Categories: ରାଜ୍ୟ

ସରକାରୀ ବୈଠକ-ସମ୍ମିଳନୀରେ ମାଣ୍ଡିଆ ସ୍ନାକ୍ସ ସାମିଲ ଯୋଜନା: ସବୁ ବିଭାଗକୁ କୃଷି ସଚିବଙ୍କ ଚିଠି

ଭୁବନେଶ୍ୱର,୨୨ା୯(ବ୍ୟୁରୋ): ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଦ୍ୱାରା ଆୟୋଜିତ ବୈଠକ ଏବଂ ସମ୍ମିଳନୀରେ ମାଣ୍ଡିଆରୁ ପ୍ରସ୍ତୁତ ସ୍ନାକ୍ସ ପରିବେଷଣ କରିବା ଦିଗରେ ବିଚାର କରିବା ପାଇଁ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢ଼ୀ ବୁଧବାର ସମସ୍ତ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ, କମିଶନର ତଥା ଶାସନ ସଚିବ ଏବଂ ସଚିବଙ୍କୁ ଚିଠି ଲେଖିଛନ୍ତି। ପୁଷ୍ଟିରେ ଭରପୂର ମାଣ୍ଡିଆରୁ ପ୍ରସ୍ତୁତ ବିସ୍କୁଟ, ମିକ୍ସଚର, ଖୁରୁମା,ନିମିିକି, ସେଉ, ପିଠା ଆଦି ଅତ୍ୟନ୍ତ ସ୍ବାଦିଷ୍ଟ ଏବଂ ଗ୍ରାହକଙ୍କ ମଧ୍ୟରେ ଏହା ବହୁଳ ଭାବରେ ଆଦୃତ ହେଉଛି। ଓଡ଼ିଶା ମିଲେଟ୍‌ ମିଶନ ଦ୍ୱାରା ପ୍ରଶିକ୍ଷିତ ମିଶନ ଶକ୍ତି ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ମାଣ୍ଡିଆ ପ୍ରସ୍ତୁତ ସ୍ନାକ୍ସ ବିଭିନ୍ନ ବିଭାଗକୁ ଯୋଗାଣ ଏକ ବଡ଼ ଆର୍ଥିକ ସୁଯୋଗ ସୃଷ୍ଟି କରିବ ବୋଲି ପାଢ଼ୀ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି। ଏହା ଲଘୁ ଶସ୍ୟର ଉପକାରିତା ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ସହିତ ମାଣ୍ଡିଆରୁ ସ୍ନାକ୍ସ ପ୍ରସ୍ତୁତିରେ ଅନେକଙ୍କୁ ଜୀବିକା ଯୋଗାଇଦେବ ବୋଲି ସେ ଚିଠିରେ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଦିଗ୍‌ଦର୍ଶନରେ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପକ୍ଷରୁ ରାଜ୍ୟ ସରକାରଙ୍କ ଫ୍ଲାଗ୍‌ଶିପ୍‌ ଯୋଜନା ଓଡ଼ିଶା ମିଲେଟ୍‌ ମିଶନକୁ ରାଜ୍ୟର ୧୯ଟି ଜିଲାରେ କାର୍ଯ୍ୟକାରୀ କରାଯାଇଛି। ସମ୍ବେଦନଶୀଳ କୃଷକମାନଙ୍କ ଜୀବିକାର ଉନ୍ନତି ନିମନ୍ତେ ଓଡ଼ିଶା ମିଲେଟ୍‌ ମିଶନ ମାଣ୍ଡିଆକୁ ଚାଷରେ ଏବଂ ଜନସାଧାରଣଙ୍କ ଖାଦ୍ୟଥାଳିରେ ପୁନଃପ୍ରଚଳନ କରିବାକୁ ଲକ୍ଷ୍ୟ ରଖିଛି। ମିଲେଟ୍‌ ଚାଷକୁ ପ୍ରୋତ୍ସାହିତ କରିବା ଦିଗରେ ଓଡ଼ିଶା ମିଲେଟ୍‌ ମିଶନ ଦ୍ୱାରା ନିଆଯାଇଥିବା ପଦକ୍ଷେପକୁ ସର୍ବୋତ୍ତମ ମଡେଲ ମଧ୍ୟରୁ ଗୋଟିଏ ବୋଲି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସ୍ବୀକୃତି ମିଳିଛି । ଭାରତ ସରକାର ମିଲେଟ୍‌ର ପ୍ରୋତ୍ସାହନ ପାଇଁ ଓଡ଼ିଶା ମଡେଲକୁ ଆପଣେଇବା ପାଇଁ ଅନ୍ୟ ରାଜ୍ୟଗୁଡ଼ିକୁ ପରାମର୍ଶ ଦେଇଛନ୍ତି।

ଜାତିସଂଘ ଦ୍ୱାରା ୨୦୨୩କୁ ଅନ୍ତର୍ଜାତୀୟ ମିଲେଟ୍‌ ବର୍ଷ ଭାବରେ ଘୋଷଣା କରାଯାଇଛି। ଏହି ଆଉଟ୍‌ଲେଟ୍‌କୁ ଇଣ୍ଡିଆନ କାଉନ୍‌ସିଲ ଅଫ୍‌ ଏଗ୍ରିକଲଚରାଲ୍‌ ରିସର୍ଚ୍ଚ ଏବଂ ଭାରତ ସରକାରଙ୍କ ଦ୍ୱାରା ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ମିଲେଟ୍‌କୁ ମୂଲ୍ୟଯୁକ୍ତ କରିବା ଦିଗରେ ସର୍ବୋତ୍ତମ ସ୍ବୀକୃତି ମିଳିଛି। ଏଥିସହିତ କୃଷି ଭବନରେ ଆୟୋଜିତ ସମସ୍ତ ବୈଠକରେ ମିଲେଟ୍‌ରୁ ପ୍ରସ୍ତୁତ ସ୍ନାକ୍ସ ପରିବେଷଣ ଆରମ୍ଭ ହୋଇସାରିଛି ବୋଲି ପାଢ଼ୀ ଚିଠିରେ ଉଲ୍ଲେଖ କରିଛନ୍ତି।

Share