୩ଦିନ ହେବ ପ୍ଲାନେଟାରିୟମ୍‌ ବନ୍ଦ

ଭୁବନେଶ୍ୱର, ୧୨।୬ (ବ୍ୟୁରୋ): ପିଲାଙ୍କ ପାଇଁ ଉଭୟ ମନୋରଞ୍ଜନ ଓ ଶିକ୍ଷାର ଏକ ପ୍ରମୁଖ ମାଧ୍ୟମ ହେଉଛି ପ୍ଲାନେଟୋରିୟମ୍‌। ମହାକାଶ, ଗ୍ରହ, ନକ୍ଷତ୍ର ଆଦି ବିଭିନ୍ନ ମହାଜାଗତିକ ତଥ୍ୟ ଉପରେ ଜ୍ଞାନ ଲାଭ କରିବା ପାଇଁ ପ୍ରତିଦିନ ଶହ ଶହ ଛାତ୍ରୀଛାତ୍ର, ବୟସ୍କ ବ୍ୟକ୍ତି ପଠାଣି ସାମନ୍ତ ପ୍ଲାନେଟୋରିୟମ୍‌କୁ ଆସିଥାନ୍ତି। ମାତ୍ର ଗତ ୩ଦିନ ହେବ ପ୍ଲାନେଟୋରିୟମ୍‌ର ମେଶିନ ଖରାପ ଥିବାରୁ ଏହାକୁ ବନ୍ଦ ରଖାଯାଇଛି। ତେବେ ପ୍ଲାନେଟୋରିୟମ୍‌ ବନ୍ଦ ହେବା ନେଇ କୌଣସି ସୂଚନା ନ ଥିବାରୁ ଲୋକମାନେ ଏଠାକୁ ଆସି ଅସନ୍ତୋଷର ସହ ଫେରୁଥିବା ଦେଖିବାକୁ ମିଳୁଛି। ଖରାଛୁଟି ଚାଲିଥିବାରୁ ଏହି ସମୟରେ ପ୍ଲାନେଟୋରିୟମ୍‌ରେ ଭିଡ଼ ରହିଥାଏ। ବିଶେଷକରି ଛାତ୍ରୀଛାତ୍ରମାନେ ଏଠାକୁ ଅଧିକ ଆସନ୍ତି। ମାତ୍ର ଏବେ ସେମାନଙ୍କୁ ନିରାଶ ହେବାକୁ ପଡୁଛି। ଅପରପକ୍ଷେ ସମଗ୍ର ରାଜ୍ୟରେ ଏବେ ତାତି ଓ ଗୁଳୁଗୁଳି ଅସ୍ତବ୍ୟସ୍ତ କରୁଥିବାବେଳେ ବିଶେଷକରି ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳରୁ ଏଠାକୁ ଛାତ୍ରୀଛାତ୍ରମାନେ ଶୋ’ ଦେଖିବାକୁ ଆସୁଛନ୍ତି। ଦିନକ ପରେ ରଜ ପର୍ବ ଆରମ୍ଭ ହେଉଛି। ଗତବର୍ଷ ରଜ ସମୟରେ ପଠାଣି ସାମନ୍ତ ପ୍ଲାନେଟୋରିୟମ୍‌ ସର୍ବାଧିକ ଆୟ କରି ରେକର୍ଡ କରିଥିଲା। ମାତ୍ର ଏଥର ରେକର୍ଡ କରିବା ଦୂରର କଥା ରଜ ବେଳକୁ ପ୍ଲାନେଟୋରିୟମ୍‌ ଖୋଲି ପାରୁଛି କି ନାହିଁ ତାହା ସନ୍ଦେହ। ଏନେଇ ପ୍ଲାନେଟୋରୟିମ୍‌ର ଟେକ୍ନିସିଆନ୍‌ ସୁଶାନ୍ତ କୁମାର ବାନରା କହିଛନ୍ତି, ମେଶିନ୍‌ରେ କିଛି ସମସ୍ୟା ଥିବାରୁ ଏବେ ପ୍ଲାନେଟୋରିୟମ୍‌ ବନ୍ଦ ରହିଛି। ମୁମ୍ବାଇରୁ ଜଣେ ଟେକ୍ନିସିଆନ୍‌ଙ୍କୁ ଡକାଯାଇଛି। ସେ ବୁଧବାର ସକାଳେ ଭୁବନେଶ୍ୱରରେ ପହଞ୍ଚତ୍ବେ। ଯଦି ସେହିଦିନ ମେଶିନ ସଜଡା ସରିବ ତେବେ ଉପରବେଳା ଆମେ ଶୋ’ ଆରମ୍ଭ କରିବୁ। ହଠାତ୍‌ ମେଶିନ ଖରାପ ହେବାରୁ ପ୍ରଥମଦିନ ବହୁତ ଲୋକ ଭିତରକୁ ଆସି ମଧ୍ୟ ଫେରିଯାଇଥିଲେ। ମାତ୍ର ଗେଟ୍‌ ପାଖରେ ଆମେ ନୋଟିସ୍‌ ଲଗାଇଛୁ। ଖୁବ୍‌ଶୀଘ୍ର ପୁଣିଥରେ ପ୍ଲାନେଟୋରିୟମ୍‌ରେ ଶୋ’ ଆରମ୍ଭ ହେବ ବୋଲି ସୁଶାନ୍ତ କହିଛନ୍ତି।

Share