କରୋନାର ଭୟଙ୍କର ରୂପ: ଅନ୍ତିମ ସଂସ୍କାର ପାଇଁ ଶ୍ମଶାନରେ ମିଳୁନାହିଁ ସ୍ଥାନ, ପ୍ଲାଟଫର୍ମରେ…

ଲକ୍ଷ୍ନୌ.୧୬।୪: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ କରୋନା ସଂକ୍ରମଣକୁ ନେଇ ପରିସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ସଂକ୍ରମିତ ଲୋକଙ୍କ ସହ ମୃତ୍ୟୁବରଣ କରୁଥିବା ଲୋକଙ୍କ ସଂଖ୍ୟା ଲଗାତାର ଭାବେ ବୃଦ୍ଧି ପାଉଛି। କିଛି ଦିନ ପୂର୍ବେ ବୈକୁଣ୍ଠ ନାଥ ଧାମ ଶ୍ମଶାନ ଘାଟର ଏକ ଭିଡିଓ ଭାଇରାଲ ହୋଇଥିଲା। ଏଥିରେ ଏକାସହ ଅନେକଗୁଡ଼ିଏ ଲୋକଙ୍କ ଅନ୍ତିମ ସଂସ୍କାର କରାଯାଉଥିବା ଦେଖିବାକୁ ମିଳିଥିଲା। ଏବେ ଏଠାରେ ଶବଦାହ ପାଇଁ ସ୍ଥାନ ମିଳୁନାହିଁ। ଏହି କ୍ରମରେ ଗୁରୁବାର ଏକ ବଡ଼ ଦୁର୍ଘଟଣା ଟଳି ଯାଇଛି।

ଲକ୍ଷ୍ନୌର ଭିନସାକୁଣ୍ଡ ଶ୍ମଶାନ ଘାଟରେ ଏକ ପରିବାର ନିଜ ସମ୍ପର୍କୀୟଙ୍କ ଶେଷକୃତ୍ୟ କରିବାକୁ ପହଞ୍ଚିଥିଲେ। ହେଲେ ତାଙ୍କୁ ସ୍ଥାନ ମିଳି ନ ଥିଲା। ଫଳରେ ସେମାନେ ଏକ ପ୍ଲାଟଫର୍ମରେ ଅନ୍ତିମ ସଂସ୍କାର କରିଥିଲେ। ଏକ ପ୍ଲାଷ୍ଟିକ୍‌ ସେଡ୍‌ ତଳେ ଚିତା ଜଳାଯାଇଥିବାରୁ ପୂରା ସେଡ୍‌ ପାଉଁଶ ହୋଇଯାଇଥିଲା। ଏହା ପରେ ନିଆଁ ଆପେ ଆପେ ଲିଭି ଯାଇଥିଲା।

ପୂର୍ବରୁ ଲକ୍ଷ୍ନୌର ଭିନସାକୁଣ୍ଡ ଘାଟରେ ଶବଦାହର ଭିଡିଓ ଭାଇରାଲ ହୋଇଥିଲା। ଏହାପରେ ନଗର ପ୍ରଶାସନ ଘାଟକୁ ଟିଣ ସିଟ୍‌ ଦ୍ୱାରା ଘେରାଇ ଦିଆଯାଇଥିଲା। ଏ ସମ୍ପର୍କରେ ବିରୋଧୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଯଦି ଡାକ୍ତରଖାନା ନିର୍ମାଣରେ ଏତେ ପରିଶ୍ରମ କରାଯାଇଥାନ୍ତା, ତେବେ ଶବଦାହକୁ ଲୁଚାଇବାର ଆବଶ୍ୟକତା ନ ଥାନ୍ତା ବୋଲି ଏଏପିର ଏମ୍‌ପି ସଞ୍ଜୟ ସିଂ କହିଛନ୍ତି।

ପ୍ରକାଶ ଯେ, ୟୁପିରେ କରୋନା ଭୟଙ୍କର ରୂପ ନେଇ ସାରିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୨୪୩୯ ନୂଆ ପଜିଟିଭ୍‌ ହୋଇଛନ୍ତି। ଏହା ଗୋଟିଏ ଦିନରେ ସର୍ବାଧିକ ବୋଲି କୁହାଯାଉଛି।

Share