Categories: ଜାତୀୟ

ପିକେଙ୍କ ଭବିଷ୍ୟବାଣୀ, ଭାଜପା କ୍ଷମତାରେ ରହିବ ବହୁ ବର୍ଷ, ମୋଦିଙ୍କ ଶକ୍ତି ରାହୁଲଙ୍କୁ ଅଜଣା…

ପଣଜୀ,୨୮।୧୦: ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର (ପିକେ) ୨୦୨୪ ରେ ହେବାକୁ ଥିବା ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀ ଦଳଗୁଡ଼ିକୁ ଏକଜୁଟ କରିବାକୁ ଚେଷ୍ଟା କରୁଛନ୍ତି। ଏପରିସ୍ଥଳେ ସେ ଏକ ଭବିଷ୍ୟବାଣୀ କରିଛନ୍ତି। ପ୍ରଶାନ୍ତ କହିଛନ୍ତି ଯେ, ଭାରତୀୟ ଜନତା ପାର୍ଟି (ଭାଜପା) ଆସନ୍ତା ବହୁ ଦଶନ୍ଧି ଧରି ଦେଶରେ ନିଜର ପ୍ରାଧାନ୍ୟ ଜାରି ରଖିବ। ବିରୋଧୀ ଦଳମାନଙ୍କୁ ଭାଜପା ସହିତ ଲଢ଼ି ବାକୁ ପଡ଼ିବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୁଗର ଶେଷକୁ ଅପେକ୍ଷା କରିବା ରାହୁଲ ଗାନ୍ଧୀଙ୍କ ଏକ ବଡ଼ ଭୁଲ। ଏଭଳି କହି ପ୍ରଶାନ୍ତ ଦଶନ୍ଧି ଧରି ଭାଜପାର ଆଭିମୁଖ୍ୟ ପୂର୍ବାନୁମାନ କରିବା ସହିତ କଂଗ୍ରେସ ନେତା ରାହୁଲଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି  ବୋଧହୁଏ ରାହୁଲ କିଛି ଭ୍ରମରେ ଅଛନ୍ତି ଯେ କେବଳ ମୋଦି ଲହର ପର୍ଯ୍ୟନ୍ତ ଭାଜପା କ୍ଷମତାରେ ରହିବ।

ଚଳିତ ବର୍ଷ ଆରମ୍ଭରେ ଅନୁଷ୍ଠିତ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଟିଏମସି ଜିତିବା ପରେ ପ୍ରଶାନ୍ତ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ କାମ କରୁନାହାଁନ୍ତି ବୋଲି ଘୋଷଣା କରିଥିଲେ। ପ୍ରକାଶ ଥାଉକି, ପ୍ରଶାନ୍ତ କିଶୋର କଂଗ୍ରେସରେ ଯୋଗ ଦେଇପାରନ୍ତି ବୋଲି ମଧ୍ୟ ଖବର ଆସିଥିଲା, କିନ୍ତୁ ଅନେକ ରାଉଣ୍ଡ ଆଲୋଚନା ପରେ ଏବେ ପ୍ରଶାନ୍ତ କିଶୋର ପୁଣି ଥରେ ଟିଏମସି ସହିତ କାମ କରୁଛନ୍ତି। ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ସେ ଟିଏମସି ପାଇଁ ଗୋଆରେ ସ୍ଥିତି ଅନୁଧ୍ୟାନ କରୁଛନ୍ତି।

ରାହୁଲ ମୋଦିଙ୍କ ଶକ୍ତିକୁ ବୁଝି ପାରୁ ନାହାନ୍ତି। ଏହା ରାହୁଲଙ୍କ ବଡ଼ ସମସ୍ୟା। ସମ୍ଭବତଃ ସେ ଭାବୁଛନ୍ତି ଯେ, ଲୋକେ ମୋଦିଙ୍କୁ କ୍ଷମତାରୁ ବହିଷ୍କାର କରିବେ। ମାତ୍ର ଏହା ଘଟିବ ନାହିଁ। ଯେପର୍ଯ୍ୟନ୍ତ ରାହୁଲ ମୋଦିଙ୍କ ଶକ୍ତିକୁ ବୁଝି ନାହାନ୍ତି ଏବଂ ତାଙ୍କ ଶକ୍ତିକୁ ସ୍ବୀକାର ନ କରିଛନ୍ତି, ସେ ପର୍ଯ୍ୟନ୍ତ ତାଙ୍କର ସାମ୍ନା କରିବାକୁ ସମର୍ଥ ହେବେ ନାହିଁ।

Share