓ ରକ୍ଷଣାବେକ୍ଷଣ ଅଭାବରୁ ଶୋଚନୀୟ ହୋଇପଡିଛି। ୨୦୧୩ ମସିହାରେ ଆଟଗାଁ ଗାଁମୁଣ୍ଡରୁ ସାନବୁର୍କାବାହାଲ ପ୍ରାୟ ୩ କିମିି ଲମ୍ବର ଏହି ରାସ୍ତାକୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ସାମିଲ କରାଯାଇ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ତିଆରି କରାଯାଇଥିଲା। ରାସ୍ତା ତିଆରି ଶେଷ ତାରିଖରୁ ୫ ବର୍ଷ ପର୍ଯ୍ୟନ୍ତ ମରାମତି ଓ ରକ୍ଷଣାବେକ୍ଷଣ ବିଭାଗ ଦାୟିତ୍ୱରେ ରହିଥିଲା। ଠିକ୍ଭାବେ ମରାମତି ନ ହେବାରୁ ଏହି ରାସ୍ତାଟି ଏବେ ଶୋଚନୀୟ ହୋଇପଡିଛି। ରାସ୍ତା ଉପରୁ ପିଚୁ ଉଠି ଯାଇଛି। ମେଟାଲଗୁଡିକ ବାହାରି ପଡି ଚଳାଚଳ ଅସୁବିଧାଜନକ ହେଉଛି। ଏନେଇ ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ ରାଜେନ୍ଦ୍ର ପ୍ରସାଦ ଆଚାର୍ଯ୍ୟଙ୍କୁ ପଚରାଯିବାରୁ ଏହି ରାସ୍ତାରେ ଦ୍ୱିତୀୟ ଥର ପିଚୁ କରାଯିବା ସମୟ ହୋଇଯାଇଛି। ତେବେ ଆଲଟମେଣ୍ଟ ନ ଥିବାରୁ ହୋଇପାରିନାହିଁ। ଆଗାମୀ ୨୦୨୧-୨୨ ଆର୍ଥିକ ବର୍ଷର ପ୍ରଥମ ପର୍ଯ୍ୟାୟରେ ଏହି ରାସ୍ତା କାମ କରାଯିବାକୁ ସରକାରଙ୍କୁ ସୁପାରିଶ ଶୀଘ୍ର ପଠାଯିବ ବୋଲି ସେ କହିଛନ୍ତି।