ରୁଷିଆରେ ବିମାନ ଦୁର୍ଘଟଣା: ୧୦ ମୃତ

ମସ୍କୋ,୨୪।୮: ରୁଷିଆ ରାଜଧାନୀ ମସ୍କୋରୁ ସେଣ୍ଟ୍‌ ପିଟର୍ସବର୍ଗ ଅଭିମୁଖେ ଯାଉଥିବା ଏକ ବିଜ୍‌ନେସ୍‌ ଜେଟ୍‌ ବୁଧବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ବିମାନରେ ଥିବା ସମସ୍ତ ୧୦ ଯାତ୍ରୀଙ୍କ ମୃତ୍ୟୁ ଘଟଛି। ଯାତ୍ରୀ ତାଲିକାରେ ରୁଷିଆର ଘରୋଇ ସେନା ଓ୍ବାଗନର ମୁଖ୍ୟ ୟେଭ୍‌ଗେନି ପ୍ରିଗୋଝିନ ଥିବା କୁହାଯାଉଛି। ତେବେ ପ୍ରିଗୋଝିନଙ୍କ ମୃତ୍ୟୁ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ଅସମର୍ଥିତ ସୂତ୍ରରୁ ଜଣାପଡ଼ିଛି ଯେ, ଦୁର୍ଘଟଣାଗ୍ରସ୍ତ ବିମାନର ମାଲିକ ହେଉଛନ୍ତି ପ୍ରିଗୋଝିନ। ବେସାମରିକ ବିମାନ ଚଳାଚଳ ନିୟନ୍ତ୍ରକ ରୋସାଭିଆସିଆ କହଛନ୍ତି, ଯାତ୍ରୀ ତାଲକାରେ ପ୍ରିଗୋଝିନଙ୍କ ନାମ ରହିଥିଲେ ମଧ୍ୟ ବିମାନରେ ସେ ଥିଲେ କି ନାହିଁ ତାହା ଜଣାପଡ଼ିନାହିଁ। ଉକ୍ତ ବିମାନରେ ୩ ପାଇଲଟ୍‌ ଓ ୭ ଯାତ୍ରୀ ଥିଲେ। ମସ୍କୋରୁ ଶହେ କି.ମି. ଦୂର ଟିଭେର ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଥିବା ଦେଶର ସରକାରୀ ନ୍ୟୁଜ୍‌ ଏଜେନ୍ସି ଟାସ୍‌ ଏମର୍‌ଜେନ୍ସି ଅଧିକାରୀମାନଙ୍କ ସୂତ୍ରରୁ ହସ୍ତଗତ ତଥ୍ୟ ଆଧାରରେ କହିଛନ୍ତି।

ପ୍ରକାଶ ଯେ, ଜୁନ୍‌ ଶେଷ ଆଡ଼କୁ ପ୍ରିଗୋଝିନ୍‌ ରୁଷିଆ ସେନା ବିରୋଧରେ ସଶସ୍ତ୍ର ବିଦ୍ରୋହ କରି ନିଜ ସୈନ୍ୟଙ୍କ ସହ ମସ୍କୋ ଅଭିମୁଖେ ଅଗ୍ରସର ହୋଇଥିଲେ। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର୍‌ ପୁଟିନଙ୍କ ଘନିଷ୍ଠ ସହଯୋଗୀ ତଥା ବେଲାରୁଷ୍‌ ରାଷ୍ଟ୍ରପତି ଆକେଲକଜାଣ୍ଡାର ଲୁକାସେନ୍‌କୋଙ୍କ ହସ୍ତକ୍ଷେପ ପରେ ଓ୍ବାଗନର୍‌ ସେନା ପଛଘୁଞ୍ଚା ଦେଇଥିଲା। ପରବର୍ତ୍ତୀ ସମୟରେ ପ୍ରିଗୋଝିନଙ୍କ ସୈନ୍ୟ ବେଲାରୁଷରେ ଥିବା ୟୁକ୍ରେନ ବିରୋଧୀ ଶିବିରଗୁଡିକରେ ଅବସ୍ଥାନ କରିଥିବା କୁହାଯାଇଥିଲା। ଅନ୍ୟପଟେ ଦେଶ ତଥା ଦେଶ ବାହାରେ ଜଣେ ପରେ ଜଣେ ପୁଟିନ ବିରୋଧୀ ଓ ସମାଲୋଚକଙ୍କ ରହସ୍ୟଜନକ ମୃତ୍ୟୁ ଘଟି ଚାଲିଥିବାରୁ ସଦ୍ୟ ବିମାନ ଦୁର୍ଘଟଣାକୁ ନେଇ ଅନେକ ପ୍ରଶ୍ନବାଚୀ ଛିଡ଼ା ହୋଇଛି।

Share