Categories: ଖେଳ

ଇଂଲଣ୍ଡକୁ ଡରାଇଲେ ରାହାନେ

ଅହମ୍ମଦାବାଦ,୨।୩ : ଚଳିତ ଭାରତ ବିପକ୍ଷ ଟେଷ୍ଟ ସିରିଜ୍‌ର ଅନ୍ତିମ ଦୁଇ ମ୍ୟାଚ୍‌ରେ ଇଂଲଣ୍ଡ ଦଳର ଅବସ୍ଥା ନ କହିଲେ ଭଲ। ଦୁଇଟି ଟେଷ୍ଟର ୪ଟି ଇନିଂସରେ ଦଳର କୌଣସି ବ୍ୟାଟ୍ସମ୍ୟାନ ଭାରତୀୟ ସ୍ପିନରଙ୍କ ଆଗରେ ଛିଡ଼ାହୋଇ ପାରି ନ ଥିଲେ। ତେବେ ଚତୁର୍ଥ ଟେଷ୍ଟ ମଧ୍ୟ ଟର୍ନିଂ ପିଚ୍‌ରେ ଖେଳାଯିବ ବୋଲି କହି ଭ୍ରମଣକାରୀ ଦଳର ଖେଳାଳିଙ୍କୁ ଡରାଇ ଦେଇଛନ୍ତି ଭାରତୀୟ ଟେଷ୍ଟ ଦଳର ଉପ ଅଧିନାୟକ ଅଜିଙ୍କ୍ୟ ରାହାନେ।

” ଇଂଲଣ୍ଡ ଦଳକୁ ପୁଣି ଥରେ ଟର୍ନିଂ ପିଚ୍‌ରେ ଖେଳିବାକୁ ପଡ଼ିବ। ଦ୍ୱିତୀୟ ଓ ତୃତୀୟ ଟେଷ୍ଟ ଯେଉଁଭଳି ପିଚ୍‌ରେ ଖେଳାଯାଇଥିଲା, ପ୍ରାୟ ସେହି ଭଳି ପିଚ୍‌ ଚତୁର୍ଥ ଟେଷ୍ଟ ଲାଗି ପ୍ରସ୍ତୁତ କରାଯାଇଛି। ପାରମ୍ପରିକ ରେଡ୍‌ ବଲ ଅପେକ୍ଷା ପିଙ୍କ୍‌ ବଲ ଅଧିକ ବେଗରେ ଗତି କରୁଥିଲା, ଯାହାକି ଦିବାରାତ୍ର ଟେଷ୍ଟରେ ବ୍ୟାଟ୍ସମ୍ୟାନଙ୍କ ପାଇଁ ସମସ୍ୟା ପାଲଟିଥିଲା “ ବୋଲି ଭର୍ଚୁଆଲ ଖବରଦାତା ସମ୍ମିଳନୀରେ ରାହାନେ କହିଛନ୍ତି।

ଟର୍ନିଂ ପିଚ୍‌ ପ୍ରସ୍ତୁତିକୁ ଇଂଲଣ୍ଡର କିଛି ପ୍ରାକ୍ତନ ଖେଳାଳି ସମାଲୋଚନା କରୁଛନ୍ତି। ଏପରି କି ସ୍ପିନରଙ୍କୁ ସୁହାଇଲା ଭଳି ପିଚ୍‌ ପ୍ରସ୍ତୁତ କରୁଥିବା ଭାରତ ବିରୋଧରେ ଆଇସିସି କାର୍ଯ୍ୟାନୁଷ୍ଠାନ ନେବା ଦରକାର ବୋଲି କିଛି ମତ ରଖିଥିଲେ। ଏ ସମ୍ପର୍କରେ ରାହାନେ କହିଛନ୍ତି, ”ଲୋକେ ଯାହା କହିବାକୁ ଚାହୁଁଛନ୍ତି, ତାହା କହିବାକୁ ଦିଅ। ଆମେ ଯେତେବେଳେ ବିଦେଶ ଯାଉ କେହି ସିମ୍‌ କିମ୍ବା ଅସମତଳ ବାଉନ୍ସ କଥା ଉଠାନ୍ତି ନାହିଁ। ସେମାନେ ସର୍ବଦା ଭାରତୀୟ ବ୍ୟାଟ୍ସମ୍ୟାନ ଟେକନିକ ଉପରେ ପ୍ରଶ୍ନ ଉଠାନ୍ତି। ମୋ ମତରେ ଲୋକେ କ’ଣ କହୁଛନ୍ତି, ତାକୁ ଗୁରୁତ୍ୱ ଦେବା ଦରକାର ନାହିଁ।“

Share