Categories: ଜାତୀୟ

ପ୍ରୋଫାଇଲ ଫଟୋରେ ତ୍ରିରଙ୍ଗା ରଖ: ମୋଦି

ନୂଆଦିଲ୍ଲୀ,୧।୮: ଆଗକୁ ସ୍ବାଧୀନତା ଦିବସ ଥିବାବେଳେ ଦେଶବାସୀ ଅଗଷ୍ଟ ୨ରୁ ୧୫ ମଧ୍ୟରେ ସେମାନଙ୍କ ସୋସିଆଲ ମିଡିଆ ପ୍ରୋଫାଇଲରେ ଜାତୀୟ ପତାକା ତ୍ରିରଙ୍ଗାକୁ ଡିସ୍‌ପ୍ଲେ ପିକ୍ଚର ଭାବେ ବ୍ୟବହାର କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ବାନ ଦେଇଛନ୍ତି। ରବିବାର ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ୍‌ କୀ ବାତ୍‌’ରେ ପ୍ରଧାନମନ୍ତ୍ରୀ କହିଥିଲେ, ଅଗଷ୍ଟ ୧୩ରୁ ୧୫ ପ୍ରତ୍ୟେକଙ୍କ ଘରେ ତ୍ରିରଙ୍ଗା ଉଡ଼ାଇବା ପାଇଁ ଅଭିଯାନ ଆୟୋଜିତ ହେବ। ସ୍ବାଧୀନତାର ୭୫ ବର୍ଷ ଅବସରରେ ପାଳିତ ହେଉଥିବା ଆଜାଦୀ କା ଅମୃତ ମହୋତ୍ମବର ଏହା ଏକ ଅଂଶ। ଜାତୀୟ ପତାକାର ଡିଜାଇନ କରିଥିବା ପିଙ୍ଗଲି ଭେଙ୍କାୟାଙ୍କ ଜନ୍ମବାର୍ଷିକୀ ଅଗଷ୍ଟ ୨ରୁ ସୋସିଆଲ ମିଡିଆ ପ୍ରୋଫାଇଲ ଫଟୋ ବଦଳାଇବା କାର୍ଯ୍ୟ ଆରମ୍ଭ କରିବାକୁ ଧାର୍ଯ୍ୟ ହୋଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି।
ହର୍‌ ଘର ତିରଙ୍ଗା ଅଭିଯାନରେ ପଲିଷ୍ଟର, ସୂତା, ରେଶମ, ସିଲ୍କ, ଖଦିରେ ପ୍ରସ୍ତୁତ ଜାତୀୟ ପତାକା ବ୍ୟବହାର କରାଯାଇପାରିବ। ୩ ଦିନ ପାଇଁ ୨୦ କୋଟିରୁ ଊର୍ଦ୍ଧ୍ୱ ଜାତୀୟ ପତାକା ଘର ଉପରେ ଉଡ଼ାଇବା ଲାଗି ଲକ୍ଷ୍ୟଧାର୍ଯ୍ୟ କରାଯାଇଛି।

ଭାରତ ଖେଳନା ଉତ୍ପାଦନର କେନ୍ଦ୍ରସ୍ଥଳ ପାଲଟିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ପୂର୍ବରୁ ବିଦେଶରୁ ୩ ହଜାର କୋଟି ଟଙ୍କାର ଖେଳନା ଆମଦାନି ହେଉଥିବାବେଳେ ଏହା ୭୦ ପ୍ରତିଶତ ହ୍ରାସ ପାଇଛି। ଅନ୍ୟପକ୍ଷରେ ଭାରତ ୨୬୦୦ କୋଟି ଟଙ୍କାର ଖେଳନା ରପ୍ତାନି କରୁଛି ବୋଲି ପ୍ରଧାନମନ୍ତ୍ରୀ ମନ୍‌ କୀ ବାତ୍‌ରେ କହିଛନ୍ତି।

 

 

Share