Categories: ଜାତୀୟ

ମହାରାଷ୍ଟ୍ରରୁ ପୀୟୂଷ, କର୍ନାଟକରୁ ନିର୍ମଳା ଭାଜପା ପ୍ରାର୍ଥୀ

ନୂଆଦିଲ୍ଲୀ,୩୦।୫: ଜୁନ୍‌ ୧୦ରେ ହେବାକୁ ଥିବା ରାଜ୍ୟ ସଭା ନିର୍ବାଚନ ଲାଗି ଭାଜପା ରବିବାର ପ୍ରଥମ ପର୍ଯ୍ୟାୟରେ ୧୬ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରାମନ୍‌ଙ୍କୁ କର୍ନାଟକରୁ ଏବଂ ପୀୟୂଷ ଗୋୟଲଙ୍କୁ ମହାରାଷ୍ଟ୍ରରୁ ପ୍ରାର୍ଥୀ କରାଯାଇଛି। ଭାଜପାର ପ୍ରଥମ ପର୍ଯ୍ୟାୟ ତାଲିକାରେ ଉତ୍ତରପ୍ରଦେଶରୁ ୨ ମହିଳାଙ୍କ ସମେତ ୬ ଜଣ ପ୍ରାର୍ଥୀ ରହିଛନ୍ତି। ମହିଳା ପ୍ରାର୍ଥୀ ହେଲେ ଦର୍ଶନ ସିଂ ଏବଂ ସଙ୍ଗୀତା ଯାଦବ। ମହାରାଷ୍ଟ୍ର, କର୍ନାଟକ ଓ ବିହାର ପାଇଁ ଭାଜପା ୨ ଜଣ ଲେଖାଏ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିବାବେଳେ ମଧ୍ୟପ୍ରଦେଶ, ରାଜସ୍ଥାନ, ଉତ୍ତରାଖଣ୍ଡ, ହରିୟାଣା ପାଇଁ ଜଣେ ଲେଖାଏ ପ୍ରାର୍ଥୀଙ୍କ ନାଁ ପ୍ରକାଶ ପାଇଛି। ପୂର୍ବରୁ ହରିୟାଣାରୁ ରାଜ୍ୟ ସଭା ସଦସ୍ୟ ଥିବା ଭାଜପା ସାଧାରଣ ସମ୍ପାଦକ ଦୁଷ୍ୟନ୍ତ ଗୌତମଙ୍କୁ ଏଥର ପ୍ରାର୍ଥୀ କରାଯାଇ ନାହିଁ।

ହରିୟାଣାରୁ ପୂର୍ବତନ ବିଧାୟକ କ୍ରିଷ୍ଣନ ଲାଲ୍‌ ପନଓ୍ବାରଙ୍କୁ ଦଳ ଟିକେଟ ଦେଇଛି। ସେହିପରି ମଧ୍ୟପ୍ରଦେଶରୁ କବିତା ପଟିଦାର, ରାଜସ୍ଥାନରୁ ଘନଶ୍ୟାମ ତିଓ୍ବାରୀ ଏବଂ ଉତ୍ତରାଖଣ୍ଡରୁ କଳ୍ପନା ସାଇନି ପ୍ରାର୍ଥୀ ହୋଇଛନ୍ତି। ସେହିପରି ବିହାରରୁ ସତୀଶ ଚନ୍ଦ୍ର ଦୁବେ ଏବଂ ଶମ୍ଭୁ ଶରଣ ପଟେଲ ପ୍ରାର୍ଥୀ ହୋଇଥିବାବେଳେ ମହାରାଷ୍ଟ୍ରରୁ ଅନିଲ ସୁଖଦେବରାଓ ବଣ୍ଡେ ଏବଂ କର୍ନାଟକରୁ ଜଗେଶଙ୍କୁ ଭାଜପା ଟିକେଟ ଦେଇଛି।

ମିଳିତ ପ୍ରାର୍ଥୀ ଦେବେ ଜେଏମ୍‌ଏମ୍‌-କଂଗ୍ରେସ

ଝାଡ଼ଖଣ୍ଡର ଶାସକ ମେଣ୍ଟ ଜେଏମ୍‌ଏମ୍‌-କଂଗ୍ରେସ ରାଜ୍ୟରେ ଖାଲି ହେବାକୁ ଥିବା ଗୋଟିଏ ରାଜ୍ୟ ସଭା ଆସନ ଲାଗି ମିଳିତ ପ୍ରାର୍ଥୀ ଦେବେ। ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ରବିବାର ଏହା ଘୋଷଣଶ କରିଛନ୍ତି। ସହଯୋଗୀ କଂଗ୍ରେସ ସହ ବିବାଦ ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି। ତେବେ ରାଜ୍ୟ ସଭା ପ୍ରାର୍ଥୀ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାରୁ ହେବେ କି କଂଗ୍ରେସରୁ ତାହା ସେ ସ୍ପଷ୍ଟ କରିନାହାନ୍ତି। ରାଞ୍ଚତ୍ରୁ ନାମ ଘୋଷଣା କରାଯିବ ବୋଲି ଜେଏମ୍‌ଏମ୍‌ ନେତା କହିଛନ୍ତି। ଶନିବାର ଜେଏମ୍‌ଏମ୍‌ ବିଧାୟକ ଦଳ ବୈଠକ ପରେ ସେ ଦିଲ୍ଲୀ ଯାଇ ରାଜ୍ୟ ସଭା ନିର୍ବାଚନ ସମ୍ପର୍କରେ କଂଗ୍ରେସ ନେତୃତ୍ୱ ସହ ଆଲୋଚନା କରିଥିଲେ। ମିଳିତ ପ୍ରାର୍ଥୀ ଦେବାକୁ ନିଷ୍ପତ୍ତି ହୋଇଥିବା ସୋରେନ୍‌ କହିଛନ୍ତି।

Share