Categories: ଜାତୀୟ

ମଝି ଆକାଶରେ ବିମାନରେ ପୋଡ଼ିବା ଗନ୍ଧ, ଜରୁରୀ ଅବତରଣ କଲେ ପାଇଲଟ…

ତିରୁଚିରାପଲ୍ଲୀ,୧୦।୫ : ତିରୁଚିରାପଲ୍ଲୀରୁ ସିଙ୍ଗାପୁର ଯାଉଥିବା ଏକ ଇଣ୍ଡିଗୋ ବିମାନ ଇଣ୍ଡୋନେସିଆରେ ଜରୁରୀକାଳୀନ ଅବତରଣ କରିଛି। ବୈଷୟିକ ତ୍ରୁଟି ପରେ ପାଇଲଟ ଏହି ନିଷ୍ପତ୍ତି ନେଇଥିଲେ। ବିମାନଟି ସୁରକ୍ଷିତ ଭାବେ ଅବତରଣ କରିଥିଲା। ଯାଞ୍ଚ ପରେ ବିମାନରେ କୌଣସି ତ୍ରୁଟି ଦେଖିବାକୁ ମିଳି ନ ଥିଲା। ତେବେ ବିସ୍ତୃତ ଅନୁସନ୍ଧାନ ପାଇଁ ବିମାନକୁ ଏପର୍ଯ୍ୟନ୍ତ ଉଡ଼ାଣ କରିବାକୁ ଅନୁମତି ଦିଆଯାଇ ନାହିଁ।

ଖବର ଅନୁଯାୟୀ, ଇଣ୍ଡିଗୋ ଏୟାରଲାଇନ୍ସର ବିମାନ ୬ଇ-୧୦୦୭ ତିରୁଚିରାପଲ୍ଲୀରୁ ସିଙ୍ଗାପୁର ଅଭିମୁଖେ ଯାଉଥିଲା କିନ୍ତୁ ପାଇଲଟ ବିମାନରେ କିଛି ପୋଡ଼ିବାର ଗନ୍ଧ ଜାଣି ପାରିଥିଲେ। ସେ ବିମାନଟିକୁ ନିକଟସ୍ଥ ବିମାନ ବନ୍ଦରରେ ଅବତରଣ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହା ପରେ ଇଣ୍ଡୋନେସିଆର ମେଡାନ ଅଞ୍ଚଳରେ ଥିବା କୁଆଲାନାମୁ ବିମାନବନ୍ଦରରେ ବିମାନଟି ନିରାପଦରେ ଅବତରଣ କରିଥିଲା।

ବିମାନଟି ଇଣ୍ଡୋନେସିଆର ବିମାନବନ୍ଦରରେ ଅଛି ଏବଂ ଏହାର ସବିଶେଷ ଅନୁସନ୍ଧାନ ପରେ ହିଁ ଉଡ଼ିବାକୁ ଅନୁମତି ଦିଆଯିବ। ବିମାନର ଯାତ୍ରୀମାନଙ୍କୁ ଅନ୍ୟ ଏକ ବିମାନ ଦ୍ୱାରା ସିଙ୍ଗାପୁର ପଠାଯାଇଛି।

ଏହାପୂର୍ବରୁ ଏପ୍ରିଲରେ ମଧ୍ୟ ଏକ ଇଣ୍ଡିଗୋ ବିମାନକୁ ଜରୁରୀକାଳୀନ ଅବତରଣ କରିବାକୁ ପଡିଥିଲା। ବୈଷୟିକ ତ୍ରୁଟି ଯୋଗୁ ବିମାନଟି ତେଲେଙ୍ଗାନାର ଶ୍ୟାମସବାଦ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିବାକୁ ପଡିଥିଲା। ବିମାନଟି ବାଙ୍ଗାଲୋରରୁ ବାରାଣାସୀକୁ ଉଡ଼ାଣ କରୁଥିଲା। ଅବତରଣ ସମୟରେ ବିମାନରେ ୧୩୭ ଜଣ ଯାତ୍ରୀ ଥିଲେ।

Share