Categories: ଜାତୀୟ

ପିଟ୍ରୋଡାଙ୍କ ବୟାନକୁ ନେଇ ବର୍ଷିଲେ ମୋଦି, କହିଲେ କଳା ରଙ୍ଗ କହି ଆକ୍ଷେପ କଲେ…

ନୂଆଦିଲ୍ଲୀ,୮।୫: ବରିଷ୍ଠ କଂଗ୍ରେସ ନେତା ସାମ ପିଟ୍ରୋଡାଙ୍କ ବୟାନକୁ ନେଇ ଜାତୀୟ ରାଜନୀତି ସରଗରମ ରହିଛି। ‘ଦି ଷ୍ଟେଟମ୍ୟାନ’କୁ ଦେଇଥିବା ଏକ ସ୍ବତନ୍ତ୍ର ସାକ୍ଷାତକାରରେ ସାମ ପିଟ୍ରୋଡା ଭାରତୀୟଙ୍କ ରଙ୍ଗ ଓ ରୂପକୁ ନେଇ ବିବାଦୀୟ ବୟାନ ଦେଇଛନ୍ତି। ସେ ଭାରତକୁ ଏକ ବିବିଧ ଦେଶ ଭାବରେ ବର୍ଣ୍ଣନା କରିଛନ୍ତି। ପୂର୍ବୋତ୍ତର ଲୋକମାନେ ଚାଇନିଜ ଓ ପଶ୍ଚିମ ଭାରତର ଲୋକମାନେ ଆରବ ଭଳି, ଉତ୍ତର ଭାରତରେ ଲୋକମାନେ ଗୋରା ଏବଂ ଦକ୍ଷିଣ ଭାରତରେ ଲୋକମାନେ ଆଫ୍ରିକୀୟ ପରି ଦେଖାଯାଉଛନ୍ତି ବୋଲି କହିଛନ୍ତି। ଯାହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଟାର୍ଗେଟ କରିଛନ୍ତି।

ତେଲଙ୍ଗାନାର ୱାରଙ୍ଗାଲରେ ଏକ ରାଲିକୁ ସମ୍ବୋଧିତ କରିବାବେଳେ ମୋଦି କହିଛନ୍ତି, ଆଜି ମୁଁ ବହୁତ ରାଗିଛି। ମୋତେ ଦୁର୍ବ୍ୟବହାର କରାଯାଇଥିଲା, ମୁଁ ଏହାକୁ ସହ୍ୟ କରିଥିଲ। କିନ୍ତୁ ରାହୁଲ ଗାନ୍ଧୀଙ୍କ ଉପଦେଷ୍ଟା ଯାହା କହିଛନ୍ତି ତାହା ମୋତେ ଅସନ୍ତୁଷ କରିଛି। ସେମାନେ ମୋ ଦେଶବାସୀଙ୍କ ଚର୍ମ ରଙ୍ଗକୁ ନେଇ ଅପମାନ କରିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି, ରାଜକୁମାର ରାହୁଲଙ୍କ ଗାଇଡ ଅଙ୍କଲ କହିଛନ୍ତି ଯେ ଯେଉଁମାନଙ୍କର କଳା ଚେହେରା ଅଛି ସେମାନେ ଆଫ୍ରିକାର। ରଙ୍ଗ ଆଧାରରେ ଏତେ ବଡ଼ ଅପମାନ କରିଛନ୍ତି। ଚର୍ମର ରଙ୍ଗକୁ ଦେଖି ମାନିନେଲେ କି, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଫ୍ରିକୀୟ ଅଟନ୍ତି। ଆଜି ତାଙ୍କର ଚିନ୍ତାଧାରା ସାମ୍ନାକୁ ଆସିଛି। ଚର୍ମର ରଙ୍ଗ ଯାହା ହେଇଥାଉ, ଆମେ ଶ୍ରୀକୃଷ୍ଣଙ୍କୁ ପୂଜା କରିଥାଉ।

ପିଏମ ମୋଦି ଆହୁରି କହିଛନ୍ତି, ରାଜକୁମାର ଆପଣଙ୍କୁ ଉତ୍ତର ଦେବାକୁ ପଡିବ। ଚର୍ମ ରଙ୍ଗ ଆଧାରରେ ଦେଶକୁ ଅପମାନ କିମ୍ବା ନାଗରିକଙ୍କ ପ୍ରତି ଅପମାନକୁ ବରଦାସ୍ତ କରାଯିବ ନାହିଁ। ମୋଦି ଏହାକୁ କଦାପି ବରଦାସ୍ତ କରିବେ ନାହିଁ। ଆପଣଙ୍କୁ ଉତ୍ତର ରଖିବାକୁ ପଡିବ।

Share