ମାଲାଓ୍ବି ଉପରାଷ୍ଟ୍ରପତି ଥିବା ବିମାନ ନିଖୋଜ

ଲିଲୋଙ୍ଗଓ୍ବେ (ମାଲାଓ୍ବି),୧୦ା୬: ମାଲାଓ୍ବିର ଉପରାଷ୍ଟ୍ରପତି ସୌଲୋସ୍‌ ଚିଲିମାଙ୍କୁ ନେଇ ଯାଉଥିବା ଏକ ସାମରିକ ବିମାନ ନିଖୋଜ ହୋଇଯାଇଥିବା ରିପୋର୍ଟ ପ୍ରକାଶ ପାଇଛି। ସୋମବାର ଏହା ଅବତରଣ କରିବାର ଥିଲା। ତେବେ ରାଡାର ପରଦାରେ ଦୃଶ୍ୟ ହୋଇ ନ ଥିଲା। ବିମାନ ଚଳାଚଳ କର୍ତ୍ତୃପକ୍ଷଙ୍କ ସମସ୍ତ ଉଦ୍ୟମ ସତ୍ତ୍ୱେ ବିମାନ ସହ କୌଣସି ଯୋଗାଯୋଗ ହୋଇପାରି ନାହିଁ।

ସ୍ଥାନୀୟ ସମୟ ସକାଳ ୯ଟାରେ ବିମାନଟି ଉଡ଼ାଣ ଆରମ୍ଭ କରିଥିଲା। ସେଥିରେ ୫୧ ବର୍ଷୀୟ ଚିଲିମାଙ୍କ ସହ ଅନ୍ୟ ୯ ଜଣ ଥିଲେ। ତୁରନ୍ତ ତଲାସି ଓ ଉଦ୍ଧାର କାର୍ଯ୍ୟ ଲାଗି ରାଷ୍ଟ୍ରପତି ଲାଜାରୁସ୍‌ ଚାକ୍ୱେରା ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ୨୦୨୨ରେ ଚିଲିମା ଲାଞ୍ଚ ଓ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ବେଳେ ତାଙ୍କଠାରୁ କ୍ଷମତା କାଢ଼ି ନିଆଯାଇଥିଲା। ଗତ ମାସରେ ମାଲାଓ୍ବିର ଏକ କୋର୍ଟ ତାଙ୍କୁ ଅଭିଯୋଗରୁ ମୁକ୍ତ କରିଥିଲେ।

Share