Categories: ଜାତୀୟ

କଂଗ୍ରେସ ପାଇଁ ପିକେଙ୍କ ‘୩୭୦ ପ୍ଲସ୍‌ ଫର୍ମୂଲା’…

ନୂଆଦିଲ୍ଲୀ, ୧୭।୪ : ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର (ପିକେ) କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ଦଳର ଅନ୍ୟ ୧୦ ବରିଷ୍ଠ ନେତାଙ୍କ ସହିତ ମିଶନ ୨୦୨୪ ବୈଠକ କରିଛନ୍ତି। ୪ ଘଣ୍ଟା ଧରି ଚାଲିଥିବା ଏହି ବୈଠକରେ ପିକେ ସମଗ୍ର ଦେଶରେ କଂଗ୍ରେସକୁ ମଜବୁତ କରିବା ପାଇଁ ଯୋଜନା ଉପସ୍ଥାପନା କରିଥିଲେ। ଏହାକୁ କାର୍ଯ୍ୟକାରୀ କରିବା ପାଇଁ ସୋନିଆ ଗାନ୍ଧୀ ଏକ କମିଟି ଗଠନ କରିବାକୁ ଘୋଷଣା ମଧ୍ୟ କରିଛନ୍ତି।

ପିକେ ତାଙ୍କ ଉପସ୍ଥାପନାରେ ୨୦୨୪ ଲୋକ ସଭା ନିର୍ବାଚନରେ ଭାଜପାକୁ ପରାସ୍ତ କରିବାକୁ ରୋଡମ୍ୟାପ ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି। ସୂଚନାନୁସାରେ, ପିକେ କଂଗ୍ରେସ ପାଇଁ ‘୩୭୦ ପ୍ଲସ୍‌ ଫର୍ମୂଲା’ ପ୍ରସ୍ତୁତ କରିଛନ୍ତି। ସେ କହିଛନ୍ତି ଯେ ଲୋକ ସଭା ନିର୍ବାଚନରେ କଂଗ୍ରେସ ୩୭୦ରୁ ଅଧିକ ଆସନ ଉପରେ ଧ୍ୟାନ ଦେବା ଉଚିତ। ସମଗ୍ର ଦେଶରେ ସମୁଦାୟ ୫୪୩ ଲୋକସଭା ଆସନ ଅଛି।

ପିକେଙ୍କର ଅନ୍ୟ ଏକ ପରାମର୍ଶ ହେଉଛି ଯେଉଁଠାରେ କଂଗ୍ରେସ ଦୁର୍ବଳ, ସେଠାରେ ଏକ ଶକ୍ତିଶାଳୀ ସହଯୋଗୀଙ୍କୁ ଡ୍ରାଇଭିଂ ସିଟ ଦେବା ଆବଶ୍ୟକ ଏବଂ ନିର୍ବାଚନରେ ଏକାଠି ପ୍ରତିଦ୍ୱନ୍ଦ୍ୱିତା କରିବା ଜରୁରୀ। କଂଗ୍ରେସ ଉତ୍ତରପ୍ରଦେଶ, ବିହାର ଏବଂ ଓଡ଼ିଶାରେ ଏକାକି ଲଢୁ। ମାତ୍ର ତାମିଲନାଡୁ, ମହାରାଷ୍ଟ୍ର ଏବଂ ପଶ୍ଚିମବଙ୍ଗରେ ମେଣ୍ଟରେ ଲଢ଼ିବାକୁ ପିକେ ପରାମର୍ଶ ଦେଇଛନ୍ତି। ପିକେଙ୍କ ଫର୍ମୂଲା ରାହୁଲ ଗାନ୍ଧୀଙ୍କୁ ବେଶ୍‌ ପସନ୍ଦ ଆସିଛି।

କଂଗ୍ରେସ ସଂଗଠନ ମହାସଚିବ କେସି ଭେନୁଗୋପାଲ କହିଛନ୍ତି ଯେ ଏକ କମିଟି ଗଠନ ପାଇଁ କଂଗ୍ରେସ ଅଧ୍ୟକ୍ଷା ଘୋଷଣା କରିଛନ୍ତି। ଏକ ସପ୍ତାହ ମଧ୍ୟରେ କମିଟି ଏହାର ରିପୋର୍ଟ ଦାଖଲ କରିବ। କମିଟିର ରିପୋର୍ଟ ଆଧାରରେ କଂଗ୍ରେସ ଆଗେଇବ। କଂଗ୍ରେସ ସୂତ୍ର ଅନୁଯାୟୀ ସୋନିଆ ଗାନ୍ଧୀ ପିକେଙ୍କୁ ଦଳରେ ଯୋଗଦେବାକୁ ପ୍ରସ୍ତାବ ଦେଇଛନ୍ତି।

ବୈଠକରେ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ମଲ୍ଲିକାର୍ଜୁନ ଖଡଗେ, କେସି ଭେନୁଗୋପାଲ, ଜୟରାମ ରମେଶ, ଏ.କେ ଆଣ୍ଟୋନି, ଦିଗବିଜୟ ସିଂ, ଅଜୟ ମାକେନ, ଅମ୍ବିକା ସୋନି, ମୁକୁଲ ୱାସନିକ, ପି ଚିଦାମ୍ବରମ ଏବଂ ରଣଦୀପ ସୁର୍ଜେୱାଲା ପ୍ରମୁଖ ଉପସ୍ଥିତ ଥିଲେ। ପିକେ ମେ ୨ ସୁଦ୍ଧା ତାଙ୍କର ପରବର୍ତ୍ତୀ କାର୍ଯ୍ୟ ଧାରା ସମ୍ପର୍କରେ ପଦକ୍ଷେପ ଗ୍ରହଣ କରିବେ ବୋଲି କହିଛନ୍ତି।

 

Share