ବିଜୁଳି ଖୁଣ୍ଟରେ ପିଟି ହେଲା ବିମାନ, ୯୦ ହଜାର ଘର ଅନ୍ଧାର

ମୌଟଗୋମରି,୨୮ ।୧୧: ଆମେରିକା ମେରିଲ୍ୟାଣ୍ଡରେ ମୌଟଗୋମରିରେ ରବିବାର ଏକ ବଡ ଦୁର୍ଘଟଣା ଘଟିଛି । ଏଠାରେ ଏକ ଛୋଟ ବିମାନ କ୍ରାସ ହୋଇ ବିଜୁଳି ଖୁଣ୍ଟରେ ପିଟି ହୋଇଯାଇଥିଲା । ଫଳରେ ଉକ୍ତ ଅଞ୍ଚଳରେ ବଡ ଧରଣର ବିଜୁଳି ସଙ୍କଟ ଉପୁଜିଛି । ମୌଟଗୋମରିର ପ୍ରାୟ ଏକ ଚତୁର୍ଥାଂଶ ଅର୍ଥାତ୍ ୯୦ ହଜାର ଘର ଅନ୍ଧାର ହୋଇଯାଇଛି ।
ମୌଟଗୋମରି କାଉଣ୍ଟି ପୋଲିସ କହିଛି ରେଥବରି ଡା ଏଣ୍ଡ ଗୋଶେନ ରୋଡରେ ଏକ ଛୋଟ ବିମାନ ବିଜୁଳି ଖୁଣ୍ଟରେ ପିଟି ହୋଇଯାଇଛି । ଫଳରେ କିଛି ଅଞ୍ଚଳରେ ବିଜୁଳି କଟିଯାଇଛି । ପୋଲିସ ଉକ୍ତ ସ୍ଥାନରେ ପହଞ୍ଚିଥିଲେ ବି ସେଠାରେ ବିଜୁଳି ତାର ଥିବାରୁ ଉକ୍ତ ଅଞ୍ଚଳକୁ ଯିବାକୁ ବାରଣ କରାଯାଇଛି ।
କୁହାଯାଉଛି କି ପାଗ ଖରାପ ଯୋଗୁ ଏହି ଦୁର୍ଘଟଣା ଘଟିଛି । ଉକ୍ତ ଅଞ୍ଚଳରେ ବର୍ଷା ହେଉଛି । ହେଲେ ବିମାନ ଦୁର୍ଘଟଣାର କାରଣ ଜଣାପଡି ନ ଥିବା ବେଳେ ଘଟଣାର ଯାଞ୍ଚ ଆରମ୍ଭ ହୋଇଛି ।

Share