Categories: ଜାତୀୟ

‘ଗଣତନ୍ତ୍ର ପ୍ରତି କଂଗ୍ରେସର ରହିଛି ବିନାଶକାରୀ ମନୋଭାବ’

ନୂଆଦିଲ୍ଲୀ,୨୦।୭: ପ୍ୟାକଡ୍‌ କ୍ଷୀର, ଦହି, ଅଟା, ଚାଉଳ ଇତ୍ୟାଦି ଦୈନନ୍ଦିନ ଆବଶ୍ୟକ ଖାଦ୍ୟ ଉପରେ ଜିଏସ୍‌ଟି ଲାଗୁ ହେବା ପରେ ବିରୋଧୀ ବାରମ୍ବାର କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରୁଛନ୍ତି। ମୁଦ୍ରାସ୍ଫୀତି ଏବଂ ଜିଏସ୍‌ଟି ଉପରେ ଆଲୋଚନାରୁ ସରକାର ପଳାୟନ କରୁଥିବା ବିରୋଧୀ ଅଭିଯୋଗ କରିଛନ୍ତି। ବୁଧବାର କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି, ସରକାର ମୁଦ୍ରାସ୍ଫୀତି ଏବଂ ଜିଏସ୍‌ଟି ବିତର୍କରୁ ଦୂରେଇ ଯାଉନାହାଁନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କରୋନାରୁ ସୁସ୍ଥ ହେବା ପରେ ସଂସଦରେ ଏହି ପ୍ରସଙ୍ଗ ଉପରେ ଆଲୋଚନା କରାଯାଇପାରିବ। ଗୃହ କାର୍ଯ୍ୟରେ କଂଗ୍ରେସ ବାଧା ସୃଷ୍ଟି କରିଥିବା ସେ ଅଭିଯୋଗ କରିଛନ୍ତି।
ଗଣତନ୍ତ୍ର ପ୍ରତି କଂଗ୍ରେସର ବିନାଶକାରୀ ମନୋଭାବ ରହିଛି। କଂଗ୍ରେସ ନେତା ଜୟରାମ ରମେଶଙ୍କ ଟୁଇଟ୍‌ରୁ ଯାହା ଜଣାପଡୁଛି କଂଗ୍ରେସ ଗୃହକୁ ଭର କରିବାକୁ ଚାହୁଁଛି। କିଏ ସଂସଦରେ ଅଧିକ ବାଧା ସୃଷ୍ଟି କରିବ ସେନେଇ ବିରୋଧୀ ଦଳ ମଧ୍ୟରେ ଏକପ୍ରକାର ପ୍ରତିଯୋଗିତା ଚାଲିଛି ବୋଲି ଗୋୟଲ କହିଛନ୍ତି।
ସୂଚନାଯୋଗ୍ୟ, ବିରୋଧୀଙ୍କ ପ୍ରତିବାଦ ଯୋଗୁ ମୌସୁମୀ ଅଧିବେଶନର ତୃତୀୟ ଦିନରେ ଉଭୟ ଲୋକ ସଭା ଓ ରାଜ୍ୟ ସଭାର ପ୍ରକ୍ରିୟା ବାରମ୍ବାର ସ୍ଥଗିତ ରଖିବାକୁ ପଡୁଛି।

Share