Categories: ଜାତୀୟ

ବେଶ ବଦଳାଇ ହସ୍ପିଟାଲରେ ପହଞ୍ଚିଲେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ, ସିକ୍ୟୁରୀଟି ଗାର୍ଡଙ୍କ ଠାରୁ ଖାଇଲେ ଠେଙ୍ଗା ପାହାର

ନୂଆଦିଲ୍ଲୀ,୨୦।୯: କରୋନା ମହାମାରୀ ମଧ୍ୟରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭିଆ ଆକ୍ସନ ମୋଡ୍‌ରେ କାର୍ଯ୍ୟ କରୁଛନ୍ତି। ସେ ପ୍ରତିଦିନ ଡାକ୍ତରଖାନା ପରିଦର୍ଶନ କରି ଅଧିକାରୀଙ୍କ ସହ ନିରନ୍ତର କାର୍ଯ୍ୟ ସମୀକ୍ଷା କରୁଛନ୍ତି। ମାନସୁଖ ମାଣ୍ଡଭିଆ ନିକଟରେ ଜଣେ ସାଧାରଣ ରୋଗୀଙ୍କ ପରି ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ପହଞ୍ଚିଥିଲେ। ତାଙ୍କ ସହ ଏକ ଅଜବ ଘଟଣା ଘଟିଥିଲା। ମାଣ୍ଡଭିଆ କହିଛନ୍ତି ଯେ ସଫଦରଜଙ୍ଗ ଡାକ୍ତରଖାନାର ବେଞ୍ଚରେ ବସିଥିବା ବେଳେ ତାଙ୍କୁ ଜଣେ ସିକ୍ୟୁରିଟୀ ଗାର୍ଡ ଠେଙ୍ଗା ମାଡ ମାରିଥିଲେ। ସଫଦରଗଞ୍ଜ ହସ୍ପିଟାଲରେ ଚାରିଟି ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସୁବିଧାର ଉଦ୍‌ଘାଟନୀ ସମାରୋହରେ ସ୍ବାସ୍ଥ୍ୟମନ୍ତ୍ରୀ ଏହି ଘଟଣାର ଖୁଲାସା କରିଛନ୍ତି। ନିଜର ପରିଚୟ ବଦଳାଇ ସଫଦରଜଙ୍ଗ ହସ୍ପିଟାଲରେ ପହଞ୍ଚିବା ପରେ ମାନସୁଖ ମାଣ୍ଡଭିଆଙ୍କୁ ଅନେକ ସମସ୍ୟା ଦେଖିବାକୁ ମିଳିଥିଲା। ସେ କହିଥିଲେ ଯେ, ଡାକ୍ତରଖାନାରେ ପ୍ରାୟ ୭୫ ବର୍ଷର ଜଣେ ବୃଦ୍ଧ ମହିଳା ତାଙ୍କ ପୁଅ ପାଇଁ ଷ୍ଟ୍ରେଚର ଆବଶ୍ୟକ କରୁଥିଲେ, କିନ୍ତୁ ଷ୍ଟ୍ରେଚର ଆଣିବା ଏବଂ ଷ୍ଟ୍ରେଚରକୁ ମହିଳାଙ୍କ ନିକଟକୁ ନେବାରେ ସୁରକ୍ଷା କର୍ମୀମାନେ ସାହାଯ୍ୟ କରି ନ ଥିଲେ। ମାଣ୍ଡଭିଆ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏହି ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ। ଏହା ଉପରେ ପ୍ରଧାନମନ୍ତ୍ରୀ ପଚାରିଥିଲେ ଯେ ଠେଙ୍ଗା ମାଡ କରିଥିବା ସିକ୍ୟୁରିଟୀ ଗାର୍ଡଙ୍କୁ ସେ ନିଲମ୍ବିତ କରାଯାଇଛି କି? ଏହାର ଜବାବ ସ୍ବାସ୍ଥ୍ୟମନ୍ତ୍ରୀ ନାରେ ଦେଇଥିଲେ। ସେ କହିଛନ୍ତି ଯେ କେବଳ ଜଣେ ବ୍ୟକ୍ତି ନୁହେଁ, ସମଗ୍ର ସିଷ୍ଟମକୁ ଉନ୍ନତ କରିବାକୁ ଚାହୁଁଛନ୍ତି।
ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିଆ କରୋନା ସମୟରେ ଡାକ୍ତରଙ୍କ ଦ୍ୱାରା କରାଯାଇଥିବା କାର୍ଯ୍ୟକୁ ପ୍ରଶଂସା କରିବା ସହ ସମସ୍ତ ଡାକ୍ତର ଦଳଗତ କାର୍ଯ୍ୟ କରିବା ଉଚିତ ବୋଲି କହିଥିଲେ। ଏହି ଡାକ୍ତରଖାନା ଏହାର ଭାବମୂର୍ତ୍ତିକୁ ବଦଳାଇବା ପାଇଁ ପ୍ରେରଣା ଭାବରେ କାର୍ଯ୍ୟ କରିବ ବୋଲି ସେ ଆଶା ପ୍ରକଟ କରିଛନ୍ତି।

Share