ରାସ୍ତାକଡ଼ରେ ପଡ଼ିଥିବା ପିଜା ଡବା ହଲୁଥିଲା: ପାଖକୁ ଯାଇ ଦେଖିବା ପରେ ଉଡ଼ିଗଲା ହୋସ୍‌

ଅର୍ଥ ଅଭାବରୁ ଲୋକେ କିଛି ବି କରିବାକୁ ପଛାନ୍ତି ନାହିଁ। ବେଳେ ବେଳେ ସେମାନେ ଏପରି ଭୁଲ ନିଷ୍ପତ୍ତି ନେଇଥାନ୍ତି, ଯାହା ବିଷୟରେ କେହି କେବେ କଳ୍ପନା ମଧ୍ୟ କରିପାରିବ ନାହିଁ। ସେମିତି କିଛି ଘଟିଛି ମେକ୍ସିକୋରେ।
ମେକ୍ସିକୋର ତଲାଲଟେନାଙ୍ଗୋ ସହର ରାସ୍ତାକଡ଼ରେ ଏକ ପିଜା ଡବା ପଡ଼ିଥିଲା, ଯାହାକି ହଲୁଥିଲା। ରାସ୍ତାରେ ଯାଉଥିବା ଲୋକଙ୍କ ନଜର ତା ଉପରେ ପଡ଼ୁଥିଲା। ମାତ୍ର ମୁଷା ସେପରି କରୁଥିବ ଭାବି ସେମାନେ ଏହାକୁ ପ୍ରଥମେ ଅଣଦେଖା କରୁଥିଲେ। ପରେ ବାକ୍ସଟି ଜୋର୍‌ରେ ହଲିବାରୁ କିଛି ଲୋକ ନିକଟକୁ ଯାଇ ଡବାଟିକୁ ଖୋଲିଥିଲେ। ସପ୍ତାହକର ଏକ ଶିଶୁ କପଡ଼ାରେ ଗୁଡ଼ାହୋଇ ଉକ୍ତ ଡବାରେ ଥିବା ସେମାନେ ଦେଖିବାକୁ ପାଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଡବାରେ ଥିବା ଏକ ଚିଠି ପାଇଥିଲା। ଉକ୍ତ ଚିଠି ସ୍ପେନିଶ ଭାଷାରେ ଲେଖା ହୋଇଥିଲା। ତେବେ ଚିଠିରେ ଲେଖାଥିଲା, ଶିଶୁକୁ ଜନ୍ମ ଦେବା ପରେ ତା’ ମା’ର ମୃତ୍ୟୁ ଘଟିଛି। ଶିଶୁକୁ ପୋଷିବା ପାଇଁ ମୋ ପାଖରେ ଟଙ୍କା ନାହିଁ। ତେଣୁ ମୁଁ ତାର ଯତ୍ନ ନେଇପାରିବେ ନାହିଁ। ଏହି କାରଣରୁ ମୁଁ ଶିଶୁକୁ ଡବାରେ ପୁରାଇ ରାସ୍ତା କଡ଼ରେ ଥୋଇ ଦେଇଛନ୍ତି। ଯାହାକୁ ଏହା ମିଳିବ, ମୋର ନାତିର ଧ୍ୟାନ ରଖିବ। ତେବେ ଏଥିରୁ ଯାହା ଅନୁମାନ କରାଯାଉଛି ଚିଠିଟିକୁ ଶିଶୁର ଜେଜେ ବାପା ଲେଖିଛନ୍ତି। ସୋସିଆଲ ସର୍ଭିସ ଟିମ୍‌କୁ ଯୋଗାଯୋଗ କରାଯିବା ସହ ଶିଶୁକୁ ହସ୍ପିଟାଲରେ ଭର୍ତ୍ତି କରାଗଲା। ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛି। ଏହି ଟିମ୍‌ ଶିଶୁର ଫଟୋ ଉଠାଇ ସୋସିଆଲ ମିଡିଆରେ ଛାଡିଲେ। ପରେ ଶିଶୁକୁ ନେବା ପାଇଁ ଅଧିକାଂଶ ଲୋକ ଆଗ୍ରହ ପ୍ରକାଶ କଲେ। ତେବେ ସହରର ମେୟର ଶିଶୁଟର ସମସ୍ତ ଦାୟିତ୍ୱ ନେଇଥିବା ଜଣାପଡ଼ିଛି।

Share